ମଧ୍ୟପ୍ରଦେଶରେ ହଜାର କୋଟି ଟଙ୍କାର ଇ-ଟେଣ୍ଡର ଦୁର୍ନୀତି, ମାମଲା ରୁଜୁ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସହଯୋଗୀଙ୍କ ଠିକଣା ଉପରେ ଆୟକର ବିଭାଗର ଚଢାଉ ପରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଚଢାଉର ୩ ଦିନ ପରେ ମଧ୍ୟପ୍ରଦେଶର କଂଗ୍ରେସ ସରକାର ପ୍ରତିଆକ୍ରମଣ କରିଛି। ମଧ୍ୟପ୍ରଦେଶର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଇ-ଟେଣ୍ଡର ଦୁର୍ନୀତି ନେଇ ଏଫଆଇଆର ରୁଜୁ କରିଛି। ଏହି ଦୁର୍ନୀତି ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଘନିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରାଯାଇଛି।
ଇଓଡବ୍ଲ୍ୟୁ ଏଡିଜି ଏନ୍‍ ତିୱାରୀ ବୁଧବାର କହିଛନ୍ତି ଯେ ଇ-ଟେଣ୍ଡର ଦୁର୍ନୀତି ନେଇ ୫ଟି ବିଭାଗରେ ୭ଟି କମ୍ପାନୀ, ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ରାଜନୈତିକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି।
ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ଣରେ ଇ-ଟେଣ୍ଡର ଦୁର୍ନୀତି ନେଇ ଏକ ମାମଲା ରୁଜୁ କରାଯାଇଛି। ଜଳ ନିଗମର ୩ ହଜାର କୋଟି ଟଙ୍କାର ୩ଟି ଟେଣ୍ଡର ପସନ୍ଦଯୋଗ୍ୟ କମ୍ପାନୀଙ୍କୁ ଦେବା ପାଇଁ ଇ-ଟେଣ୍ଡରରେ ଟାମ୍ପରିଂ କରାଯାଇଥିଲା। ତତ୍କାଳୀନ ପ୍ରମୁଖ ସଚିବ (ଆଇଟି) ମନୀଷ ରସ୍ତୋଗୀ ଇ-ଟେଣ୍ଡର ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ। ଭାରତୀୟ କମ୍ପ୍ୟୁଟର ଇମରଜେନ୍ସି ରେସ୍ପନ୍ସ ଟିମ (ସିଆଇଆରଟି) ପକ୍ଷରୁ ରିପୋର୍ଟ ଆସିବା ପରେ ଇଓଡବ୍ଲ୍ୟୁ ଏହି ଡିଜିଟାଲ ଦୁର୍ନୀତି ନେଇ ମାମଲା ରୁଜୁ କରିବାକୁ ଚାହୁଁଥିଲା। ମୁଖ୍ୟମନ୍ତ୍ରୀ କମଳାନାଥଙ୍କ ନିକଟରୁ ମଞ୍ଜୁରୀ ମଳିବା ପରେ ମାମଲା ରୁଜୁ ହୋଇଛି।

Comments are closed.