ବାଙ୍ଗିରୀପୋଷୀ ଘଟଣା ପ୍ରମାଣ କରୁଛି ରାଜ୍ୟରେ କିପରି ଚାଲିଛି ସ୍ୱାସ୍ଥ୍ୟସେବା ଓ ମହିଳା ସୁରକ୍ଷା ଯୋଜନା: ବିଶେଶ୍ୱର ଟୁଡୁ

ଦ୍ୱାରଶୁଣି: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗର ଖାମ ଖିଆଲି ନୀତି ଯୋଗୁଁ ରୋଗୀ ସେବା ଅନେକ ସ୍ଥାନରେ ବାଧାପ୍ରାପ୍ତ ହେଉଛି । ମେଡିକାଲରେ ଡାକ୍ତର ଅଭାବ, ଆବଶ୍ୟକୀୟ ଉପକରଣର ଅଭାବ, ଉନ୍ନତ ମାନର ଔଷଧର ଅଭାବ, ନିମ୍ନ ମାନର ଚିକିତ୍ସା ଏବଂ ଆମ୍ବୁଲାନ୍ସ ସେବାରେ ବିଭ୍ରାଟ ଯୋଗୁଁ ରାଜ୍ୟରେ ଅନେକ ରୋଗୀଙ୍କ ଜୀବନ ଯାଉଛି । ବାଙ୍ଗିରୀପୋଷି ବ୍ଲକର ହାଣଦା ଗ୍ରାମର ଚିତରଂଜନ ମୁଣ୍ଡାଙ୍କ ପତ୍ନୀ ତୁଳସୀ ମୁଣ୍ଡା ଦ୍ୱିତୀୟ ସନ୍ତାନ ପ୍ରସବ ନିମନ୍ତେ ଗର୍ଭ ଯନ୍ତ୍ରଣା କାରଣରୁ ଶୁକ୍ରବାର ରାତିରେ ବାଙ୍ଗିରୀପୋଷି ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଆଦିବାସୀ ମହିଳା ତୁଳସୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେବା ପାଇଁ ଡାକ୍ତର ରେଫର କରିଥିଲେ । ୧୦୮ ଓ ୧୦୨ ଆମ୍ବୁଲାନ୍ସ ନଥିବା ଯୋଗୁଁ ମେଡିକାଲ ଆମ୍ବୁଲାନ୍ସରେ ତୁଳସୀଙ୍କୁ ନେଇ ଗଲାବେଳେ ବାଟରେ ତେଲ ସରିବା କାରଣରୁ ଆଧା ରାସ୍ତାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ପରେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୃତକ ତୁଳସୀ ମୁଣ୍ଡାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଏହି ଘଟଣା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କହିଛନ୍ତି । ଏହା ପରେ ଶ୍ରୀ ଟୁଡୁ ବାଙ୍ଗିରୀପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଡାକ୍ତରଙ୍କ ସହ ପୂରା ଘଟଣା ସଂର୍ପକରେ ଆଲୋଚନା କରିଥିଲେ । ଶ୍ରୀ ଟୁଡୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କଥା କହି ଲୋକ ହିଁ ପ୍ରକୃତ ମାଲିକ ବୋଲି କହୁଛନ୍ତି । କିନ୍ତୁ ଏଠି ବାଙ୍ଗିରୀପୋଷି ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ନାହଁନ୍ତି । ସେହିପରି ୬ଟି ଡାକ୍ତର ପଦବୀରୁ ମାତ୍ର ୨ଜଣ ଡାକ୍ତର ଏଠି ନିଯୁକ୍ତ ଅଛନ୍ତି । ମେଡିକାଲରେ ନିୟମିତ ଆମ୍ବୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଆଜି ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଏହା କଣ ‘ମୋ ସରକାର’ର ନମୂନା ? ଖୋଦ୍ ବାଙ୍ଗିରୀପୋଷି ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଯଦି ଏଭଳି ସ୍ଥିତି ଦେଖା ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ରାଜ୍ୟସରକାର ତୁରନ୍ତ ମୃତକ ତୁଳସୀ ମୁଣ୍ଡା ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛନ୍ତି ।ସ୍ୱାସ୍ଥ୍ୟସେବାକୁ ରାଜ୍ୟସରକାର ଗୁରୁତର ସହ ନେଉ ନାହାଁନ୍ତି । କେବଳ ବିଜ୍ଞାପନରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା, ଜନନୀ ସୁରକ୍ଷା, ମମତା, ନିରାମୟ, ନିଦାନ ଏହା କ’ଣ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବିକାଶ ବୋଲି ଶ୍ରୀ ଟୁଡୁ ପ୍ରଶ୍ନ କରିଛନ୍ତି । ଏହି ପ୍ରତିନିଧୀ ଦଳରେ ଜିଲ୍ଲା ବିଜେପି ଅଧିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁକୁଦା ମୁର୍ମୁ, ମୟୁରଭଞ୍ଜ ଜିଲ୍ଲା ସଭାପତି ଓ ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଦୋଳ ଗୋବିନ୍ଦ ବେହେରା ପମୁଖ ଉପସ୍ଥିତ ଥିଲେ।ଅନ୍ୟ ପକ୍ଷେ ଆଜି ଜିଲ୍ଲାପାଳ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀପ ପ୍ରଦୀପ କୁମାର ମହାପାତ୍ର ଚାଳକ ହରି ନାଏକ କୁ ତଦନ୍ତ ସରିବା ପର୍ୟ୍ୟନ୍ତ ନିଲମ୍ବିତ କରାଯାଇଛି ବୋଲି ବାଙ୍ଗିରିପୋଷି ସ୍ୱାସ୍ଥ୍ୟ ଅଧିକାରୀ ଲଷ୍ମୀପ୍ରିୟ ପଧାନ କହିଛନ୍ତି।

Comments are closed.