ବିଶ୍ବ ଦୌଡ଼କୁଦ ରିଲେ, ଭାରତୀୟ ଦଳରେ ଦୂତି

କଟକ: ପୋଲାଣ୍ଡର ସିଲିସିଆରେ ଆସନ୍ତା ମେ ୧ରୁ ବିଶ୍ବ ଦୌଡ଼କୁଦ ରିଲେ-୨୦୨୧ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ରିଲେ ଦଳ ଘୋଷଣା କରାଯାଇଛି। ୪ଗୁଣା ୧୦୦ମିଟର ମହିଳା ରିଲେ ଦଳରେ ଧନଲକ୍ଷ୍ମୀ, ହିମା ଦାସ, ଅର୍ଚ୍ଚନା ସୁଦର୍ଶନ, ହିମାଶ୍ରୀ, ଧନେଶ୍ବରୀଙ୍କ ସମେତ ଓଡ଼ିଆ ସ୍ପ୍ରିଣ୍ଟର ଅଲିମ୍ପିଆନ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି।

ସେହିପରି ୪ ଗୁଣା ୪୦୦ମିଟର ମହିଳା ରିଲେ ଦଳରେ ପୁଭାମ୍ମା, ଶୁଭା, କିରଣ, ଅଞ୍ଜଳି, ରେବତୀ, ବିସ୍ମୟା ଏବଂ ଜିସ୍ନା ମାଥ୍ୟୁ ରହିଛନ୍ତି। ପୁରୁଷ ୪ ଗୁଣା ୪୦୦ମିଟର ରିଲେରେ ଅମୋଜ, ପି. ନାଗାନାଥନ, ମହମ୍ମଦ ଆନାସ, ରାଜୀବ ଆରୋକିଆ, ବି. ସାର୍ଥକ, ଧାରୁନ, ନିର୍ମଳ ନୋହା ଟମ୍‌ ପ୍ରମୁଖ ରହିଛନ୍ତି। ପ୍ରତିଯୋଗିତା​ର ପ୍ରତି ବିଭାଗରେ ୩୦ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିରୁ ଶ୍ରେଷ୍ଠ ଟାଇମିଂ ହାସଲ କରିଥିବା ୧୫ଟି ଦଳ ଟୋକିଓ ଅଲିମ୍ପିକ୍‌ସ ପାଇଁ ଯୋଗ୍ୟତା ହାସଲ କରିବେ।

Comments are closed.