ବିଦେଶରୁ ଆସିବା ପୂର୍ବରୁ ଇ-ପଞ୍ଜିକରଣ ବାଧ୍ୟତାମୂଳକ

ସମାଜ ପୋର୍ଟାଲ ଡେସ୍କ: ଆବୁଧାବି ଓ ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ଇ-ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦିଆଯାଇଛି। ଭାରତୀୟ ଦୂତାବାସ ୱେବ୍‍ସାଇଟରେ ସେମାନେ ଏଥିପାଇଁ ପଞ୍ଜିକରଣ କରିପାରିବେ। ଫଳରେ ଯେଉଁ ଭାରତୀୟମାନେ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି ସେମାନଙ୍କର ଏକ ଡାଟାବେସ୍‍ ପ୍ରସ୍ତୁତ କରାଯାଇପାରିବ ଓ ଏହି କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇପାରିବ। ଏହାବ୍ୟତୀତ ରେଜିଷ୍ଟର ଇନ୍‍ ଡାଟାବେସ୍‍ “Register in Database of Indians to Travel Back to India under Covid-19 Situation” ଲିଙ୍କ୍‍କୁ ଲୋକମାନେ ଦେଖିପାରିବେ। ଭାତରୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଲୋକମାନଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଇ-ପଞ୍ଜିକରଣ ବ୍ୟବସ୍ଥା ଗ୍ରହଣ କରାଯାଉଛି ଓ କେତେ ସଂଖ୍ୟକ ଲୋକ ଫେରିବାକୁ ଚାହୁଁଛନ୍ତି ତାହାର ଆକଳନ କରିବା ଅତ୍ୟନ୍ତ ଜରୁରୀ। କାରଣ ଭାରତ ସରକାର ସେତିକି ସଂଖ୍ୟକ ଲୋକଙ୍କ ପାଇଁ ସ୍ୱଦେଶ ଫେରିବାକୁ ବ୍ୟବସ୍ଥା ଗ୍ରହଣ କରିପାରିବେ।

ଏଥିରେ ପୁଣି କୁହାଯାଇଛି- ଯେଉଁ ଲୋକମାନେ ବିଦେଶରୁ ଆସିବେ ସେମାନଙ୍କୁ ଗ୍ରହଣ କରିବା ପାଇଁ ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାରେ ଏହା ସରକାରଙ୍କୁ ସାହାଯ୍ୟ କରିବ। ଏହାଦ୍ୱାରା ଭୂତାଣୁ ସଂକ୍ରମଣ ସହଜରେ ରୋକାଯାଇପାରିବ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଅଲଗା ଅଲଗା ଫର୍ମ ଭରିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଯେଉଁ କମ୍ପାନୀମାନେ ସେଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଠାଇବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରତ୍ୟେକ କର୍ମଚାରୀମାନଙ୍କ ଲାଗି ଅଲଗା ଅଲଗା ଫର୍ମ ଭରିବାକୁ ପଡିବ। ସେହି ଲୋକମାନଙ୍କୁ ଆଣିବା ପାଇଁ ଭାରତ ସରକାର ଯାତ୍ରିବାହୀ ବିମାନ ଗୁଡ଼ିକର ଚଳାଚଳର ବ୍ୟବସ୍ଥା କରିବେ। ଭାରତୀୟ ଦୂତାବାସ କହିଛି ବିମାନ ଚଳାଚଳ ସମ୍ବନ୍ଧୀୟ ଘୋଷଣା ଦୂତାବାସ ୱେବ୍‍ସାଇଟ୍‍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯିବ। ଯେଉଁ ଲୋକମାନେ ଫର୍ମ ପୂରଣ କରାଇବାରେ ଅସୁବିଧାର ସମ୍ମୁଖୀନ ହେବେ, ସେମାନେ ଅନ୍ୟାନ୍ୟ ଭାରତୀୟ ସଂଗଠନ ଗୁଡ଼ିକର ସହାୟତା ନେଇପାରିବେ। ଫେରିବାକୁ ଚାହୁଁଥିବା ଲୋକମାନଙ୍କୁ ଦୂତାବାସକୁ ଆସିବାକୁ ନଦେବା ପାଇଁ ଇ-ପଞ୍ଜିକରଣ ସୁବିଧା ଯୋଗାଇ ଦିଆଯାଉଛି। ବାହାରିନ୍‍, ଓମାନ ଓ ସାଉଦୀଆରବ ଭଳି ଅନ୍ୟ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଭାରତୀୟ ଦୂତାବାସ ଗୁଡ଼ିକ ଦ୍ୱାରା ମଧ୍ୟ ଏଭଳି ଡାଟାବେସ୍‍ ସ୍ଥାପନ କରାଯିବା ବିଷୟରେ ଘୋଷଣା କରାଯାଇଛି।

Comments are closed.