ମାତୃରୂପେଣ ସଂସ୍ଥିତା

୧୯୪୮ ମସିହା ପାଖରୁ ପୁରୁଷୋତ୍ତମ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପ୍ରତିବର୍ଷ ବିଜୟା ଉପଲକ୍ଷେ ଆଶୀର୍ବାଣୀ ଦେଉଥିଲେ। ଏହା ମାଧ୍ୟମରେ ସେ ଶାରଦୀୟ ପୂଜାର ରହସ୍ୟ ଓ ଜଗନ୍ମାତାଙ୍କର ପ୍ରକୃତ ସ୍ୱରୂପ ସମ୍ବନ୍ଧରେ ବହୁ ତଥ୍ୟ ବ୍ୟକ୍ତ କରିଛନ୍ତି। ମହାମାୟାଙ୍କ ସମ୍ବନ୍ଧରେ ଜ୍ଞାନ-ତାପସ-ପ୍ରବୀଣ ଭକ୍ତବୃନ୍ଦଙ୍କ ସହ ବିଭିନ୍ନ ଆଲୋଚନା କରୁକରୁ ଦେଖାଯାଉଥିଲା ଶ୍ରୀଶ୍ରୀ ଠାକୁର ନିରବ, ଧ୍ୟାନ ଗମ୍ଭୀର ଓ ଊର୍ଦ୍ଧ୍ବନିମୀଳିତ ନୟନରେ ସମାଧିସ୍ଥ ହୋଇଯାଉଥିଲେ। ଅର୍ଥାତ୍‍ ସେତେବେଳେ ହିଁ ମହାମାୟା ସମ୍ପୃକ୍ତ ଭାବରାଶି ପ୍ରଭୁଙ୍କ ଚିଦ୍‍ ଜଗତରେ ତରଙ୍ଗ ସଞ୍ଚାରିତ କରି ଶ୍ରୀମୁଖରୁ ଝରଣାର ସ୍ରୋତ ଭଳି ନିର୍ଗତ ହେଉଥିଲା ଅପୂର୍ବ କମନୀୟ ଭାବ, ଭାଷା, ଛନ୍ଦ ଓ ତାଳର ଅନୁସରଣ ନେଇ। ଶ୍ରୀଶ୍ରୀ ଠାକୁର ଜଗଜ୍ଜନନୀ ମା’ଦୁର୍ଗାଙ୍କ ପୂଜା ଉତ୍ସବରେ କହିଛନ୍ତି- ଭଗବତୀ ପୂଜା ମୁଁ କରେ, ତା’ର ଅର୍ଥ- ନିଜ ମା’ଙ୍କର ଉପାସନା କରେ, ଆଉ ଏହି ମା’ ମୋର ଏପରି ଐଶ୍ୱର୍ଯ୍ୟଶାଳିନୀ-ଦଶ ପ୍ରହରଣୀ ଯାହାଙ୍କ ପାଖରେ ଅଚ୍ୟୁତ ଆନତି ହିଁ ମୋର ଦୁର୍ଗ, ସେହି ଆନତି ଭିତର ଦେଇ ଯେତେବେଳେ ମା’ଙ୍କ ଚରଣରେ ନିବେଦିତ ହୁଏ ସ୍ୱତଃ ସମ୍ବିତରେ, ସକ୍ରିୟତାରେ ସେତେବେଳେ ମା’ ମୋର ଦୁର୍ଗତିନାଶିନୀ ଦୁର୍ଗା। ଦୁନିଆର ସବୁକିଛି ତାଙ୍କ ଠାରୁ ଉଦ୍‍ଭିନ୍ନ ହୋଇଉଠିଛି। ସେ ହିଁ ଜଗଦ୍ଧାତ୍ରୀ, କାଳୀ, ପୁଣି ଏହି ଏକକେନ୍ଦ୍ରିକ ନିବେଶ ହିଁ ମୋର ଏହି ମା’, ଗର୍ଭଧାରିଣୀ-ଜନନୀ ଯାହାଙ୍କ ଠାରୁ ଉଦ୍‍ଭୁତ ହୋଇ ମୁଁ-ତ୍ୱ ଚେତନାରେ ସମ୍ବର୍ଦ୍ଧିତ ହୋଇଚାଲିଛି ରୂପରେ, ଗୁଣରେ, ସନ୍ତର୍ପଣରେ, ଚୁପ୍‌ ହୋଇ ଅଚଳ ଚଳନରେ ସଚଳ ହୋଇ ନିରବଚ୍ଛିନ୍ନତାରେ, ଆଉ ଏହା ଯେଉଁଠାରେ ସାଗ୍ନିକ, ସମ୍ବର୍ଦ୍ଧନୋଦୀପ୍ତ, ସେବାରେ ପରିରକ୍ଷଣାରେ, ପରିପୋଷଣରେ, ପରିପୂରଣ – ପରିଚେତନାରେ, ସ୍ୱତଃନିଷ୍ଠ – ଏହା ହିଁ ମା’ଙ୍କର ଜଗଜ୍ଜନନୀ ରୂପ।

ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର
ସହ-ପ୍ରତିଋତ୍ୱିକ ଓ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ
ମୋ : ୯୪୩୭୦୫୧୯୫୭

Comments are closed.