ବାଇକ୍‌ ଡିକିରୁ ୧୪ ଲକ୍ଷ ୬୮ହଜାର ଟଙ୍କା ଜବତ

ପୁରୀ : ତୃତୀୟ ପର୍ଯ୍ୟାୟ ମତଦାନକୁ ୨ଦିନ ବାକି ଥିବାବେଳେ ପୁରୀ-ସାତପଡା ଜାତୀୟ ରାଜପଥର ସୁନାମୁହିଁ ଛକ ନିକଟରୁ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଏକ ବାଇକ୍‍ ଡିକିରୁ ଲକ୍ଷ।ଧିକ ଟଙ୍କା ଜବତ କରିଛନ୍ତି। କିଛିଦିନ ହେବ ନିର୍ବାଚନକୁ ଦୃଷ୍ଟିରେ ରଖି ଫ୍ଲାଇଙ୍ଗ ସ୍କ୍ବାଡ୍‌ ପକ୍ଷରୁ ପୁରୀ-ସାତପଡାର ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା। ରବିବାର ସୁନାମୁହିଁ ଛକ ନିକଟରେ ଗାଡି ମଟର ଯାଞ୍ଚ କରାଯାଉଥିବା ବେଳେ ବ୍ରହ୍ମଗିରିରୁ ସାତପଡା ଯାଉଥିବା ଏକ ବାଇକରୁ ଏହି ଟଙ୍କା ମିଳିବା ପରେ ବାଇକ ସହ ଚାଳକକୁ ବ୍ରହ୍ମଗିରି ଥାନାକୁ ଅଣାଯାଇଥିଲା। ଜବତ ଅର୍ଥ ସମ୍ପର୍କରେ ବାଇକଚାଳକ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ନିର୍ବାଚନ ସମୟରେ ଉକ୍ତ ଅର୍ଥ ବାଣ୍ଟିବା ପାଇଁ କୌଣସି ରାଜନୈତିକ ଦଳ ପକ୍ଷରୁ କୃଷ୍ଣପ୍ରସାଦ ବ୍ଲକକୁ ଯାଉଥିବା ସନ୍ଦେହ କରାଯାଇ ପୁଲିସ ଉପସ୍ଥିତରେ ଟଙ୍କାକୁ ଗଣା ଯାଇଥିଲା। ସେଥିରେ ୧୪ଲକ୍ଷ ୬୮ହଜାର ୫ଶହ ଟଙ୍କା ଥିବା ଜଣାପଡିଥିଲା। ଏହି ଯୁବକମାନେ ହେଲେ କୃଷ୍ଣପ୍ରସାଦ ବ୍ଲକ ତିଛଣି ଗ୍ରାମର ଶରତ ଚନ୍ଦ୍ର ଜେନା ଓ ପ୍ରଦୀପ ତରାଇ ବୋଲି ପୁଲିସ ସୂଚନା ଦେଇଛି। ଉଭୟଙ୍କୁ ପୁଲିସ ଛାଡି ଦେଇଥିବାବେଳେ ଜବତ ଟଙ୍କାକୁ ଟ୍ରେଜେରିକୁ ପଠାଇ ଦେଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.