ପାର୍ବଣର କ୍ଷୀଣସ୍ବର

ଜୀବ ଜଗତରେ ସବୁଠାରୁ ଚଳଚଞ୍ଚଳ ଓ ବ୍ୟସ୍ତ ଜୀବଟି କିଏ ? ଏହାର ଉତ୍ତରରେ କେବଳ ମଣିଷ ହିଁ ସ୍ଥାନ ପାଇବ। ଆଜିର ବସ୍ତୁବାଦୀ ଦୁନିଆରେ ନିଜର ଅସୀମ ଇଚ୍ଛା ପୂରଣ କରିବାରେ ପ୍ରାୟ ସମସ୍ତେ ଲହୁ ଲୁହାଣ ହୋଇପଡିଛନ୍ତି। ଗୋଟିଏ ଇଚ୍ଛାରୁ ସଫଳ ହେଲାପରେ ଅନ୍ୟ ଏକ ଇଚ୍ଛାର ବଶବର୍ତ୍ତୀ ହୋଇ ପୁନର୍ବାର ଖୋଜି ବସନ୍ତି, ଆଉ ଏକ ଆଶା ପ୍ରାପ୍ତିକୁ ନେଇ। ଏହା ପ୍ରତ୍ୟେକଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ; କିନ୍ତୁ ଆଶା ପ୍ରାପ୍ତି ରୂପକ ବ୍ୟାଧି ସମସ୍ତଙ୍କ ପାଇଁ ଏକା। ଏମିତି ଧାଇଁ ଧପଡ଼ରେ ରକ୍ତ ମାଂସ ଶରୀର ଖୋଜେ କିଛି ମାନସିକ ଶାନ୍ତି ଏହାକୁ କିଛି ମାତ୍ରାରେ ଲାଘବ କରିବା ପାଇଁ। ସିଏ ପୂଜା ପାଠ ହେଉ ବା ମନ୍ଦିର, ମସଜିଦ ହେଉ ବା ଯାନିଯାତ୍ରା, ନତୁବା ଧରିତ୍ରୀ କୋଳରେ ବଢୁଥିବା ପ୍ରାକୃତିକ ସମ୍ଭାରର ଉପଲବ୍ଧିକୁ ନେଇ ହେଉ। ଏସବୁ ଦେଖିଲେ ବା ଉପଲବ୍ଧି କଲେ, କାହିଁକି କେଜାଣି ଏକ ଅଜଣା ଶିହରଣ ମନ ଭିତରେ ଖେଳିଯାଏ। ପୁନର୍ବାର ମନ ସତେଜ ହୁଏ ପୁଣି ଏକ ନୂଆ ସମ୍ଭାବନାକୁ ଆଦରିବା ପାଇଁ। ପ୍ରକୃତି ମଧ୍ୟ କେବେହେଲେ ଅସହଯୋଗ କରିନି, ମଣିଷକୁ ତା’ର ଲକ୍ଷ୍ୟଚ୍ୟୁତ କରିବା ନେଇ। କାହିଁକି ନା ସିଏ ପରା ହେଉଛି ସମସ୍ତଙ୍କ ଜନ୍ମଦାତ୍ରୀ। ସେଥିପାଇଁ ତାକୁ ଧରିତ୍ରୀ, ଜଗତଜନନୀ, ବସୁମତୀ ଇତ୍ୟାଦି ଅନେକ ନାମରେ ଆମେ ସମ୍ବୋଧନ କରୁ। ପ୍ରକୃତିର ଇଶାରାରେ ସମସ୍ତ ଜୀବଜଗତ ଆତଯାତ। ସମସ୍ତଙ୍କ ମଙ୍ଗଳ ବିଧାନ ତଥା ଚିତ୍ତବିନୋଦନ ପାଇଁ ସେ ସାଇତିଛି ଅନେକ ସମ୍ଭାର ଓ ଉତ୍ସ। ବାରମାସରେ ତେର ପର୍ବ ଏଭଳି ଅନେକ। ସିଏ ମଧ୍ୟ ତା’ର ପାରମ୍ପରିକ ସଙ୍କେତରେ ଜଣାଇଦିଏ ବ୍ୟସ୍ତ ମଣିଷକୁ ଆଗାମୀ ସନ୍ଦେଶର ଗାଥା। ଯେମିତି ରାସ୍ତା କଡ଼, ତଥା ନଈ ପଠାର ଶୁଭ୍ର କାଶତଣ୍ଡୀ, ଅଭିବାଦନ ଜଣାଏ ଶରତର ଆଗମନ ତତ୍ ସହିତ ଜଗତଜନନୀ ମାଆଙ୍କର ଧରାବତରଣର ସନ୍ଦେଶ। ଏଥିରେ ମାଆ ଦୁର୍ଗାଙ୍କୁ ଆବାହନ ସହିତ ଷୋଡ଼ଶ ଉପଚାରରେ ସନ୍ତୁଷ୍ଟି କରିଥାଉ, ଜଗତର ଦୁଃଖ ଦାରିଦ୍ର୍ୟ ଦୂର ପାଇଁ। ପ୍ରତି