୭ ଲକ୍ଷ ଟପିଛି ଇ-ଶ୍ରମିକ ପଞ୍ଜୀକରଣ, ସ୍ପଷ୍ଟ ହୋଇନି ସହାୟତା

୩୦ରୁ ଅଧିକ ବର୍ଗର ଅଣ ସଂଗଠିତ ଶ୍ରମିକ କରୁଛନ୍ତି ପଞ୍ଜୀକରଣ, ଇ-ପଞ୍ଜିକୃତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ନେଇ ପ୍ରଶ୍ନବାଚୀ କେନ୍ଦ୍ର ସରକାର ତୁରନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଉଠୁଛି ଦାବି

ବାଲେଶ୍ୱର : ଦେଶର ଅଣସଙ୍ଗଠିତ ବର୍ଗ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ଶ୍ରମ ଏବଂ ନିୟୋଜନ ମନ୍ତ୍ରାଳୟର ଇ-ଶ୍ରମ ପୋର୍ଟାଲରେ ଦୁଇ ମାସ ଧରି ଚାଲିଛି ଶ୍ରମିକ ପଞ୍ଜୀକରଣ ପ୍ରକ୍ରିୟା। ଗତ ୨୧ ତାରିଖ ସୁଦ୍ଧା ଦେଶର ବିଭିନ୍ନ ବର୍ଗର ୫ କୋଟିରୁ ଅଧିକ ଅଣସଙ୍ଗଠିତ ଶ୍ରମିକ ନିଜ ନାମ ପଞ୍ଜୀକରଣ କରିଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୯୪,୨୫,୩୪୯ ଛୁଇଁଛି । ତେବେ ରାଜ୍ୟର ଗଞ୍ଜାମ ଜିଲାରେ ସର୍ବାଧିକ ୯,୨୧,୩୨୧ ଶ୍ରମିକ ନାମ ପଞ୍ଜୀକରଣ କରିଥିବାବେଳେ ଦ୍ୱିତୀୟରେ ରହିଛି ବାଲେଶ୍ୱର। ୨୧ ତାରିଖ ସୁଦ୍ଧା ବାଲେଶ୍ୱର ଜିଲାରେ ମୋଟ ୭,୨୧,୮୫୫ ଜଣ ପଞ୍ଜୀକରଣ କରିଥିବା ଇ-ପୋର୍ଟାଲରୁ ଜଣାପଡ଼ିଛି। ଏଥିରୁ ସାଢ଼େ ୬ ଲକ୍ଷରୁ ଅଧିକ ଲୋକ ଜନସେବା କେନ୍ଦ୍ରରେ ପଞ୍ଜୀକରଣ କରିଛନ୍ତି। ତେବେ ସେମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ସରକାର କି ବ୍ୟବସ୍ଥା କରିବେ, ତାହା ଏବେ ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ ହୋଇଛି।
ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ଘରକାମ କରୁଥିବା ଶ୍ରମିକ, ଗ୍ୟାରେଜ ଓ ପରିବହନ, ଛାପାଖାନା, କୁଟୀର ଶିଳ୍ପ, ଖାଦ୍ୟ କାରଖାନା, ପର୍ଯ୍ୟଟନ ଓ ହସପିଟାଲ, ଖଣି, ଚମଡ଼ା କାରଖାନା, ପାର୍ଲର, ଲୁଗା ଓ ସୂତା କାରଖାନା, ବିଦ୍ୟୁତ ଯନ୍ତ୍ରପାତି ଆଦି ୩୦ରୁ ଊଦ୍ଧ୍ୱର୍ ବର୍ଗର ଶ୍ରମିକ ଏବେ ଇ-ପଞ୍ଜୀକରଣ କରୁଛନ୍ତି। ଏ ନେଇ ଜିଲାର ସମସ୍ତ ଜନସେବା କେନ୍ଦ୍ର ସାଙ୍ଗକୁ ସାଇବର କ୍ୟାଫେଗୁଡ଼ିକରେ ଭିଡ଼ ଲାଗି ରହିଛି। ଆଧାର କାର୍ଡ଼, ବ୍ୟାଙ୍କ ଜମାବହି ଓ ଫଟୋ ସହ ପ୍ରତ୍ୟେକ ଶ୍ରମିକଙ୍କୁ ଏ ନେଇ ଶହେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଖୋଲାଯାଇଥିବା ପୋର୍ଟାଲରେ ପଞ୍ଜୀକରଣ ସଂଖ୍ୟା ବଢ଼ି ଚାଲିଥିଲେ ବି ପଞ୍ଜୀକୃତ ଶ୍ରମିକଙ୍କୁ କି ପ୍ରକାର ସୁବିଧା ସୁଯୋଗ ବା ସହାୟତା ମିଳିବ, ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ନାହିଁ। ସବୁଠାରୁ ବଡ଼ କଥା ହେଲା, ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅଦ୍ୟାବଧି କୌଣସି ବ୍ୟୟବରାଦ ମଧ୍ୟ ହୋଇ ନାହିଁ। ଏହା ସତ୍ତେ୍ୱ ବାଲେଶ୍ୱର ସମେତ ରାଜ୍ୟ ତଥା ଦେଶରେ ଇ-ପଞ୍ଜୀକରଣ ବଢ଼ି ଚାଲିଥିବା ଲକ୍ଷ୍ୟ କରାଯାଇଛି। ନିର୍ମାଣ ଶ୍ରମିକଙ୍କ ଭଳି ସମସ୍ତଙ୍କୁ ସରକାରୀ ସହାୟତା ମିଳିବା ଆଶାରେ ଓଡ଼ିଶାରେ ଏହି ଇ-ପଞ୍ଜୀକରଣ ପ୍ରତି ଲୋକେ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି।
