ଦ୍ୱାରକାଧୀଶ ମନ୍ଦିର : ଧାର୍ମିକ ମହତ୍ତ୍ୱ ସହ ଅଦ୍ଭୁତ ନିର୍ମାଣ ଶୈଳୀ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

0

ଭାରତର ପଶ୍ଚିମ ତଟ ଆରବ ସାଗର କୂଳବର୍ତ୍ତୀ ଗୁଜୁରାଟର ଜାମନଗର ଠାରେ ଅବସ୍ଥିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିବାସ ସ୍ଥାନ ଦ୍ୱାରକା। ଦ୍ୱାରକା ମୁଖ୍ୟତଃ ଦ୍ୱାରକାଧୀଶ ମନ୍ଦିର ପାଇଁ ପ୍ରସିଦ୍ଧ। ଭାରତର ସାତଟି ସର୍ବ ପୂରାତନ ସହର ମଧ୍ୟରୁ ଦ୍ୱାରକା ହେଉଛି ଗୋଟିଏ। ହିନ୍ଦୁ ଧର୍ମାବଲମ୍ବୀଙ୍କର ପବିତ୍ର ତୀର୍ଥସ୍ଥାନ କୁହାଯାଉଥିବା ଦ୍ୱାରକାରେ ଭଗବାନ ବିଷ୍ଣୁ ଶଙ୍ଖାସୁର ନାମକ ରାକ୍ଷସକୁ ବଦ୍ଧ କରିଥିଲେ। ଏହି ମନ୍ଦିର ଜଗତ ମନ୍ଦିର ନାମରେ ମଧ୍ୟ ଜଣାଶୁଣା।
ମନ୍ଦିରର ଇତିହାସ :
ଭଗବାନ ଶ୍ରୀକୃଷ୍ଣ କଂସର ବଦ୍ଧ କଲା ପରେ କଂସର ଶ୍ୱଶୁର ଜରାସନ୍ଧ ୧୭ ଥର ମଥୁରା ଉପରେ ଆକ୍ରମଣ କରିଥିଲା। ଯେଉଁଥିପାଇଁ ପ୍ରଭୁ ଶ୍ରୀକୃଷ୍ଣ ମଥୁରା ଛାଡ଼ି ଦ୍ୱାରକାରେ ଆସି ବାସ କରିଥିଲେ। ମନ୍ଦିର ଠାରୁ ପ୍ରାୟ ୩ କିମି ଦୂରରେ ରୁକ୍ମୁଣୀଙ୍କର ମନ୍ଦିର ରହିଛି। ଏହି ମନ୍ଦିର ବିଷୟରେ କୁହାଯାଏ ଯେ, ଥରେ ଋଷି ଦୁର୍ବାସା ଶ୍ରୀକୃଷ୍ଣ ଓ ରୁକ୍ମୁଣୀଙ୍କୁ ତାଙ୍କର ନିବାସ ସ୍ଥଳକୁ ଯିବା ପାଇଁ ନିବେଦନ କରିଥିଲେ। ଅଧା ରାସ୍ତାରେ ରୁକ୍ମୁଣୀଙ୍କୁ ଶୋଷ ଲାଗିଲା ଓ ସେ ଶ୍ରୀକୃଷ୍ଣଙ୍କୁ ପାଣି ମାଗିଥିଲେ। ଆଖପାଖରେ ପାଣିର କୌଣସି ସନ୍ଧାନ ନପାଇବାରୁ ପ୍ରଭୁ ଶ୍ରୀକୃଷ୍ଣ ଏକ ଚ୍ଛେଦ ସୃଷ୍ଟି କଲେ ଓ ଗଙ୍ଗା ନଦୀର ପାଣି ସେଠାକୁ ନେଇ ଆସିଲେ। ଏଥିରେ ଋଷି ଦୁର୍ବାସା କ୍ରୋଧିତ ହୋଇ ରୁକ୍ମୁଣୀଙ୍କୁ ସେହିଠାରେ ରହିବା ପାଇଁ ଅଭିଶାପ ଦେଇଥିଲେ। ଏହି କାରଣ ଯୋଗୁଁ ରୁକ୍ମୁଣୀଙ୍କ ମନ୍ଦିର ଦ୍ୱାରକା ଠାରୁ ବାହାରେ ରହିଛି।
ମନ୍ଦିରର ନିର୍ମାଣ ଶୈଳୀ :
ପ୍ରତ୍ନତତ୍ତ୍ୱବିତ୍‍ଙ୍କ ମତ ଅନୁସାରେ ଦ୍ୱାରକାଧୀଶ ମନ୍ଦିର ପ୍ରାୟ ୨,୨୦୦ ବର୍ଷ ପୁରୁଣା। ୭ ମହଲା ବିଶିଷ୍ଟ ଏହି ମନ୍ଦିରରେ ୭୨ ଟି ସ୍ତମ୍ଭ ରହିଛି। ମନ୍ଦିରର ୮୪ ଫୁଟ୍‍ ଉଚ୍ଚରେ ଏକ ପତାକା ଉଡ଼ିଥାଏ, ଯାହାକୁ ଦିନରେ ୫ ଥର ବଦଳା ଯାଇଥାଏ। ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତୀକ ଭାବେ ପରିଚିତ ଏହି ପତାକାର ରଙ୍ଗ ସବୁଦିନ ଅଲଗା ହୋଇଥାଏ। ମନ୍ଦିରର ଶୀର୍ଷ ଭାଗ ୭୮.୩ ମିଟର ଉଚ୍ଚ। ମନ୍ଦିରର ନିର୍ମାଣ ଚୁନ ପଥର ଦ୍ୱାରା କରାଯାଇଛି, ସେଥିପାଇଁ ଏହାର ସୁନ୍ଦରତା ଆଜି ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ମନ୍ଦିରରେ ଦୁଇଟି ଦ୍ୱାର ରହିଛି। ପ୍ରବେଶ କରିବା ଦ୍ୱାରକୁ ସ୍ୱର୍ଗଦ୍ୱାର ଓ ବାହାରକୁ ଆସିବା ଦ୍ୱାରକୁ ମୋକ୍ଷଦ୍ୱାର ବା ମୁକ୍ତି ଦ୍ୱାର କୁହାଯାଏ।
ଦର୍ଶନ ସମୟ :
ଦ୍ୱାରକାଧୀଶ ମନ୍ଦିରରେ ସକାଳ ୭ ଟା ଠାରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୫ ଟା ଠାରୁ ରାତି ୯.୩୦ ପର୍ଯ୍ୟନ୍ତ ଦର୍ଶନ କରାଯାଏ।

Leave A Reply