ବିନା ପରମିଟ୍‌ରେ ଚାଲୁଥିବା ୨୦ ବସ୍‍କୁ ଇ-ଚାଲାଣ

ଭୁବନେଶ୍ୱର : ବିନା ପରମିଟ୍‍ରେ ଚାଲୁଥିବା ୨୦ଟି ବସ୍‍କୁ ଠାବ କରି ପରିବହନ ବିଭାଗ ପକ୍ଷରୁ ଇ-ଚାଲାଣ ମାଧ୍ୟରେ ୨.୪୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ରାଜ୍ୟ ପରିବହନ କାର୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାତିରେ ଚାଲୁଥିବା କେତେକ ଏକ୍ସପ୍ରେସ୍‍ ବସ୍‍ ବିନା ପରମିଟ୍‍ରେ ଯାତ୍ରୀ ପରିବହନ କରୁଥିବା ନେଇ ସୂଚନା ପାଇବା ପରେ ପରିବହନ କମିସନର ଏନେଇ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ବିଶେଷକରି ଭୁବନେଶ୍ୱର ଓ କଟକରୁ ପ୍ରମୁଖ ସହର ବ୍ରହ୍ମପୁର ଓ ବାଲେଶ୍ୱରକୁ ରାତିରେ ଏସବୁ ବସ୍‍ ବିନା ପରିମିଟ୍‌ରେ ଚାଲୁଥିବା ନେଇ ଜଣାପଡ଼ିଥିଲା।

ତେଣୁ ପରିବହନ କମିସନରଙ୍କ ନିର୍ଦେଶକ୍ରମେ ୫ ଆର୍‍ଟିଓଙ୍କ ପକ୍ଷରୁ ଗତ କିଛି ଦିନ ଧରି ଏନେଇ ଯାଞ୍ଚ ଆରମ୍ଭ କରାଯାଇଥିଲା। ଭୁବନେଶ୍ୱର ଆର୍‍ଟିଓ-୧, ଆର୍‍ଟିଓ-୨, କଟକ, ଗଞ୍ଜାମ ଓ ବାଲେଶ୍ୱର ଆର୍‌ଟିଓ ଗତ ୧୫ ତାରିଖରୁ ଏନେଇ ଯାଞ୍ଚ କରିଥିଲେ। ଆର୍‍ଟିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଟିମ୍‍ ବିଭିନ୍ନ ସ୍ଥାନରେ ବିଶେଷକରି ରାତିରେ ଚାଲୁଥିବା ଏକ୍ସପ୍ରେସ୍‍ ବସ୍‍କୁ ଯାଞ୍ଚ କରିଥିଲେ। ଗତ ୧୫ ତାରିଖରେ ୧୧ଟି ବସ୍‍ ବିନା ପରମିଟ୍‍ରେ ଚାଲୁଥିବା ଜଣାପଡ଼ିଥିଲା। ୨୨ ତାରିଖରେ ୮ଟି ବସ୍‍ ଏବଂ ୨୫ ତାରିଖରେ ଗୋଟିଏ ବସ୍‍ ଧରାପଡ଼ିଥିଲା। ସମସ୍ତ ବସ୍‍ରୁ ଜୋରିମାନା ଆଦାୟ କରାଯାଇଛି। ଅତିକମ୍‍ରେ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଦେବା ଲାଗି ଇ-ଚାଲାଣ କରାଯାଇଥିବା ପରିବହନ କମିସନରଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଭୁବନେଶ୍ୱର ଆର୍‍ଟିଓ-୧ରେ ପଞ୍ଜିକୃତ ହୋଇଥିବା ସର୍ବାଧିକ ୧୨ଟି ବସ୍‍ ବିନା ପରମିଟ୍‍ରେ ଯାତ୍ରୀ ପରିବହନ କରୁଥିବା ଜଣାପଡ଼ିଥିଲା। ସେହିପରି ଅନ୍ୟ ବସ୍‍ଗୁଡ଼ିକ ରାଜ୍ୟର ବିଭିନ୍ନ ଆର୍‍ଟିଓଙ୍କ କାର୍ୟ୍ୟାଳୟରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। କୋଭିଡ କଟକଣା ଯୋଗୁଁ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ରେ ଅନେକ ବସ୍‍ ଅଫ୍‍ରୋଡ଼ ହୋଇଥିବା ଦର୍ଶାଇ ଯାତ୍ରୀ ପରିବହନ କରୁୁଥିବା ମଧ୍ୟ ପରିବହନ ଅଧିକାରୀ ଜାଣିବାକୁ ପାଇଛନ୍ତି।

Comments are closed.