ପୃଥିବୀ ଗ୍ରହର ମଣିଷ ରାଜା

 

ପ୍ରମୋଦ ମହାପାତ୍ର

ଅନନ୍ତ ବିଶ୍ବବ୍ରହ୍ମାଣ୍ଡର ସୌରଜଗତରେ ବିଦ୍ୟମାନ ପୃଥିବୀ ନାମକ ନୀଳଗ୍ରହରେ ବାସ କରୁଛନ୍ତି ତିନି ପର୍ଯ୍ୟାୟର ଜୀବ। ଏମାନେ ହେଲେ ପ୍ରାଣୀ, ଉଦ୍ଭିଦ ଓ ଅଦୃଶ୍ୟ ଜୀବ। ଏଠାରେ ଥିବା ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦଙ୍କ ସଂଖ୍ୟା ପ୍ରାୟ ୧୫ଲକ୍ଷ। ହେଲେ ଅଦୃଶ୍ୟ ଜଗତରେ ବସବାସ କରୁଥିବା ଜୀବାଣୁ, ବୀଜାଣୁ ଓ ଭୂତାଣୁଙ୍କ ସଂଖ୍ୟା ମଧ୍ୟ ଏମାନଙ୍କ ତୁଳନାରେ କମ୍‌ ନୁହେଁ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଏତେ ସଂଖ୍ୟକ ଜୀବଜନ୍ତୁ, ଉଦ୍ଭିଦ ମଣ୍ଡଳୀର ସବୁ ସଦସ୍ୟଙ୍କ ଆରାମଦାୟକ ବସତି ପାଇଁ ପ୍ରକୃତି ଏଠାରେ ସବୁ ଖଞ୍ଜି ରଖିଛି।
କିଛି ବର୍ଷ ତଳେ ମଣିଷ ଥିଲା ପ୍ରକୃତିର ସନ୍ତାନ। ପଶୁ-ପକ୍ଷୀଙ୍କ ଡାକ ଓ କଳରବରୁ ଜାଣୁଥିଲା ଦିନ, ରାତି ଓ ଋତୁ ବିଷୟରେ। ସହର ହେଉ କି ଗ୍ରାମାଞ୍ଚଳ ହେଉ ଘରୁ ଗୋଡ଼ କାଢ଼ିଲେ କିଆବୁଦା, ଜଙ୍ଗଲିଆ ସ୍ଥାନରେ ବିଲୁଆ, କୋକିଶିଆଳି, ଶାଳିଆପତନି, ନେଉଳ ଭଳି ଭଳିକିଭଳି ଜୀବଜନ୍ତୁଙ୍କ ସହ ଦେଖା ହେଉଥିଲା। ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ସବୁ ଜୀବଜନ୍ତୁ ପରସ୍ପର ମଧ୍ୟରେ ସହଯୋଗ, ସଦିଚ୍ଛା ସହ ଚଳି ପୃଥିବୀକୁ ସରସ ସୁନ୍ଦର କରି ରଖିଥିଲେ। ସେତେବେଳେ କେହି ନଥିଲେ ଶାସକ ପୁଣି ଶାସିତ।
କ୍ରମେ ଆରମ୍ଭ ହେଲା ରାଜା ଆଉ ପ୍ରଜାଙ୍କ ବେଳ। ମଣିଷଠାରୁ ଅଧିକ ବଳଶାଳୀ, ବିଶାଳ ଆକୃତି ବିଶିଷ୍ଟ ଜୀବଜନ୍ତୁ ଥିଲେ ମଧ୍ୟ ମଣିଷ ପରି ତୀକ୍ଷ୍ମ ବୁଦ୍ଧି ନଥିବାରୁ ସେମାନେ ପୃଥିବୀ ଭୂଖଣ୍ଡର ରାଜା ପଦବାଚ୍ୟ ହୋଇପାରିଲେ ନାହିଁ। ରାଜା ହେବା ପରେ ମଣିଷ ସବୁ ଭୁଲିଗଲା। ଆଜିଠାରୁ ପ୍ରାୟ ୩୫ ଲକ୍ଷ ବର୍ଷ ତଳେ ଆଫ୍ରିକାରେ ବସବାସ କରୁଥିବା ମଣିଷମାନେ ପ୍ରକୃତିର ସନ୍ତାନ ରୂପେ ଗାଈମାନଙ୍କ ଭଳି ଯେ ଘାସ ଖାଉଥିଲେ ଓ ବୃକ୍ଷବାସୀ ଥିଲେ ଏକଥା ସେମାନେ ଭୁଲିଗଲେ। ତେବେ ରାଜା ହେବା ପରେ ଆମେ ପୃଥିବୀରେ କରିଛୁ କ’ଣ ତାହା ହିଁ ଆଜିର ପ୍ରଶ୍ନ। ଆମର ପ୍ରଜା ହେଲେ ପୃଥିବୀ ପୃଷ୍ଠର ପିମ୍ପୁଡ଼ିଠାରୁ ଆରମ୍ଭ କରି ଜଙ୍ଗଲବାସୀ ଜୀବଜନ୍ତୁ, ଉଦ୍ଭିଦ। ଏମାନଙ୍କ ସୁରକ୍ଷା, ତଥା ବିକାଶ ଆମର ମୁଖ୍ୟକାର୍ଯ୍ୟ।
ମଣିଷ ପୃଥିବୀରେ ସର୍ବେସର୍ବା ହେବା ପରେ ଅନ୍ୟ ଜୀବଜନ୍ତୁଙ୍କ ଆଡ଼କୁ ସଂପୂର୍ଣ୍ଣ ରୂପେ ଆଖିବୁଜି ଦେଇ ନିଜର ବିଳାସବ୍ୟସନ, ପ୍ରାଚୁର୍ଯ୍ୟ ଉପରେ ପ୍ରାଥମିକତା ଦେଲା। ନିଜର ସଂଖ୍ୟା ୧୯୦୦ ମସିହାରେ ମାତ୍ର ୧୩୫ କୋଟି ଥିବା ବେଳେ ୨୦୦୦ ମସିହା ବେଳକୁ ୬୨୫ କୋଟି ବଢ଼ାଇ ଏବେ ୭୬୦ କୋଟିରେ ପହଞ୍ଚାଇବା ମାଧ୍ୟମରେ ପୃଥିବୀ ପୃଷ୍ଠରେ ବିରାଜମାନ କରୁଥିବା ପ୍ରାକୃତିକ ସ୍ଥିତାବସ୍ଥାରେ ବିଭ୍ରାଟ ସୃ‌ଷ୍ଟି ହେଲା। ପ୍ରାକୃତିକ ତଥା ଅନ୍ୟ ଜୀବଜନ୍ତୁଙ୍କୁ ସେ ସୁରକ୍ଷା ଦେବ କ’ଣ ସେମାନଙ୍କ ଘର ଦ୍ବାର ଧ୍ବଂସ କରି ସେମାନଙ୍କୁ ଅନାଥ କରି ସଂପୂର୍ଣ୍ଣ ରୂପେ ପୃଥିବୀ ପୃଷ୍ଠରୁ ନିଃଶେଷ କରିଦେଲା। ଏବେ ପ୍ରତି ଘଣ୍ଟାରେ ପୃଥିବୀ ପୃଷ୍ଠରୁ ୩ଟି ଜୀବ ସଂପୂର୍ଣ୍ଣ ରୂପେ ବିଲୁପ୍ତ ହେବା ଏକ ଅତ୍ୟନ୍ତ ଦୁଃଖଦ ତଥ୍ୟ ନୁହେଁ କି ? ଆମକୁ ମନେରଖିବାକୁ ହେବ ଯେ ଏ ସମସ୍ତଙ୍କର ସମ୍ମିଳିତ ସହାବସ୍ଥାନ ପାଇଁ ପୃଥିବୀ ଗ୍ରହ ଏତେ ସରସ, ସୁନ୍ଦର, କୋଳାହଳମୟ ହୋଇଆସିଛି। କେବଳ ଯୁଆଡ଼େ ଦେଖିଲେ ପଲ ପଲ ମଣିଷଙ୍କୁ ଧରି ପୃଥିବୀ କ’ଣ ସୁନ୍ଦର ହୋଇପାରିବ, ଆମେ କ’ଣ ଆନନ୍ଦରେ ରହିପାରିବା ?