ବର୍ଷ ଆଶ୍ୱିନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ତିଥିରୁ ଶୁକ୍ଳପକ୍ଷ ବିଜୟାଦଶମୀ ପର୍ଯ୍ୟନ୍ତ ବିଭିନ୍ନ ଶକ୍ତି ପୀଠମାନଙ୍କରେ ମାଆଙ୍କର ଷୋଡ଼ଶ ଦିନାତ୍ମକ ପୂଜା ବିଧି କରାଯିବା ସହିତ ବିଭିନ୍ନ ସହର ଓ ସାହି ବସ୍ତିରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ସ୍ଥାପନା କରି ନବଦିନାତ୍ମକ ପୂଜାର୍ଚ୍ଚନା କରାଯାଏ। ସୁସଜ୍ଜିତ ତୋରଣ ସାଙ୍ଗକୁ ଆକର୍ଷଣୀୟ ଲାଇଟ, ବାଜା ଓ ମନ୍ତ୍ରଧ୍ୱନିରେ ଶକ୍ତିପୀଠ ଓ ପୂଜାମଣ୍ଡପଗୁଡ଼ିକ ଜୀବନ୍ତ ହୋଇ ଉଠନ୍ତି। କେଉଁଠି ଚାନ୍ଦିମେଢ଼ ତ କେଉଁଠି ସୁବର୍ଣ୍ଣ ଖଚିତ ଅଳଙ୍କାର ମାଆଙ୍କର ରୂପଲାବଣ୍ୟକୁ ଆହୁରି ଜୀବନ୍ତ କରିଥାଏ। ଏଥିରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ନିଆରା ପରିଚୟ ସୃଷ୍ଟି କରିଥାଏ। ଭୁବନେଶ୍ୱରରେ ସୁଉଚ୍ଚ ତୋରଣ ସାଙ୍ଗକୁ କଟକରେ ଚାନ୍ଦିରୂପା ତାରକସି ଖଚିତ ମାଆଙ୍କର ସାଜସଜ୍ଜା ସମସ୍ତଙ୍କ ମନମୁଗ୍ଧ କରିଥାଏ। ଏଥିରେ ଥିଲାବାଲା ଓ ନଥିଲାଵାଲା ଉଭୟେ ଖୁସି ମନାନ୍ତି। ମାଆଙ୍କୁ ଦର୍ଶନ କରି ଅଖଣ୍ଡ ଆଶିଷ ପ୍ରାପ୍ତ ହେବା ସହିତ ନିତିଦିନିଆ ସଂସାର ଜଞ୍ଜାଳ ମଧ୍ୟରେ ସନ୍ତୋଷ ଲାଭ କରନ୍ତି। ପିଲା ଠାରୁ ବଡ଼, ରୋଗୀ ଠାରୁ ଭୋଗୀ ସମସ୍ତେ ଏକାକାର ହୁଅନ୍ତି ମାଆଙ୍କ ଆଶୀର୍ବାଦ ଭିକ୍ଷା ଲାଗି। ଏହି ବର୍ଣ୍ଣାଢ଼୍ୟ ପୂଜାର ପ୍ରସ୍ତୁତି ପର୍ବ ପ୍ରାୟ ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥାଏ। ବିଭିନ୍ନ ରାଜ୍ୟର କାରିଗର ଦିନରାତି ସାମିଲ ହୁଅନ୍ତି ଆକର୍ଷଣୀୟ ତୋରଣ ନିର୍ମାଣରେ। କେଉଁଠି ନେପାଳର ପ୍ୟାଲେସ ତ କେଉଁଠି ଟିପୁ ସୁଲତାନଙ୍କ ରାଜନଅର, ଆଉ କେଉଁଠି ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶର କୀର୍ତ୍ତିରାଜିର ଶୋଭା ଅନେକଙ୍କୁ ବିସ୍ମିତ କରେ । ଏଥିରେ ବିଭିନ୍ନ ପ୍ରକାରର ଶ୍ରମ ଓ ଜୀବିକାର ଉପଯୋଗିତା ଯୋଗୁଁ ଅନେକ ବେଶ୍ କିଛି ରୋଜଗାର କରି ଦୁଇ ପଇସା ସଞ୍ଚୟ କରିଥାନ୍ତି।