ରାଜ୍ୟ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ୨୦୦୮ ମସିହାରୁ ‘ଓଡ଼ିଶା କୋଠା ବାଡ଼ି ଏବଂ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦ’ ଗଠନ ସହ ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର କଲ୍ୟାଣ ପାଣ୍ଠି ବ୍ୟବସ୍ଥା କରାଯାଇଥିଲା। ସମସ୍ତ ସରକାରୀ ପ୍ରକଳ୍ପ ସମେତ ବେସରକାରୀ କ୍ଷେତ୍ରରେ ନିର୍ମାଣ ହେଉଥିବା ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ମୂଲ୍ୟର ପ୍ରକଳ୍ପରୁ ୧ ପ୍ରତିଶତ ଅର୍ଥ ଉପକର(ସେସ୍) ଭାବେ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅର୍ଥରୁ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଦୁର୍ଘଟଣାଜନିତ ସହାୟତା, ମୃତ୍ୟୁକାଳୀନ ସହାୟତା, ବୀମା ସହାୟତା, ଶିକ୍ଷା ସହାୟତା, ଚିକିତ୍ସା ସହାୟତା, କନ୍ୟା ବିବାହ ସହାୟତା, ପ୍ରସୂତି ସହାୟତା, ଦକ୍ଷତା ବୃଦ୍ଧି ସହାୟତା, ଯନ୍ତ୍ରପାତି କ୍ରୟ ସହାୟତା, ଗୃହ ନିର୍ମାଣ ସହାୟତା ସାଙ୍ଗକୁ ଅତି କମରେ ପଞ୍ଜୀକରଣର ୫ ବର୍ଷ ଅତିକ୍ରମ କରିଥିବା ଅଥବା ୬୦ ବର୍ଷ ଟପିଥବା ଶ୍ରମିକଙ୍କୁ ପେନସନ ବ୍ୟବସ୍ଥା ରହିଛି। ଏହିସବୁ ବ୍ୟବସ୍ଥା ଥାଇ ରାଜ୍ୟରେ ଅଦ୍ୟାବଧି ପଞ୍ଜୀକୃତ ନିର୍ମାଣ ଶ୍ରମିକ ସଂଖ୍ୟା ୨୭ ଲକ୍ଷ ଅତିକ୍ରମ କରି ନ ଥିବା ଜଣାପଡ଼ିଛି। ସେହିକ୍ରମରେ ବାଲେଶ୍ୱରରେ ୧ ଲକ୍ଷ ୬୫ ହଜାର ନିର୍ମାଣ ଶ୍ରମିକ ପଞ୍ଜୀକରଣ କରିଥିବାବେଳେ ଲକ୍ଷାଧିକ ଶ୍ରମିକଙ୍କ ଆବେଦନ ଏବେ ଯାଞ୍ଚ ଅପେକ୍ଷାରେ ପଡ଼ିରହିଥିବା ଶ୍ରମିକ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଶ୍ରମ ବିଭାଗର କର୍ମଚାରୀ ଅଭାବ ଯୋଗୁ ପଞ୍ଜୀକରଣ କ୍ଷେତ୍ରରେ ଆଶାତୀତ ସଫଳତା ମିଳିପାରୁ ନାହିଁ। ତେବେ ଜିଲାର ମୂଲିଆ, ସାଙ୍ଗି ମୂଲିଆ, ବଢ଼େଇ, ମିସ୍ତ୍ରୀ, ପଥର ମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, ଝଳେଇ ମିସ୍ତ୍ରୀ, ରାଜମିସ୍ତ୍ରୀ, ରଡ଼ ବାଇଣ୍ଡର, ଫିଟର, କଟର ଏବଂ ରାସ୍ତା, ରେଳ, ଟ୍ରାମ, ନଦୀ, ନାଳ, ଜଳସେଚନ, ଗ୍ୟାସ ଲାଇନ, ଇଲେକ୍ଟ୍ରି ଲାଇନ, ଟେଲିଫୋନ ଟାୱାର ପ୍ରଭୃତିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ଭାବେ ଗ୍ରହଣ କରାଯାଇଥିବାବେଳେ କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ୩୦ରୁ ଅଧିକ ବର୍ଗର ଅଣସଙ୍ଗଠିତ ଶ୍ରମିକ ପଞ୍ଜୀକରଣ କରିଚାଲିଛନ୍ତି। ଇ-ଶ୍ରମିକ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଇଥିଲେ ବି ସେମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ସରକାର କି ବ୍ୟବସ୍ଥା କରିବେ, ତାହା ଏବେ ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ ହୋଇଛି। କେନ୍ଦ୍ର ସରକାର ତୁରନ୍ତ ଏ ବାବଦ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିଭିନ୍ନ ମହଲରୁ ଦାବି ଉଠିବାରେ ଲାଗିଛି। ଏହା କେବଳ ଦେଶର ଅଣସଙ୍ଗଠିତ କ୍ଷେତ୍ର ଶମିକଙ୍କ ତଥ୍ୟ ସଂଗ୍ରହ ପାଇଁ ଉଦ୍ଦିଷ୍ଟ କିମ୍ବା ଆଗାମୀ ଦିନରେ ପଞ୍ଜୀକୃତ ଶ୍ରମିକଙ୍କ ନିମନ୍ତେ କେନ୍ଦ୍ର ସରକାର ଉଚିତ ବ୍ୟବସ୍ଥା କରିବେ, ତାହା ସମୟ କହିବ।

Comments are closed.