ଏବେ ପ୍ରକୃତି ବୋଧହୁଏ ମଣିଷଙ୍କୁ ଶିକ୍ଷା ଦେବା ପାଇଁ କରୋନା (କୋଭିଡ-୧୯) ନାମକ ଭୂତାଣୁକୁ ପ୍ରେରଣ କରିଛି ! ହେଲେ ସତ୍ୟ ହେଲା ଏ ଭୂତାଣୁକୁ ପ୍ରକୃତି ପଠାଇନାହିଁ, ଆମେ ଆମନ୍ତ୍ରଣ କରି ଆଣିଛୁ। ପୃଥିବୀରେ କେତେକ ଦେଶବାସୀ ଯେକୌଣସି ଜୀବଜନ୍ତୁଙ୍କ କଞ୍ଚାମାଂସ, ଅଧାସିଝା ମାଂସ ଖାଆନ୍ତି । ଘୁଷୁରି, ଘୋଡ଼ା, ବିଭିନ୍ନ ଜାତିର ପକ୍ଷୀ, ବାଦୁଡ଼ି, ଓଟ, ବିଲେଇ, ମୂଷା, ଗୋଧି, ସାପ ସବୁ ଜୀବଙ୍କୁ ସେମାନେ ପଶୁଭଳି ଖାଆନ୍ତି। ଅଧାସିଝା ବା କଞ୍ଚାମାଂସରେ ଥିବା କରୋନା ଭୂତାଣୁ ମୂଳପୋଷକ ପ୍ରାଣୀ ଦେହରୁ ସହଯୋଗୀ ପ୍ରାଣୀ ଶରୀର ଦେଇ ମଣିଷ ଶରୀରକୁ ଆସିଯାଇଥାଏ। ତେବେ କୋଭିଡ-୧୯ ଭୂତାଣୁ ସଂକ୍ରମଣ ମାଧ୍ୟମରେ ସ୍ବାଧୀନ ଭାବେ ମନଇଚ୍ଛା କାମ କରୁଥିବା ଲଗାମଛଡ଼ା ମଣିଷ ଏବେ ବାଧ୍ୟ ହୋଇ ସଂଯମ ହୋଇଛି। ଏହାର ଫଳସ୍ବରୂପ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବହୁବର୍ଷ ଧରି ପବିତ୍ର ଗଙ୍ଗାନଦୀକୁ ସଫା କରିବାକୁ ଉଦ୍ୟମ କରି ଆମେ ଯେଉଁଥିରେ ସଫଳତା ପାଇ ପାରିନଥିଲୁ ତାହା ଏବେ ଆପେ ଆପେ ସଫା ହୋଇଯାଇଛି। ପ୍ରାତଃକାଳରେ ଅସଂଖ୍ୟ ପକ୍ଷୀଙ୍କ କୋଳାହଳ ଓ ରାବରେ ଚାରିଆଡ଼ ମୁଖରିତ ହେଉଛି। ବାୟୁ ପ୍ରଦୂଷଣ ନିୟନ୍ତ୍ରିତ ହୋଇଛି। ମୁହଁ ଶୁଖାଇଥିବା ଉଦ୍ଭିଦମାନେ ସତେ ଯେପରି ନୂତନ ତେଜରେ ଆତ୍ମପ୍ରକାଶ କରୁଛନ୍ତି। ପ୍ରକୃତି ହସୁଛି। ଆମକୁ ଶିକ୍ଷା ଦେଉଛି, ହେ ମାନବ ! ତୁମେ ପୃଥିବୀର ରାଜା ପଦବାଚ୍ୟ କିନ୍ତୁ ଏଥିପାଇଁ ନିଜର କର୍ମପ୍ରତି ସଚେତନ ହୁଅ।

Comments are closed.