ଅର୍ଜୁନ ପୁରସ୍କାର ଦୌଡ଼ରେ ଦୂତି

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଲାଗି ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଓ ଅର୍ଜୁନ ପୁରସ୍କାର ଲାଗି ଅଲିମ୍ପିଆନ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ସମେତ ଅର୍ପିନ୍ଦର ସିଂହ, ମନ୍‌ଜିତ୍‌ ସିଂହ ଓ ପି.ୟୁ ଚିତ୍ରାଙ୍କ ନାମ ଆଥ୍‌ଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ବୁଧବାର ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟକୁ ସୁପାରିସ କରାଯାଇଛି। ଖେଳାଳିମାନଙ୍କ ବିଗତ ୩ ବର୍ଷର ପ୍ରଦର୍ଶନକୁ ବିଚାର କରି ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଦେଶର ଦ୍ରୁତତମ ଧାବିକା ଦୂୂତି ଚାନ୍ଦଙ୍କ ନାମ ଏଏଫ୍‌ଆଇ ପ୍ରଥମ ଥର ପାଇଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଛି। ଦୂତି ଗତ ୩ ବର୍ଷ ଧରି ଭାରତୀୟ ଦୌଡ଼କୁଦ କ୍ରୀଡ଼ାରେ ଏକକ ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି। ଦୂତି ୨୦୧୬ ରିଓ ଅଲିମ୍ପିକ୍‌ସରେ ପ୍ରତିନିଧିତ୍ବ କରିବାରେ ସକ୍ଷମ ହୋଇଥିଲେ। ୨୦୧୭ରେ ଭୁବନେଶ୍ବରରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନସିପ୍‌ରେ ଦୂତି ୧୦୦ମିଟର ଦୌଡ଼ ଓ ୪ ଗୁଣା ୧୦୦ମିଟର ରିଲେରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୧୮ରେ ଇଣ୍ଡୋନେସିଆରେ ଆୟୋଜିତ ଏସୀୟ କ୍ରୀଡ଼ାରେ ୧୦୦ ଓ ୨୦୦ମିଟର ଦୌଡ଼ରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ୨୦୧୯ରେ ଦୋହାରେ ଆୟୋଜିତ ଏସିଆନ ଦୌଡ଼କୁଦ ଚମ୍ପିଆନସିପରେ ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ପ୍ରଥମ ମହିଳା ଧାବିକା ଭାବେ ୨୦୧୯ରେ ଇଟାଲିର ନେପୋଲିରେ ଆ​‌େ​‌ୟାଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଭାରତୀୟ ଦୌଡ଼କୁଦ ଦୁନିଆରେ ନୂତନ ଇତିହାସ ରଚିଥିଲେ। ଗତବର୍ଷ ଜାତୀୟ ଚମ୍ପିଆନସିରେ ୧୦୦ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ଦୂତି ଦେଶର ଦ୍ରୁତତମ ଧାବିକା ଭାବେ ନୂତନ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ। ଗତବର୍ଷ ଦୂତି ଚାନ୍ଦଙ୍କ ନାମକୁ ଅର୍ଜୁନ ପୁରସ୍କାର ଲାଗି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସୁପାରିସ କରିଥିଲେ ମଧ୍ୟ ବିଳମ୍ବର କାରଣ ଦର୍ଶାଇ ଏଏଫ୍‌ଆଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ସୁପାରିସ କରିନଥିଲା। ଫଳରେ ଦୂତି ଅର୍ଜୁନ ପୁରସ୍କାର ଦୌଡ଼ରୁ ବାଦ୍‌ ପଡ଼ିଥିଲେ। ଚଳିତ ବର୍ଷ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହିତ କିଟ୍‌ ପକ୍ଷରୁ ଦୂତିଙ୍କ ନାମକୁ ଅର୍ଜୁନ ପୁରସ୍କାର ନେଇ ଆଥ୍‌୍‌ଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆକୁ ସୁପାରିସ କରାଯାଇଥିଲା। ସେହିପରି ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ନାମ ସୁପାରିସ କରାଯାଇଥିବା ୨୨ ବର୍ଷୀୟ ନିରଜ ଚୋପ୍ରା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲେ। ଉକ୍ତ ସଫଳତା ପାଇଁ ନିରଜ ଅର୍ଜୁନ ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୦୧୮ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ସହ ୨୦୨୧ ଟୋକିଓ ଅଲିମ୍ପିକ୍‌ସ ପାଇଁ ନିରଜ ଯୋଗ୍ୟତା ହାସଲ କରିଛନ୍ତି। ନୀରଜଙ୍କ ଗତ କିଛି ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରାଯାଇଛି ବୋଲି ଆଥ୍‌ଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆ ସଭାପତି ଆଦିଲ ସୁମାରିୱାଲା କହିଛନ୍ତି। ସେହିପରି ଏସୀୟ କ୍ରୀଡ଼ାରେ ଟ୍ରିପଲ ଜମ୍ପରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ଅର୍ପିନ୍ଦର ସିଂହ , ୮୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ମନଜିତ୍‌ ସିଂହ ଓ ମିଡିଲ ଡିଷ୍ଟାନ୍ସ ରନର ଏସୀୟ ଚମ୍ପିଆନ ପି.ୟୁ ଚିତ୍ରାଙ୍କ ନାମକୁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରାଯାଇଛି।
ପୁରସ୍କାର ପାଇବା ନେଇ ଆଶା ରଖିଛି : ଦୂତି
ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ତଥା ଆଥ୍‌ଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ନିକଟରେ ନାମ ସୁପାରିସ କରାଯାଇଛି। ଏଥିନେଇ ରାଜ୍ୟ କ୍ରୀଡ଼ା ବିଭାଗ ଓ ଏଏଫ୍‌ଆଇକୁ ଧନ୍ୟବାଦ ଦେଉଛି। ବିଗତ ଦିନର ପ୍ରଦର୍ଶନକୁ ଦେଖିଲେ ଅର୍ଜୁନ ପୁରସ୍କାର ପାଇବା ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ। କାରଣ ନିୟମିତ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ବିଜୟୀ ହେବାରେ ସକ୍ଷମ ହୋଉଛି। ବିଗତ ଦିନର ପ୍ରଦର୍ଶନକୁ ନେଇ ମୁଁ ସନ୍ତୁଷ୍ଟ ରହିଛି। ଆଗାମୀ ଦିନରେ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟ ରଖିଛି। ଗତବର୍ଷ ମଧ୍ୟ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ନାମ ସୁପାରିସ କରାଯାଇଥିଲା। ଆଥ୍‌ଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆ ବିଳମ୍ବର କାରଣ ଦର୍ଶାଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ନିକଟରେ ସୁପାରିସ କରିନଥିଲା। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇବା ପାଇଁ ଆଶା ରଖିଛି। ଭାବୁଛି ଏ ପୁରସ୍କାର ମୁଁ ନିଶ୍ଚିତ ପାଇବି ବୋଲି ଦୂତି କହିଛନ୍ତି।

Comments are closed.