ଦଲାଲଙ୍କ ଜାଲରେ ନପଡିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସତର୍କ ସୂଚନା

ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପୁଳ ଭାବେ ସେମାନଙ୍କ ପୋର୍ଟାଲ ମାଧ୍ୟମରେ ପ୍ରସାର କରାଯାଉଥିବା ରେଳବାଇ ପ୍ରଶାସନ ନଜରକୁ ଆସିଛି। ରେଳବାଇ ଏବଂ ପ୍ରେସ ଇନଫରମେସନ୍ ବ୍ୟୁରୋ ଦ୍ୱାରା ହୋଇଥିବା ଫ୍ୟାକ୍ଟ ଚେକ୍ ବା ତଦନ୍ତ ପରେ ଏହା ଜଣାପଡିଛି ଯେ ଏହା ସମ୍ପୂର୍ଣ୍ଣ ନକଲି ଏବଂ ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯାଇ ନାହିଁ।

ପୂର୍ବତଟ ରେଳବାଇରେ କିମ୍ବା ରେଳବାଇ ସୁରକ୍ଷା ବଳ ଚାକିରି ଯୋଗାଇଦେବାକୁ ପ୍ରତିଜ୍ଞା କରୁଥିବା ଦଲାଲମାନଙ୍କ ଜାଲରେ ନ ପଡ଼ିବା ପାଇଁ ଚାକିରି ଆଶାୟୀମାନଙ୍କୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଛି। ନିକଟ ଅତୀତରେ ରେଳ ପ୍ରଶାସନର ଅନେକ ମାମଲା ସାମ୍ନାକୁ ଆସିଛି। ନିର୍ଦ୍ଦୋଷ ଲୋକଙ୍କୁ ରେଳବାଇରେ ଚାକିରୀ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ପ୍ରଲୋଭନ ଦେଖାଇ ଠକାମିର ଶିକାର ନହେବା ପାଇଁ ରେଳବାଇ ଅନେକ ପଦକ୍ଷେପ ହାତକୁ ନେଇ କ୍ରମାନ୍ୱୟ ଭାବେ ସଚେତନତା କାର୍ଯ୍ୟକ୍ରମ କରିଆସୁଛି।

ରେଲୱେ ଚାକିରି ପାଇବାକୁ ଏବଂ ଆଶାୟୀ ପ୍ରାର୍ଥୀମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରିବାକୁ ରେଳବାଇ ପକ୍ଷରୁ ବାରମ୍ବାର କୁହାଯାଉଥିବା ବେଳେ ଦଲାଲମାନଙ୍କ ଜାଲରେ ଶିକାର ନହେବାକୁ ପରାମର୍ଶ ଦିଆଯାଇଛି। ଯୋଗ୍ୟତା ଏବଂ ପରିଶ୍ରମ ଦ୍ୱାରା ଚାକିରି ପାଆନ୍ତୁ। ରେଳବାଇ ବୋର୍ଡ କିମ୍ବା ରେଳବାଇ ନିଯୁକ୍ତି ବୋର୍ଡ କିମ୍ବା ରେଳ ମନ୍ତ୍ରଣାଳୟ ନିଯୁକ୍ତି ପାଇଁ କୌଣସି ତୃତୀୟ ପକ୍ଷ ଏଜେଣ୍ଟ କିମ୍ବା ଆଉଟସୋର୍ସିଂ ଏଜେନ୍ସିକୁ ମନୋନୀତ କରାଯାଏ ନାହିଁ।

ସର୍ବଦା ରେଳବାଇ ନିଯୁକ୍ତି ବୋର୍ଡ, ରେଳବାଇ ନିଯୁକ୍ତି ସେଲ ଏବଂ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ ଏବଂ ଖବରକାଗଜରେ ଏବଂ ଏମ୍ପ୍ଲୋୟମେଣ୍ଟ ନ୍ୟୁଜରେ ବୋର୍ଡ ଦ୍ୱାରା ପ୍ରକାଶିତ ବିଜ୍ଞାପନ ଅନୁସରଣ କରନ୍ତୁ। କେବଳ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଅନୁସରଣ କରନ୍ତୁ ବୋଲି ପୂର୍ବତଟ ରେଳପଥ ବାରମ୍ବାର ସତର୍କ କରୁଛି। ରେଳବାଇ ପକ୍ଷରୁ କୁହାଯାଇଛି, ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଯଦି ଆପଣ ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ପାଉଛନ୍ତି କିମ୍ବା ଆପଣ ଉପରୋକ୍ତ ଶିକାର ହେଉଛନ୍ତି, ଦୟାକରି ପୂର୍ବତଟ ରେଳପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବର ୮୪୫୫୮୮୫୦୩୧ରେ ସୂଚନା ଦିଅନ୍ତୁ ଯାହା ଫଳରେ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।

Comments are closed.