ଏ ବର୍ଷ ପାର୍ବଣ ୠତୁର ଅନୁଭୂତି ନିଆରା ହେବ ଯୁଗ ଯୁଗକୁ। ଆଉ ନା ଦେଖି ହେଉଛି ସୁଉଚ୍ଚ ତୋରଣ କି ପାଶ୍ଚାତ୍ୟ ଦେଶର କୀର୍ତ୍ତିରାଜି, ନା ଦେଖି ହେଉଛି ସୁସଜ୍ଜିତ ଆଲୋକ ସଜ୍ଜା, ନା ଶୁଣି ହେଉଛି ସୁପ୍ରସିଦ୍ଧ ଅର୍କେଷ୍ଟ୍ରାମାନଙ୍କର ହୃଦୟସ୍ପର୍ଶୀ ସଙ୍ଗୀତ। ଲୋକଙ୍କ ହିତ ଦୃଷ୍ଠିରୁ, କୋଭିଡ କଟକଣାରେ ପାଳିତ ହେଉଛି ଏବର୍ଷର “ନିରାଡମ୍ବର ଶାରଦୀୟ ମହୋତ୍ସବ” କେବଳ ମୃଦୁ ମନ୍ତ୍ରଧ୍ୱନିରେ। ସରକାରଙ୍କ କୋଭିଡ ନିୟମାନୁଯାୟୀ ସ୍ଥାନୀୟ ପ୍ରଶାସନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହେଉଛି ସମସ୍ତ ପ୍ରସ୍ତୁତି। ଏପରିକି ମା’ଙ୍କ ପୂଜାର୍ଚ୍ଚନାଠାରୁ ସାଜସଜ୍ଜା ପର୍ଯ୍ୟନ୍ତ ସବୁକିଛି। ସଂକ୍ରମଣର ପରିସଂଖ୍ୟାନ ଚିତ୍ର ଦିନକୁ ଦିନ ପରିବର୍ତ୍ତିତ ହେଉଛି। କେତେବେଳେ ଆଶ୍ବସ୍ତି ଆଣିଦେଉଛି ତ କେତେବେଳେ ଭୟର ବାତାବରଣ ପ୍ରଶାସନ ତଥା ଜନସାଧାରଣଙ୍କୁ ଅଡ଼ୁଆରେ ପକାଉଛି। ଅତଏବ ଏହି ଦୁର୍ଦିନରେ ଆମେ ସରକାରଙ୍କ ଦ୍ୱାରା ଘୋଷିତ ନିୟମକୁ ଅଣଦେଖା ନ କରି ସଂକ୍ରମଣ ଜନିତ ଭୟରୁ ନିଜକୁ ଦୂରେଇ ରଖିବା ସହିତ ଏହାର ବାସ୍ତବତାକୁ ସ୍ୱୀକାର କରି, ମହାରାଷ୍ଟ୍ର ଓ କେରଳରେ ଘଟିଥିବା ପୁନଃସଂକ୍ରମଣ ଜନିତ ସଙ୍କଟରୁ ବର୍ତ୍ତିପାରବା। ଉଭୟ ଜୀବନ ଓ ଜୀବିକାକୁ ନେଇ, କାହାର ମନରେ ପ୍ରସନ୍ନତା ଭାବ ପରିଲକ୍ଷିତ ହେଉନାହିଁ। କିଏ ଚାକିରି ହରାଇଛି ତ କାହାର ଦରମା କାଟ ଭଳି ସମସ୍ୟା ତ, ଆଉ କିଏ ଜୀବିକା ନିର୍ବାହ କରି ନ ପାରି ହାତ ବାନ୍ଧି ବସିଛନ୍ତି। ବଞ୍ଚିବା ପାଇଁ ବ୍ୟବହୃତ ଜିନିଷ ବ୍ୟତୀତ ଅନ୍ୟ କିଛି ବ୍ୟବହାର୍ଯ୍ୟ ଜିନିଷ କିଣିବାର ସାହସ ଜୁଟାଇ ପାରୁ ନାହାନ୍ତି। ପ୍ରତି ବର୍ଷ ଭଳି ବଜ଼ାର ହାଟ, ସପିଙ୍ଗ୍ ମଲ୍ ଆଗରେ ନା ଅଛି ଆକର୍ଷଣୀୟ ଅଫର୍ ବା ଉପହାର ବିଜ୍ଞାପନ,ନା ଆସିଛି ନୂଆ ନୂଆ ଡିଜାଇନର ପୋଷାକ ପତ୍ର। ବଜାରରେ ଦ୍ରବ୍ୟଠାରୁ ଚାହିଦାର ମାନ୍ଦାବସ୍ଥା ବେଶ୍ ବାରିହୋଇ ପଡୁଛି। ଦୋକାନ ଖୋଲା ଥିଲେ ମଧ୍ୟ ଗ୍ରାହକ ଜନିତ ଅଭାବ ସବୁଠାରେ ପରିଲକ୍ଷିତ ହେଉଛି। ଚାହିଦା ବଢାଇବାକୁ ହେଲେ ସରକାରଙ୍କ ଦ୍ୱାରା ବଜ଼ାରକୁ ଅର୍ଥ ପ୍ରବାହର ଆବଶ୍ୟକତାକୁ ଏଡାଇ ଦିଆଯାଇ ନ ପରେ। ସଦ୍ୟ ଘୋଷିତ କେନ୍ଦ୍ର ସରକାରଙ୍କ ଭ୍ରମଣ ଜନିତ ଖର୍ଚ୍ଚ ନତୁବା ଜିନିଷ ପତ୍ର ଖରିଦ୍ ପାଇଁ ଦଶ ହଜାର ଟଙ୍କାର ଅଗ୍ରୀମ ଉଠାଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେଲେ ମଧ୍ୟ ଏଥିରେ ସବୁ ବର୍ଗର ଲୋକ ଉପକୃତ ହେବେ ନାହିଁ। ବର୍ତ୍ତମାନର ସ୍ଥିତିରେ ପର୍ଯ୍ୟଟନ ସ୍ଥଳଗୁଡିକ ଶୁନ୍‌ଶାନ ହୋଇପଡିଛି। ପର୍ଯ୍ୟଟକଙ୍କ ଅନୁପସ୍ଥିତି ଅନେକଙ୍କୁ ବେରୋଜଗାର କରେଇ ଦେଇଛି। ସମସ୍ତଙ୍କ ମନର ନିରୁତ୍ସାହିତ ଭାବ, ଆଗାମୀ ଦିନର ସମ୍ଭାବନାର ସଠିକ୍ ଆକଳନ କରିବା ଦିଗରେ ସହାୟକ ହେଉନାହିଁ। ବିଜ୍ଞାନ ଯୁଗରେ ମଧ୍ୟ ବୈଦିକ ବା ଆଧ୍ୟାତ୍ମିକ ଶକ୍ତିର ଫଳପ୍ରଦ ହେବାର ଅନେକ ନଜିର ଅଛି। ମାନସିକ ସ୍ଥିତିକୁ ଆଖି ଆଗରେ ରଖି ବର୍ତ୍ତମାନ ପରିସ୍ଥିତିରେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଅଧିକ ଜାଗ୍ରତ କରାଇବାକୁ ପଡ଼ିବ। ଦୁର୍ଗତିନାଶିନୀ ମାଆଙ୍କ ଆଗମନ, ମହାମାରୀ ସଂକ୍ରମଣ ରୋକିବା ଦିଗରେ ବରଦାନ ଭଳି ସାବ୍ୟସ୍ତ ହେବ। ଗୃହବନ୍ଦୀ ରହି ମଧ୍ୟ ଘରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକରି ପାରିଲେ, ଭୟ ଜନିତ ମାନସିକ ସ୍ଥିତିରେ ଅହେତୁକ ପରିବର୍ତ୍ତନ ଆସିବ। ଫଳ ସ୍ୱରୂପ ଦୁର୍ଗା ସହସ୍ରନାମ, ଦୁର୍ଗା ଷଡ଼ାଷ୍ଟକ ପଠନ ବା ଉଚ୍ଚାରଣ ଘର ମଧ୍ୟରେ ଥିବା ଅନେକ ନକାରାତ୍ମକ ଶକ୍ତିକୁ ବିଦାୟ ଦେଵ,ଏଥିରେ ସନ୍ଦେହ ନାହିଁ। ମହାମାୟା, ଦୁର୍ଗତିନାଶିନୀ, ସଙ୍କଟତାରିଣୀ, ମାଆ ଦୁର୍ଗା ସବୁଦିନ ପାଇଁ କରୋନା ଭୁତାଣୁ ରୂପକ ରାକ୍ଷସକୁ ସଂହାର କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ସହିତ ଦୁଃଖ, ଶୋକ,ପାପ,ତାପ ନାଶନ କରନ୍ତୁ,ଏହା ହିଁ ହେଉ ଆମ ସମସ୍ତଙ୍କ ଅର୍ଘ୍ୟ ପୁଷ୍ପାଞ୍ଜଳି। ରାବଣ ପୋଡ଼ି ସହିତ କରୋନା ରାକ୍ଷସ ପୋଡି ଆଣୁ ସଂକ୍ରମଣର ଅନ୍ତ।
“ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମୋନମଃ।’’

ବିଶ୍ୱନାଥ କୁଟୀର,

ନୀଳକଣ୍ଠପୁର,ପୁରୀ

ajayakumarnanda@gmail.com

Comments are closed.