୨୮ ଫେବୃଆରୀକୁ ଘୁଞ୍ଚିଲା ଇ-ଇପିକ୍ ଡାଉନ୍ଲୋଡ୍ ସମୟସୀମା

ଭୁବନେଶ୍ୱର : ଇ-ଇପିକ୍ ବା ଇଲେକ୍ଟ୍ରୋନିକ୍ସ ଭୋଟର ପରିଚୟ ପତ୍ର ଡାଉନଲୋଡ ସମୟସୀମା ଫେବୃଆରୀ ମାସ ଶେଷ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଇ-ଇପିକ୍ ପ୍ରତି ନୂତନ ଭୋଟରଙ୍କ ପ୍ରବଳ ଆଗ୍ରହକୁ ଦେଖି ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଭୋଟରମାନଙ୍କ ପାଇଁ ଇ-ଇପିକର ଶୁଭାରମ୍ଭ କରିଥିଲେ। ଏହା ଏକ ଡିଜିଟାଲ୍ ଭୋଟର ପରିଚୟ ହୋଇଥିବାରୁ ଭୋଟରମାନେ ଏହାକୁ ନିଜ ଭୋଟର ହେଲ୍ପଲାଇନ ମୋବାଇଲ୍ ଆପ କିମ୍ବା ଭୋର୍ଟସପୋର୍ଟାଲ.ଇସିଆଇ.ଇନ୍ କିମ୍ବା ଏନଭିଏସପି.ଇନରେ ନିଜ ମୋବାଇଲରେ ଡାଉନ୍ଲୋଡ୍ କରିପାରିବେ। ତେବେ ନୂତନ ଭୋଟରଙ୍କୁ ଜାନୁଆରୀ ୨୫ ତାରିଖଠାରୁ ଜାନୁଆରୀ ୩୧ ତାରିଖ ପର୍ୟ୍ୟନ୍ତ ଓ ଅନ୍ୟାନ୍ୟ ଭୋଟର ଯେଉଁମାନଙ୍କର ମୋବାଇଲ୍ ନମ୍ବର ପଞ୍ଜିକୃତ ହୋଇଥିବ ସେମାନେ ଫେବୃଆରୀ ୧ ତାରିଖଠାରୁ ଇ-ଇପିକ୍ ନିଜ ମୋବାଇଲ୍ରେ ଡାଉନ୍ଲୋଡ କରିପାରିବେ ବୋଲି ପୂର୍ବରୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ।