ଦୁର୍ଗାମୂର୍ତ୍ତି ଉଚ୍ଚତା ବିବାଦରେ ପୂର୍ଣ୍ଣଚ୍ଛେଦ; ପୂର୍ବଗଢ଼ା ୯ ବଡ଼ ମୂର୍ତ୍ତିକୁ ଅନୁମତି

-କୋଭିଡ଼ ନିୟମରେ ପୂଜା, ଭକ୍ତଙ୍କୁ ଦର୍ଶନ ବାରଣ, ପ୍ରଶାସନର ବିସର୍ଜନ ଦାୟିତ୍ବ

କଟକ: ଦୁର୍ଗାପୂଜାରେ ମୂର୍ତ୍ତି ଉଚ୍ଚତା ସଂପର୍କିତ ମାମଲାରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି। ୪ ଫୁଟରୁ ଅଧିକ ତଥା ପୂର୍ବରୁ ଗଢାଯାଇସାରିଥିବା ୯ଟି ବଡ଼ ମୂର୍ତ୍ତିକୁ ପୂଜା କରିବା ଲାଗି ଏହାର ପୂଜା କମିଟିକୁ ଅଦାଲତ ଶେଷରେ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ କ୍ଷେତ୍ରରେ କମିଶନରେଟ୍‌ ପୁଲିସର ନିୟମ ଅନୁଯାୟୀ ୪ ଫୁଟ ଉଚ୍ଚତାର ମୂର୍ତ୍ତି ସହିତ କୋଭିଡ୍‌ ନିୟମ ଅନୁଯାୟୀ ପୂଜା କରାଯିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଆଡ଼ଭୋକେଟ ଜେନେରାଲ ଏହି ପ୍ରସଙ୍ଗରେ ତଥ୍ୟ ରଖିବା ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି ମାମଲାରେ ମୂର୍ତ୍ତି ଉଚ୍ଚତା ବିବାଦର ଘଟାଇଛନ୍ତି।

ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ଼ ନିୟମ ଅନୁସାରେ ପୂଜା କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସେହିପରି ମେଢ ପାଖକୁ ଭକ୍ତଙ୍କୁ ଛଡା ଯିବନାହି ଏବଂ ମୂର୍ତ୍ତି ବିସର୍ଜନ ଦାୟିତ୍ବ ପ୍ରଶାସନ ଉପରେ ଖଣ୍ଡପୀଠ ନ୍ୟସ୍ତ କରିଛନ୍ତି। ତେବେ କଟକ ସହରର ବାଲୁ ବଜାର, ଶେଖ ବଜାର, ଫିରିଙ୍ଗ ବଜାର, ତଳ ତେଲେଙ୍ଗା ବଜାର, ଅଲିଶା ବଜାର, ଗାନ୍ଧୀ ପୀଠ, ମଙ୍ଗଳାବାଗ ଓ କୁମ୍ଭାର ସାହି ପୂଜା କମିଟିକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ବାଲୁବଜାର ପୂଜା କମିଟି ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ଫିରିଙ୍ଗିବଜାର ପୂଜା କମିଟି ଓ ଉପର ତେଲେଙ୍ଗାବଜାର ପୂଜା କମିଟି ପକ୍ଷରୁ ପୁଲିସ କମିସନରଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ପୁଲିସ କମିସନର ସେପ୍ଟେମ୍ବର ୧୭ରେ ମୂର୍ତ୍ତି ଉଚ୍ଚତା ୪ ଫୁଟ୍‌ରେ ସୀମିତ ରଖିବା ପାଇଁ ଜାରି କରିଥିବା ନିର୍ଦ୍ଦେଶକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ପୂଜା କମିଟି ଗୁଡିକ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଥିଲା। ପୁଲିସ କମିସନର ସେପ୍ଟେମ୍ବର ୧୭ରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ସୀମିତ ରଖିବା ପ୍ରସଙ୍ଗରେ ଯେଉଁ ନି‌େର୍ଦ୍ଦଶ ଦେଇଥିଲେ।

Comments are closed.