ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ୩୧ରେ

୨୯ ବର୍ଷ ପରେ ଓଡ଼ିଶାରେ ବୈଠକ

ଭୁବନେଶ୍ୱର : ଦୀର୍ଘ ୨୯ ବର୍ଷ ପରେ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ସ୍ୱତନ୍ତ୍ର ଅତିଥି ଭାବେ ମଧ୍ୟ ଯୋଗ ଦେବେ । ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏହି ବୈଠକରେ ମାଓ ଦମନ, ଓଡ଼ିଶାର ଦୀର୍ଘ ଦିନର ଦାବି ଖଣି ରୟାଲଟି ବୃଦ୍ଧି ପ୍ରସଙ୍ଗ ଏବଂ ରାଜ୍ୟକୁ କେନ୍ଦ୍ରର କଲ୍ୟାଣକାରୀ ଯୋଜନାରେ ମିଳୁଥିବା ସହାୟତା ଏବଂ ସହଭାଗୀତା ପ୍ରସଙ୍ଗରେ ଆଲୋଚନା କରାଯିବ ।
୨୦୧୮ରେ ଏହି ବୈଠକ କୋଲକାତାରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏହା ହେବ ୨୪ ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ । ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ସିକ୍କିମର ମୁଖ୍ୟମନ୍ତ୍ରୀ ଏଥିରେ ଭାଗ ନେବେ । ଯଦିଓ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବା ନେଇ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ। କିନ୍ତୁ ଶ୍ରୀ ଶାହା ଆସିବା ନେଇ ଓଡ଼ିଶା ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦୀର୍ଘ ୨୯ ବର୍ଷ ପରେ ଓଡ଼ିଶାରେ ଏହି ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଅନୁଷ୍ଠିତ ହେଉଛି ।
ଏହି ବୈଠକ ପରେ ବାମପନ୍ଥୀ ଉଗ୍ରବାଦ ଅବା ମାଓଦମନ ନେଇ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଚାର ବିମର୍ଷ କରିବେ । ଏହା ବ୍ୟତୀତ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ନେଟୱାର୍କ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ କୃଷକମାନଙ୍କ ପାଇଁ ଥିବା ଯୋଜନା ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ ।

Comments are closed.