ଜଙ୍ଗଲ,ଯୋଗାଣ ଓ ପୂର୍ତ୍ତ ବିଭାଗ ବିରୋଧରେ ଗଦା ଗଦା ଅଭିଯୋଗ; ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଫିସର ମରୁଡ଼ି 

ରାଉରକେଲା: ଚଳିତ ମାସ ଭିଜିଲାନ୍ସ ଚଢ଼ଉର ମାସ ବୋଲି କୁହାଯାଉଛି। କେବଳ ଯେ ରାଉରକେଲା ନୁହେଁ ସାରା ରାଜ୍ୟରେ ଭିଜିଲାନ୍ସ ହାତରେ ବଡ଼ ବଡ଼ ଦୁର୍ନୀତିଖୋର ଧରାପଡ଼ି ଜେଲ ଯାଇଛନ୍ତି। ସାରା ରାଜ୍ୟରେ ଭିଜିଲାନ୍ସ ଏବେ ଜାଗି ଉଠିଛି କହିଲେ ଭୁଲ ହେବ ନାହିଁ। ମାତ୍ର ରାଉରକେଲା ଭିଜିଲାନ୍ସ ଡିଭିଜନରେ ଅଫିସର ମରୁଡ଼ି ସମ୍ପ୍ରତି ଗୁରୁତର ସମସ୍ୟା ସୃଷ୍ଟି କରିଛି। ଯୋଗାଣ ବିଭାଗ, ଜଙ୍ଗଲ ବିଭାଗ, ଶ୍ରମ ବିଭାଗ, ପୂର୍ତ୍ତ ବିଭାଗ, ଆର୍‍ଏମ୍‍ସି ଓ ଆର୍‍ଡିଏ ବିରୋଧରେ ଗଦା ଗଦା ଅଭିଯୋଗ ପଡ଼ି ରହିଥିବା ତଦନ୍ତ କିପରି ହେବ ସେ ନେଇ ସମସ୍ୟା ସୃଷ୍ଟି ହୋଇଛି।

ସମ୍ବଲପୁର ଭିଜିଲାନ୍ସ ଡିଭିଜନରୁ ରାଉରକେଲା ସବ୍‍-ଡିଭିଜନକୁ ଅଲଗା କରାଯାଇ ରାଉରକେଲାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଡିଭିଜନର ମାନ୍ୟତା ଦିଆଯାଇଛି। ସମ୍ବଲପୁର ଡିଭିଜନ ଅଧୀନରେ ଥିବା ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲାକୁ ରାଉରକେଲା ଭିଜିଲାନ୍ସ ଡିଭିଜନରେ ସାମିଲ କରାଗଲା। ଡିଭିଜନରେ ଜଣେ ଜଣେ ଏସ୍‍ପି, ୪ ଜଣ ଡିଏସ୍‍ିପି, ୧୫ ଜଣ ଇନିସ୍‍ପେକ୍ଟର, ୨୮ ଜଣ କନଷ୍ଟେବଳ ପଦବୀ ସୃଷ୍ଟି କରାଯାଇଥିଲା। ଗତ ବର୍ଷ ଜାନୁଆରୀ ମାସ ସରକାର ପଦବୀ ମଞ୍ଜୁର କରିଥିଲେ। ଗତ ସେପ୍‍ଟେମ୍ବର ମାସରେ ରାଉରକେଲାକୁ ଭିଜିଲାନ୍ସ ଡିଭିଜନ ଘୋଷଣା କରାଯାଇଥିଲା। ଦାୟିତ୍ୱରେ ଜଣେ ଏସ୍‍ପି ଅଛନ୍ତି। ୪ ଜଣ ଡିଏସ୍‍ପି ଜାଗାରେ ଜଣେ ଡିଏସ୍‍ପି କାର୍ଯ୍ୟ କରୁଛନ୍ତି। ସେହିପରି ୧୫ ଇନିସ୍‍ପେକ୍ଟରଙ୍କ ସ୍ଥାନରେ ୭ ଜଣ ଇନିସ୍‍ପେକ୍ଟର କାମ କରୁଛନ୍ତି। ୨୮ କନଷ୍ଟେବଳଙ୍କ ଜାଗାରେ ୧୩ ଜଣ ନିଯୁକ୍ତି ପାଇଛନ୍ତି। ସେହିପରି ଏସ୍‍ପିଙ୍କ ପୂର୍ଣ୍ଣକାଳୀନ ଷ୍ଟେନୋ ବି ନାହାଁନ୍ତି। କହିବାକୁ ଗଲେ ଦୁର୍ନୀତି ନିବାରଣ ବିଭାଗରେ ଅଫିସର ମରୁଡ଼ି ସୃଷ୍ଟି ହୋଇଛି।

ସମୟ ଥିଲା ରାଉରକେଲା ଜଣେ ଡିଏସ୍‍ପି କାମ କରୁଥିଲେ। ତାଙ୍କ ଅଧୀନରେ ୪ ଜଣ ଇନିସ୍‍ପେକ୍ଟର ନିଯୁକ୍ତି ପାଇଥିଲେ। ସରକାର ବର୍ଷକ ତଳେ ଭିଜିଲାନ୍ସ ଡିଭିଜନ ଘୋଷଣା କରିବା ସହିତ ଆବଶ୍ୟକୀୟ ଅଫିସର ପଦବୀ ବି ମଞ୍ଜୁର କରିଥିଲେ। ମାତ୍ର ଇତିମଧ୍ୟରେ ୪ ମାସ ବିତି ଗଲାଣି। ହେଲେ ଡିଏସ୍‍ପି ଓ ଇନିସ୍‍ପେକ୍ଟର ନିଯୁକ୍ତି ହୋଇ ପାରୁନାହିଁ। ହାତ ଗଣତି ଅଫିସରଙ୍କୁ ନେଇ ଭିଜିଲାନ୍ସ ଡିଭିଜନ ଚାଲିଛି। ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଖଟି ଖଟି ନାକେଦମ ହେଉଛନ୍ତି। ଲାଞ୍ଚ ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତ ହେଉଛି। ମାତ୍ର ସରକାରୀ ଅର୍ଥ ତୋଷରପାତ ଭଳି ସଂଗୀନ ଅଭିଯୋଗର ତଦନ୍ତ କରିବାକୁ ଅଧିକାରୀ ନାହାଁନ୍ତି। ଭିଜିଲାନ୍ସ ନିକଟରେ ଗଦା ଗଦା ଅଭିଯୋଗ ପହଞ୍ଚୁଛି। ଯୋଗାଣ ବିଭାଗରେ ରାସନ ଦୁର୍ନୀତିର ତଦନ୍ତ ଜାରି ରହିଛି। ଭିଜିଲାନ୍ସ ବିଭାଗ ଯୋଗାଣ ବିଭାଗର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲେ ମଧ୍ୟ ତଦନ୍ତର ଅଗ୍ରଗତି ହୋଇ ପାରୁନାହିଁ। ସେହିପରି ରାଉରକେଲା ଜଙ୍ଗଲ ବିଭାଗ ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି।

କାମ୍ପା ଫଣ୍ଡ, ଜିଲା ଖଣିଜ ପାଣ୍ଠି ସମେତ ବିଭିନ୍ନ ଯୋଜନାରେ ଆସିଥିବା କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ହରିଲୁଟ୍‍ ହୋଇଛି ବୋଲି ଜିଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇ ତଦନ୍ତ କରିବାକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଭିଜିଲାନ୍ସ ଏହାର ତଦନ୍ତ ଆରମ୍ଭ କରି ଦେଇଛି। ସେହିପରି ନିର୍ମାଣ ଶ୍ରମିକ ଯୋଜନାରେ ୮/୯ କୋଟି ଟଙ୍କା ଚଳୁ କରାଯାଇଥିବା ଲୋକାୟୁକ୍ତଙ୍କ ନିକଟରେ ରଶ୍ମିରଂଜନ ପାଢ଼ୀ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଭିଜିଲାନ୍ସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରି ଦେଇଛି। ସେହିପରି ରାଉରକେଲା ମହାନଗର ନିଗମ ଶକ୍ତି ବଜାର, ଆର୍‍ଡିଏର ସେଣ୍ଟ୍ରାଲ ପାର୍କ ବିରୋଧରେ ଦୀର୍ଘ ଦିନରୁ ଅଭିଯୋଗ ହୋଇଛି। ମାତ୍ର ଏସବୁ ଅଭିଯୋଗର ତଦନ୍ତ ହୋଇ ପାରୁନାହିଁ। ଯଦି ବା କେତେକ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି; ମାତ୍ର ତା’ର ଅଗ୍ରଗତି ହୋଇ ପାରୁନାହିଁ। ଅଫିସର ଓ କର୍ମଚାରୀଙ୍କ ଅଭାବ ହିଁ ମୂଳ କାରଣ। ତଦନ୍ତ ଆଗେଇ ପାରୁ ନଥିବାରୁ ଦୁର୍ନତିଗ୍ରସ୍ତ ଅଧିକାରୀ ବେଶ୍‍ ମୌଜ୍‍ ମଜଲିସ୍‍ କରୁଛନ୍ତି। ଏଣୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Comments are closed.