ପଶ୍ଚିମ ଓଡ଼ିଶାରେ ଭୂମିକମ୍ପ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର କେତେକ ପ୍ରମୁଖ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୫.୪୫ରେ ୨ରୁ ୩ ସେକେଣ୍ଡ ପାଇଁ ହଠାତ ସବୁ ଥରି ଉଠିଥିଲା। ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା, ଦେବଗଡ଼, ଝାରସୁଗୁଡ଼ା, କୋଇଲା ଖଣି ଅଞ୍ଚଳର ବେଲପାହାଡ଼ ଓ ବ୍ରଜରାଜନଗର, ରାଉରକେଲା ଓ ବଣାଇଁ ଆଦି ଅଞ୍ଚଳରେ ସମାନ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ଏ ସମସ୍ତ ସ୍ଥାନରେ ଭୂମିକମ୍ପର ପ୍ରଭାବ ୨ରୁ ୩ ସେକେଣ୍ଡ ମଧ୍ୟରେ ସୀମିତ ଥିଲା। ଚଟାଣ ଓ ଘର ହଠାତ ଥରିବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ସମ୍ବଲପୁରର କେତେକ ବାସିନ୍ଦା କହିଛନ୍ତି ଯେ ଘରର ଆସବାବପତ୍ର ଧଡ଼ଧଡ଼ ଶବ୍ଦ କରିବାରୁ ଭୂମିକମ୍ପ ବାବଦରେ ସେମାନଙ୍କ ଧାରଣା ହୋଇଥିଲା। ଘର ଭିତରେ ଥିବା କେତେକ ବ୍ୟକ୍ତି ଭୟରେ ବାହାରକୁ ଦୌଡ଼ି ପଳାଇଥିଲେ ବୋଲି କହିଛନ୍ତି। ତେବେ ଭୂମିକମ୍ପ ଯୋଗୁ କୌଣସି ଜାଗାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ। ପଶ୍ଚିିମାଞ୍ଚଳର ସମ୍ବଲପୁରରୁ ରାଉରକେଲା ଅଂଶରେ ଭୂମିକମ୍ପ ହୋଇଥିବା ବେଳେ ବଲାଙ୍ଗିର-କଳାହାଣ୍ଡି ପଟେ ଏହାର ପ୍ରଭାବ ଅନୁଭୂତ ହୋଇନାହିଁ।

ସୂଚନାଯୋଗ୍ୟ ଯେ ସମ୍ବଲପୁର ଓ ହୀରାକୁଦ ବନ୍ଧ ଅଞ୍ଚଳ ଭୂମିକମ୍ପ ପ୍ରବଣ ଜୋନ-୩ରେ ଆସୁଛି। ଏହି ଅଞ୍ଚଳରେ କିଛି କିଛି ବର୍ଷ ବ୍ୟବଧାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥାଏ। ପାଣିପାଗ ବିଭାଗ ଆଜି ଯେଉଁ ସମୟରେ ଝଡ଼ ଓ ଭୟଙ୍କର ବଜ୍ରପାତ ଘଟିପାରେ ବୋଲି ସତର୍କତା ଜାରି କରିଥିଲେ ସେହି ସମୟରେ ଏଠାରେ ଭୂମିକମ୍ପ ହୋଇଛି।

Comments are closed.