କରୋନା କରିଛି ପାର୍ବଣ ଫିକା; ମା’ଙ୍କ ଷଷ୍ଠୀ ପୂଜା ଆଜି

କଟକ: ପ୍ରତିବର୍ଷ ଦଶହରା ଆଣେ ପାର୍ବଣର ପରିବେଶ। ସାରା ରାଜ୍ୟରେ ଗାଁଠାରୁ ସହର ସବୁଠି ଦେଖିବାକୁ ମିଳେ କୋଳାହଳ। ମା’ଙ୍କ ପୂଜା ପାଇଁ ସବୁଆଡ଼େ ଉତ୍ସବ ପାଳିତ ହେବା ବଦଳରେ ଚଳିତବର୍ଷ କରୋନା ପାଇଁ କାହା ମନରେ ସରସତା ନାହିଁ। କରୋନା ମହାମାରୀ ସମସ୍ତଙ୍କ ମୁହଁରୁ ପାର୍ବଣର ମହକ ଛଡାଇ ନେଇଛି। ଆସନ୍ତାକାଲି ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ। ବିଧି ରକ୍ଷା ପାଇଁ ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିଲେ ମଧ୍ୟ ତୋରଣ, ଆଲୋକସଜ୍ଜା ନାହିଁ। କେବଳ ମଣ୍ଡପରେ ଯାହା ମା’ଙ୍କୁ ଆବାହନ କରାଯାଉଛି, ତାହା ପୁଣି କରୋନା କଟକଣା ଭିତରେ। ୫ଜଣରୁ ଅଧିକ କର୍ମକର୍ତ୍ତା ମଣ୍ଡପରେ ରହିବା ଉପରେ କଟକଣା ଜାରି କରାଯାଇଛି। କେବଳ ପୂଜାକୁ ଛାଡି ଅନ୍ୟ ସମସ୍ତ ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ମଣ୍ଡପରେ ସୁନା, ଚାନ୍ଦି ମେଢରେ ଜଗତଜନନୀ ମା’ଙ୍କୁ ଦେଖିବାକୁ ମିଳୁନି। ଚାନ୍ଦିର ମେଢ ବି ନାହିଁ। କେଉଁ ପୂଜା କମିଟି ମଣ୍ଡପରେ ଫଟୋ ପୂଜା କରୁଛନ୍ତି ତ କିଏ ୪ଫୁଟ ଉଚ୍ଚର ମୂର୍ତ୍ତି ପୂଜା କରୁଛନ୍ତି। ତୋରଣ ନାହିଁ କି ମଣ୍ଡପରେ ମେଢ ନାହିଁ। କରୋନା ସମସ୍ତଙ୍କ ପେସା ବୁଡାଇ ଦେଇଥିବାବେଳେ ଚଳିତବର୍ଷ ଦଶହରା ପୂଜା ପାଳନ ଉପରେ ବି ଛାପ ଛାଡିଦେଇଛି।

ପ୍ରତିବର୍ଷ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠୁଥିବା କଟକ ଓ ଭୁବନେଶ୍ୱେର ସହରରେ ଏଥର ଦଶହରାରେ ଅସମ୍ଭବ ନୀରବତା। ରାସ୍ତାଘାଟ ଜନଶୂନ୍ୟ, ପୂଜା ମଣ୍ଡପ ଖାଁଖାଁ। ବାଜା ନାହିଁ, ମାଇକ ବାଜୁନି କି ଉଜ୍ଜ୍ୱଳ ଆଲୋକମାଳାରେ ତୋରଣ ଝଲସୁନି। ଯେଉଁଠି ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଳାହୋଳ ହେବା କଥା, ସେଠି ଏବେ ସନ୍ଧ୍ୟା ୭ଟାରେ ରାସ୍ତାଘାଟରେ କାଁଭାଁ ଗାଡିମୋଟର ଦେଖିବାକୁ ମିଳୁଛି।

Comments are closed.