ବେଜିଂ ସ୍ଥିତ ଭାରତୀୟ ଦୂତାବାସରେ ଦଶହରା, ପ୍ରବଳ ଜନ ସମାଗମ

ବେଜିଂ ସ୍ଥିତ ଭାରତୀୟ ଦୂତାବାସରେ ଦଶହରା ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି। ବେଜିଂରେ ରହୁଥିବା ବହୁ ସଂଖ୍ୟକ କୂଟନୀତିଜ୍ଞମାନଙ୍କ ସମେତ ପ୍ରାୟ ୨ହଜାର ଲୋକ ଦଶହରା ଉତ୍ସବରେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ଚୀନରେ ରହୁଥିବା ପ୍ରବାସୀ ଭାରତୀୟ ଓ ଚୀନ୍‍ ନାଗରୀକମାନେ ମଧ୍ୟ ରହିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟମାନଙ୍କ ଦ୍ୱାରା ରାମଲୀଳା ନାଟକ ପ୍ରଦର୍ଶନ କରାଯାଇଥିଲା। ଆତସବାଜି ସହ ରାବଣପୋଡ଼ି ଉତ୍ସବରେ ଶହ ଶହ ସଂଖ୍ୟକ ଲୋକ ଓ ଚୀନ୍‍ର ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରି ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିବା ଖବର ମିଳିଛି।

ଲଳିତକଳା ଏକାଡେମୀର ସହାୟତାରେ ଭାରତୀୟ ଦୂତାବାସ ପକ୍ଷରୁ ରାମାୟଣ ଉପରେ ଏକ ପ୍ରଦର୍ଶିନୀର ମଧ୍ୟ ଆୟୋଜନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଚୀନ୍‍ର ଭାରତ ନାଟ୍ୟମ୍‍ ଶିଳ୍ପୀ ଜିନ୍‍ ସାଁ ସାଁ ପ୍ରଦର୍ଶନ କରିଥିଲେ। ତାଙ୍କର କନ୍ୟା ଜେସିକା କଥକ ନାଟ୍ୟ ପ୍ରଦର୍ଶନ କରିଥିଲା ବେଳେ ସିଣ୍ଡି ଓ ଦ୍ୟୁଜାନ୍‍ ବଲିଉଡ୍‍ ଚଳଚ୍ଚିତ୍ର ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ।ଭାରତୀୟମାନେ ତାମିଲ ଲୋକଗୀତ, କୁଚୁପୁଡ଼ି ଡ୍ୟାନ୍ସ, ରାଜସ୍ଥାନୀ ଲୋକନୃତ୍ୟ, ଗର୍ବା, ଦାଣ୍ଡିଆ ଓ ବଲିଉଡ୍‍ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ। ବେଜିଂ ସ୍ଥିତ ଭାରତୀୟ ଯୋଗ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଯୋଗ ପ୍ରଦର୍ଶନ କରିଥିଲେ।

Comments are closed.