ଦୂତିଙ୍କ ଅଲିମ୍ପିକ୍‌ସ ପ୍ରସ୍ତୁତିରେ ବାଧା

0

ଭୁବନେଶ୍ବର : ଅଲିମ୍ପିଆନ୍ ତଥା ଓଡ଼ିଆ ଧାବିକା ଦୂତି ଚାନ୍ଦ ବିଶ୍ବ ଚମ୍ପିଆନସିପ୍‌ ଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ୟ୍ୟାୟ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ​‌ବିଦେଶରେ ପ୍ରଶିକ୍ଷଣ ନେଇ ଆବଶ୍ୟକ ଅର୍ଥ ଯୋଗାଣରେ ବିଳମ୍ବ କାରଣରୁ ଦୂତିଙ୍କ ପାଇଁ ବିଦେଶରେ ପ୍ରଶିକ୍ଷଣ ନେବାରେ ବିଳମ୍ବ ହୋଇଛି। ଯାହାକୁ ନେଇ ଦୂତି ଅସନ୍ତୋଷ ଜାହିର କରିଛନ୍ତି।
୨୦୧୮ରେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିବା ପରେ ଅଲିମ୍ପିକ୍‌ସ ଓ ବିଶ୍ବ ଚମ୍ପିଆନସିପ୍‌ ଭଳି ପ୍ରତିଯୋଗିତା ପ୍ରସ୍ତୁତି ନେଇ ବିଦେଶରେ ପ୍ରଶିକ୍ଷଣ ଲାଗି ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରା ଯାଇଥିଲା। ଆସନ୍ତା ସେପ୍ଟେମ୍ବରରେ ବିଶ୍ବ ଚମ୍ପିଆନସିପ୍‌ ଓ ୨୦୨୦ରେ ଅଲିମ୍ପିକ୍‌ ଆୟୋଜିତ ହେବ। ଉକ୍ତ ଦୁଇ ପ୍ରତିଯୋଗିତା ଲାଗି ଦୂତିଙ୍କ ପାଇଁ ଚଳିତ ବର୍ଷ ବେଶ ଗୁରୁତପୂର୍ଣ୍ଣ। ଏଥିନେଇ ଆମେରିକାରେ ଉନ୍ନତ ପ୍ରଶିକ୍ଷଣ ଲାଗି ଦୂତି ଲକ୍ଷ୍ୟ ରଖିଛନ୍ତି। ହେଲେ ସରକାରଙ୍କ ଘୋଷଣା ଅନୁସାରେ ଆବଶ୍ୟକ ସମୟରେ ଆବଶ୍ୟକ ଅର୍ଥ ଯୋଗାଇବାରେ ବିଫଳ ଯୋଗୁଁ ଦୂତି ଆମେରିକା ଗସ୍ତ କରିବାରେ ସଫଳ ହୋଇନାହାନ୍ତି। ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ୨୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରି ଏସୀୟ ଦୌଡକୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଥିବା ଦୂତି କୁହନ୍ତି, ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ହେବା ପରେ ରାଜ୍ୟ ସରକାର ଅଲିମ୍ପିକ୍‌ ପ୍ରସ୍ତୁତି ନେଇ ବିଦେଶରେ ପ୍ରଶିକ୍ଷଣ ଲାଗି ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। ବିଶ୍ବ ଚମ୍ପିଆନସିପ୍‌ ଓ ଅଲିମ୍ପିକ୍‌ ଆଉ କମ୍‌ ସମୟ ରହିଥିବାରୁ ପ୍ରସ୍ତୁତି ନେଇ ଆମେରିକାରେ ପ୍ରଶିକ୍ଷଣ ନେବା ଲାଗି ସ୍ଥିର କରିବା ସହିତ ରାଜ୍ୟ କ୍ରୀଡ଼ା ବିଭାଗ କୁ ମଧ୍ୟ ଏଥିନେଇ ଅବଗତ କରାଇଥିଲି। ବିଦେଶରେ ପ୍ରଶିକ୍ଷଣ ଲାଗି ଆର୍ଥିକ ସହାୟତା ନେଇ ଏପର୍ୟ୍ୟନ୍ତ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ସେହିପରି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ମଧ୍ୟ ଅଲିମ୍ପିକ୍‌ ଟପ୍‌ ଯୋଜନା କି ବିଦେଶରେ ପ୍ରଶିକ୍ଷଣ ନେଇ କୌଣସି ସହଯୋଗ ମିଳୁନାହିଁ। ଯାହା ଫଳରେ ଅଲିମ୍ପିକ୍‌ ପ୍ରସ୍ତୁତି ନେଇ ବିଦେଶରେ ପ୍ରଶିକ୍ଷଣ ନେବା ଆଶଙ୍କା​‌ ସୃଷ୍ଟି ହୋଇଛି ବୋଲି ଦୂତି କହିଛନ୍ତି।

Leave A Reply