କେବିସିରେ କିଟ୍‌ ଓ ଦୂତିଙ୍କୁ ପ୍ରଶଂସା କଲେ ବିଗ୍‌ ବି

ଭୁବନେଶ୍ବର : ମନୋରଞ୍ଜନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ କୋନ୍ ବନେଗା କରୋଡପତି (କେବିସି)ରେ ପୁଣି ଥରେ କିଟ୍‌ ଓ ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ନେଇ ଚର୍ଚ୍ଚା। ଦୂତି ଚାନ୍ଦଙ୍କ ଉପରେ ଏକ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଜଣେ ଓଡ଼ିଆ ମହିଳା ଅଂଶଗ୍ରହଣକାରୀ ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଗୁରୁବାର କେବିସି କାର୍ୟ୍ୟକ୍ରମରେ ବିଗ୍‌ ବି ଅମିତାଭ୍ ବଚ୍ଚନ ଭାଗ ନେଇଥିବା ଓଡ଼ିଶାର ମହିଳା ଅଂଶଗ୍ରହଣକାରୀଙ୍କୁ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କେଉଁ ଭାରତୀୟ ମହିଳା ଆଥ୍‌ଲେଟ୍‌ ପ୍ରଥମ ଥର ପାଇଁ ଦୌଡ଼କୁଦ ବିଭାଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ ଓ କେତେ ସମୟରେ ଉକ୍ତ ସଫଳତା ହାସଲ କରିଥିଲେ ବୋଲି ପ୍ରଶ୍ନ କରିଥିଲେ। ବିଗ୍‌ ବି ଙ୍କ ଉକ୍ତ ପ୍ରଶ୍ନକୁ ଓଡ଼ିଶାର ମହିଳା ପ୍ରତିଯୋଗୀ ସଠିକ୍‌ ଉତ୍ତର ଦେଇଥିଲେ। କିଟ୍‌ର ଛାତ୍ରୀ ଦୂତି ଚାନ୍ଦ ପ୍ରଥମ ଭାରତୀୟ ଭାବେ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼କୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ ବୋଲି ଉକ୍ତ ମହିଳା ଜଣଙ୍କ ସଠିକ୍‌ ଉତ୍ତର ଦେଇଥିଲେ। ସଠିକ୍‌ ଉତ୍ତର ପାଇଁ ଉକ୍ତ ମହିଳା ଜଣକ ୧ ଲକ୍ଷ ୬୦ ହଜାର ଟଙ୍କା ପୁରସ୍କାର ମଧ୍ୟ ହାସଲ କରିଥିଲେ। ଉକ୍ତ ସଠିକ୍‌ ଉତ୍ତର ପରେ ବିଗ୍‌ ବି କିଟ୍‌ ଓ କିସ୍ ସମେତ ଓଡ଼ିଶାକୁ ପ୍ରଶଂସା କରିଥିଲେ। କିଟ୍‌ ଓ କିସ୍‌ ଦୂତିଙ୍କ ଭଳି କ୍ରୀଡ଼ାବିତ୍‌ଙ୍କୁ ଗଢି ଥିବାରୁ ବିଗ୍‌ ବି ଉକ୍ତ କାର୍ୟ୍ୟକ୍ରମରେ ପ୍ରତିଷ୍ଠାନକୁ ପ୍ରଶଂସା କରିଥିଲେ।

Comments are closed.