କଟକରେ ୧୫୫ଟି ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା

କଟକ ସହରରେ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। କରୋନା ସଂକ୍ରମଣ ଭୟ ଥିବାରୁ କୋଭିଡ୍‍ କଟକଣା ମଧ୍ୟରେ ଉଭୟ ପୂଜାମଣ୍ଡପ ଓ ଶକ୍ତିପୀଠଗୁଡ଼ିକରେ ପୂଜା ଅନୁଷ୍ଠିତ ହେଉଛି। ଶାରଦୀୟ ଷୋଡ଼ଶ ପୂଜାର ଉପଚାରରେ ଦେବୀଙ୍କୁ ଆରାଧନା ଓ ପୂଜାର୍ଚ୍ଚନା କରାଯାଉଛି। ଆଜି (ମଙ୍ଗଳବାର) ଗଡ଼ଚଣ୍ଡୀ ଓ କଟକଚଣ୍ଡୀଙ୍କ ପୀଠରେ ମହାଅଷ୍ଟମୀ ପୂଜାବ୍ରତ ଅନୁଷ୍ଠିତ ହୋଇଥିବା ବେଳେ ପୂଜା ମଣ୍ଡପଗୁଡ଼ିକରେ ଦେବୀଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି।

ଗଡ଼ଚଣ୍ଡୀ ଆଜି ଭକ୍ତଙ୍କୁ ମହାସରସ୍ୱତୀ ବେଶରେ ଦର୍ଶନ ଦେଇଥିବା ବେଳେ କଟକଚଣ୍ଡୀ ଆଜି ମହାକାଳୀ ବେଶରେ ସୁସଜ୍ଜିତ ହୋଇଛନ୍ତି। ଉଭୟ ଶକ୍ତିପୀଠ ଓ ପୂଜା ମଣ୍ଡପଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି। ଯେପରି ଭିଡ଼ ନହୁଏ ଓ କୋଭିଡ୍‍ କଟକଣା ସମସ୍ତେ ପାଳନ କରିବେ ସେ ଦିଗରେ ପ୍ରଶାସନ ବେଶ୍‍ ସଚେତନ ଥିବା ଜଣାପଡ଼ିଛି। ପୂଜା ମଣ୍ଡପଗୁଡ଼ିକରେ ପରଦା ଟଙ୍ଗାଯାଇଛି। ଭିତରେ ପୂଜାର୍ଚ୍ଚନା ଚାଲୁ ରହିଛି। ଚଳିତ ବର୍ଷ କଟକରେ ୧୫୫ଟି ମଣ୍ଡପରେ ୪ଫୁଟର ମୂର୍ତ୍ତି ପୂଜା ପାଉଛନ୍ତି।

Comments are closed.