ମଣିପୁରରୁ ସୁରକ୍ଷିତ ଫେରିଲେ ୧୦ ଓଡ଼ିଆ ଛାତ୍ରଛାତ୍ରୀ; ନବୀନଙ୍କୁ କଲେ ସାକ୍ଷାତ

ଭୁବନେଶ୍ବର: ମଣିପୁରରେ ହିଂସା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତି ମଧ୍ୟରେ ଅଶାନ୍ତ ମଣିପୁରର ଇମ୍ଫାଲରୁ ଓଡ଼ିଶା ଫେରିଛନ୍ତି ୧୦ ଓଡ଼ିଆ ଛାତ୍ରଛାତ୍ରୀ। ଇମ୍ଫାଲର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ୧୦ ଜଣ ଓଡ଼ିଆ ଛାତ୍ରଛାତ୍ରୀ ରବିବାର ସୁରକ୍ଷିତ ଭାବେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଛି। ମଣିପୁରରୁ ଫେରି ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।

ଛାତ୍ରଛାତ୍ରୀମାନଙ୍କୁ ହକି ଜର୍ସି ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ଵାଗତ କରିଛନ୍ତି। ନବୀନ ନିବାସରେ ପହଞ୍ଚି ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ସହଯୋଗରେ ମଣିପୁରରୁ ସୁରକ୍ଷିତ ଆସି ଓଡ଼ିଶାରେ ପହଞ୍ଚିଥିବାରୁ ନବୀନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

 

Comments are closed.