ଦୂତିଙ୍କ ଜୀବନୀ ଉପରେ ପୁସ୍ତକ

0

ନୂଆଦିଲ୍ଲୀ : ଓଡ଼ିଶାର ଧାବିକା ଦୂତି ଚାନ୍ଦଙ୍କ ଜୀବନୀ ଉପରେ ଏକ ପୁସ୍ତକ ଆସନ୍ତାବର୍ଷ ପ୍ରକାଶ ପାଇବ। ଏହି ପୁସ୍ତକ ଦେଶର ଅନ୍ୟତମ ଶ୍ରେଷ୍ଠ ସ୍ପ୍ରିଣ୍ଟର ‘ଯାଜପୁର ଏକ୍ସପ୍ରେସ୍‍’ ଦୂତିଙ୍କ ସଂଘର୍ଷର କାହାଣୀ କ୍ରୀଡ଼ାପ୍ରେମୀଙ୍କ ପାଖରେ ପହଞ୍ଚାଇବ। ଏହି ପୁସ୍ତକର ଲେଖକ ହେଉଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ତଥା ଚଳଚ୍ଚିତ୍ର ପ୍ରଯୋଜକ ସନ୍ଦୀପ ମିଶ୍ର। ୱେଷ୍ଟଲାଣ୍ଡ୍‍ ବୁକ୍‍ସ ଦୂତି ଚାନ୍ଦଙ୍କ ଏହି ଜୀବନୀକୁ ପ୍ରକାଶ କରିବ; ଯାହା ୨୦୧୯ରେ ଉନ୍ମୋଚନ ହେବ।
ଓଡ଼ିଶାର ଏକ ଅତ୍ୟନ୍ତ ଗରିବ ପରିବାରରୁ ଆସି ଦୂତି ଚାନ୍ଦ ନାନା ବାଧାବିଘ୍ନର ମୁକାବିଲା କରି ଆଜି ଦେଶର ୧ନଂ ସ୍ପ୍ରିଣ୍ଟର ହୋଇ ପାରିଛନ୍ତି। ଗତ ଏସୀୟ କ୍ରୀଡ଼ାରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟପଦକ ଜିତି ଦୂତି ଏହା ପ୍ରମାଣ କରି ପାରିଛନ୍ତି। ମାତ୍ର ୦.୦୨ ସେକେଣ୍ଡ ଲାଗି ଦୂତି ସ୍ୱର୍ଣ୍ଣପଦକରୁ ବଞ୍ଚିତ ହୋଇଥିଲେ। ଏଥିପାଇଁ ସାରାଦେଶରେ ଏବେ ଦୂତିଙ୍କ ଗୁଣଗାନ କରାଯାଉଛି। ତେବେ ଦୂତିଙ୍କ ଆଥ୍‍ଲେଟିକ୍‍ ଜୀବନ ଟ୍ରାକ୍‍ରେ ଗଡ଼ୁଗଡ଼ୁ ଏହାକୁ ଲାଇନ୍‍ଚ୍ୟୁତ କରିବାର ପ୍ରୟାସ କରା ଯାଇଥିଲା। ଆନ୍ତର୍ଜାତିକ ଦୌଡ଼କୁଦ ମହାସଂଘ (ଆଇଏଏଫ୍‍)ର ହାଇପରଆଣ୍ଡ୍ରୋଜେନିମ୍‍ ନୀତି ଅନୁଯାୟୀ ଦୂତିଙ୍କୁ ୨୦୧୪ରେ ଭାରତୀୟ ଦୌଡ଼କୁଦ ମହାସଂଘ ବାସନ୍ଦ କରିଥିଲା। ଏହା ବିରୋଧରେ ଦୂତି ସ୍ୱିଜରଲାଣ୍ଡସ୍ଥିତ କାସ୍‍ର ଦ୍ୱାରସ୍ଥ ହୋଇଥିଲେ। ଶରୀରରେ ଅଧିକ ଟେଷ୍ଟୋଷ୍ଟେରୋନ୍‍ର ମାତ୍ରା ଜଣେ ମହିଳାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିପାରିବ ବୋଲି କୌଣସି ପ୍ରମାଣ ନଥିବା କହି କାସ୍‍ ଦୂତିଙ୍କୁ ପୁଣି ଦୌଡ଼ିବାର ଅନୁମତି ଦେଇଥିଲେ। ଏହାପରେ ଶୀର୍ଷରେ ପହଞ୍ଚିବା ଲାଗି ସଂଘର୍ଷ ଆରମ୍ଭ କରି ଦେଇଥିଲେ ଦୂତି। ସେ ଲେଖୁଥିବା ପୁସ୍ତକ ଉପରେ ସନ୍ଦୀପ ମିଶ୍ର କହିଛନ୍ତି, ଲୋକେ ବିଶ୍ୱାସ ଛାଡ଼ି ଦେଇଥିବା ଜଣେ ମହିଳା କିପରି ସଂଘର୍ଷ କରି ପୁଣି ଆବିର୍ଭାବ ହୋଇପାରନ୍ତି; ତା’ର କାହାଣୀ ଏହି ବହିରେ ରହିବ। ଅଦାଲତରେ ଲଢ଼େଇଠାରୁ ଟ୍ରାକ୍‍ରେ ଲଢ଼େଇ ପର୍ଯ୍ୟନ୍ତ ଦୂତିଙ୍କ ସଂଘର୍ଷର ସମସ୍ତ କାହାଣୀ ରହିବ।

Leave A Reply