ସହଜରେ ବ୍ୟବସାୟ ତାଲିକା : ୨୩ ଦେଶକୁ ପଛରେ ପକାଇ ୭୭ ନମ୍ବର ସ୍ଥାନରେ ପହଞ୍ଚିଲା ଭାରତ

0

ନୂଆଦିଲ୍ଲୀ : ସହଜରେ ବ୍ୟବସାୟ (ଇଜି ଅଫ ଡୁଇଙ୍ଗ ବିଜନେସ) କ୍ଷେତ୍ରରେ ଭାରତ କ୍ରମାଗତ ଦ୍ୱିତୀୟ ବର୍ଷ ଦୀର୍ଘ ଲମ୍ଫ ମାରିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜାରି ‘ଇଜି ଅଫ ଡୁଇଙ୍ଗ ବିଜନେସ-୨୦୧୮’ ତାଲିକରେ ଭାରତ ୨୩ଟି ଦେଶକୁ ପଛରେ ପକାଇ ୭୭ ନମ୍ବର ସ୍ଥାନରେ ପହଞ୍ଚିଛି। ଗତ ବର୍ଷ ୩୦ଟି ସ୍ଥାନ ଉପରକୁ ଉଠି ଭାରତ ଏହି ତାଲିକାର ୧୦୦ ନମ୍ବର ସ୍ଥାନରେ ଥିଲା। ଅର୍ଥାତ ୨୦୧୬ରେ ଭାରତ ଏହି ତାଲିକାର ୧୩୦ ନମ୍ବର ସ୍ଥାନରେ ଥିବାବେଳେ ୨୦୧୭ରେ ୧୦୦ ନମ୍ବର ସ୍ଥାନରେ ଥିଲା। ଏବେ ଭାରତ ଏହି ତାଲିକାର ୭୭ ନମ୍ବର ସ୍ଥାନରେ ପହଞ୍ଚିଛି। ୧୯୦ଟି ଦେଶକୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତ କ୍ରମାଗତ ଦୁଇ ବର୍ଷରେ ୫୩ଟି ସ୍ଥାନ ଉପରକୁ ଉଠିବା ସହ ସବୁଠୁ ଭଲ ପ୍ରଦର୍ଶନ କରିଛି। ୧୦ଟି ମାପଦଣ୍ଡକୁ ନେଇ ପ୍ରସ୍ତୁତ ଏହି ତାଲିକାର ୬ଟି ମାପଦଣ୍ଡରେ ଭାରତ ଉଲ୍ଲେଖନୀୟ ଉନ୍ନତି କରିଛି। ନରେନ୍ଦ୍ର ମୋଦୀ ୨୦୧୪ରେ ଶାସନକୁ ଆସିବା ସମୟରେ ଭାରତ ଏହି ତାଲିକାର ୧୪୨ ନମ୍ବର ସ୍ଥାନରେ ଥିଲା। ସେତେବେଳେ ଭାରତକୁ ଏହି ତାଲିକାର ଶୀର୍ଷ ୫୦ ମଧ୍ୟକୁ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।
ବିଶ୍ୱବ୍ୟାଙ୍କର ଏହି ୧୦ଟି ମାପଦଣ୍ଡ ହେଉଛି ‘ବ୍ୟବସାୟ ଆରମ୍ଭ କରିବା, ନିର୍ମାଣ ଅନୁମତି, ବିଦ୍ୟୁତ୍‍ ସଂଯୋଗ ପାଇବା, ଋଣ ପାଇବା, ଟିକସ୍‍ ଦେବା, ସୀମାପାର କାରବାର, ଚୁକ୍ତି ଅନୁବନ୍ଧିତ କରିବା, ଦେବାଳିଆ ହେବା ଭଳି ମାମଲାର ସମାଧାନ’। ‘ନିର୍ମାଣ ଅନୁମତି’ ମାପଦଣ୍ଡରେ ଭାରତ ୨୦୧୭ରେ ୧୮୧ ନମ୍ବର ସ୍ଥାନରୁ ୧୨୯ ଅଙ୍କ ସୁଧାର ସହ ୨୦୧୮ରେ ୫୨ ନମ୍ବର ସ୍ଥାନରେ ପହଞ୍ଚିଛି। ସେହିପରି ‘ସୀମାପାର କାରବାର’ ମାପଦଣ୍ଡରେ ଭାରତ ୨୦୧୭ରେ ୧୪୬ ନମ୍ବର ସ୍ଥାନରୁ ୬୬ ଅଙ୍କ ସୁଧାର ସହ ୨୦୧୮ରେ ୮୦ ନମ୍ବର ସ୍ଥାନରେ ପହଞ୍ଚିଛି। ବ୍ୟବସାୟ ଆରମ୍ଭ କରିବା କ୍ଷେତ୍ରରେ ଭାରତ ୨୦୧୭ରେ ୧୫୬ ନମ୍ବର ସ୍ଥାନରେ ଥିବାବେଳେ ୨୦୧୮ରେ ୧୩୭ ନମ୍ବର ସ୍ଥାନରେ ପହଞ୍ଚିଛି। ରୁଣ ପାଇବା କ୍ଷେତ୍ରରେ ୨୯ ନମ୍ବର ସ୍ଥାରୁ ୨୨ ନମ୍ବର ସ୍ଥାନକୁ ଉନ୍ନତି କରିଛି। ବିଦ୍ୟୁତ୍‍ ସଂଯୋଗ ପାଇବା କ୍ଷେତ୍ରରେ ୨୯ ନମ୍ବର ସ୍ଥାନରୁ ୨୪ ନମ୍ବର ସ୍ଥାନକୁ ଏବଂ ଚୁକ୍ତି ଅନୁବନ୍ଧିତ କରିବାରେ ଭାରତ ୧୬୪ ନମ୍ବର ସ୍ଥାନରୁ ୧୬୩ ନମ୍ବର ସ୍ଥାନକୁ ଉନ୍ନତି କରିଛି।

Leave A Reply