ରୂପେଲୀ ସହର କଟକର ଦଶହରା ; ଚାନ୍ଦି ମେଢକୁ ସୁନା ମୁକୁଟ

ହିନ୍ଦୁ ପରମ୍ପରାରେ ବାର ମାସରେ ତେର ପର୍ବ ବୋଲି କୁହାଯାଏ। ପ୍ରତ୍ୟେକ ପର୍ବପର୍ବାଣୀର ଅନେକ ବିଶେଷତ୍ୱ ରହିଛି। ବିଭିନ୍ନ ସ୍ଥାନ ନିଜର କିଛି ସ୍ୱତନ୍ତ୍ରତା ପାଇଁ ପ୍ରସିଦ୍ଧି ଲାଭ କରିଥାଏ ତାହା ମନ୍ଦିର ହେଉ ଅଥବା ପୂଜା। ସେଭଳି ଓଡ଼ିଶାର ରୂପେଲୀ ସହର ଭାବେ ପରିଚିତ କଟକର ଦଶହରା ସେଭଳି ବହୁ ପ୍ରସିଦ୍ଧ।
ଦୁର୍ଗାପୂଜା ଶକ୍ତି ଉପାସନାର ପର୍ବ।
‘’ଓଁ ସର୍ବମଙ୍ଗଳ ମାଙ୍ଗଲ୍ୟ
ଶିବେସର୍ବାର୍ଥ ସାଧିକେ
ଶରଣେ ତ୍ରବକେ ଗୌରୀ ନାରାୟଣୀ ନମସ୍ତୁତେ’’ ଶରତ ଋତୁର ଆଶ୍ୱିନ ମାସ ଶୁକ୍ଳପକ୍ଷରେ ମା’ଙ୍କ ପୂଜା ।
ମା’ଦଶଭୂଜା, ଜଗତଜନନୀ, ସିଂହବାହିନୀ, ଦୁର୍ଗତିନାଶିନୀ ମହିଷାମର୍ଦ୍ଧିନୀ ଦେବୀ ଦୁର୍ଗା। ବିଶେଷ କରି ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ଓ ଶେଷ ଦିନ ବିଜୟା ଦଶମୀ ମା’ଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏହା ପାଳନ ହେଉଥିଲେ ମଧ୍ୟ ଦେଶ ଓ ରାଜ୍ୟ ବାହାରୁ ଲୋକେ ଏହି ଦଶହରା ଦେଖିବାକୁ କଟକ ଆସିଥାଆନ୍ତି। ଏହା କଟକର ଏକ ମୁଖ୍ୟ ପର୍ବ। କଟକର ଅଧିକାଂଶ ସ୍ଥାନରେ ଚାନ୍ଦିମେଢ କରାଯାଏ। ଏହାସହ ମା’ଙ୍କର ଅଳଙ୍କାର ସୁନାର ଓ ମୁକୁଟ ମଧ୍ୟ କେତେକ ସ୍ଥାନରେ ସୁନାର ହୋଇଥାଏ। ପୂଜା ସମୟରେ ହିଁ ମା’ଙ୍କୁ ରୂପା ଓ ସୁନାର ଅଳଙ୍କାର ପିନ୍ଧାଯାଇଥାଏ। କାରିଗରଙ୍କ ହସ୍ତକଳାରେ ନିର୍ମିତ ମା’ଙ୍କ ମୂର୍ତ୍ତି ଦର୍ଶନ କରିବା ବେଳେ ଆଖି ଲାଖିଯାଏ। କେତେକ ସ୍ଥାନରେ ସୁନେଲି ରଙ୍ଗର ଜରିରେ ସଜ୍ଜିତ ମେଢ ମଧ୍ୟ କରାଯାଇଥାଏ। ଏହି ସମସ୍ତ ପ୍ରକାର ମେଢ ଓ ମା’ମୂର୍ତ୍ତିଙ୍କ ମୁଖ୍ୟଆକର୍ଷଣ। ଏତଦ ବ୍ୟତୀତ ପ୍ରତ୍ୟେକ ସ୍ଥାନର ଥିବା ଭଳିକି ଭଳି ରଙ୍ଗବେରଙ୍ଗର ଆଲୋକ, ବୃହତ୍ତକାୟ ତୋରଣ ଦେଖିବାକୁ ମଧ୍ୟ ବେଶ ଭିଡ଼ ପରିଲକ୍ଷିତ ହୋଇଥାଏ। ମା’ଙ୍କ ପୂଜାର୍ଚ୍ଚନା ସମୟରେ ସ୍ୱତନ୍ତ୍ର ନିତୀନିୟମର ପାଳନ କରାଯାଏ। ବ୍ରାହ୍ମଣ, ପଣ୍ଡିତଙ୍କ ଶ୍ଲୋକରେ ଚତୁର୍ଦ୍ଦିଗରେ ଆଧ୍ୟାତ୍ମିକର ପରିବେଶ ସୃଷ୍ଟି ହୋଇଥାଏ। ସକାଳୁ ଆରମ୍ଭ କରି ରାତି ଯାକ ଲୋକେ ବୁଲାବୁଲି କରିବା ସହ ମା’ଙ୍କ ଦର୍ଶନ କରିଥାଆନ୍ତି। ଭୋଗ ଆଦି ଖାଇବା ସହ ମା’ଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ଦୁଃଖ ଦୂର ପାଇଁ ମା’ଜଗତଜନନୀଙ୍କ ନିକଟରେ ପ୍ରାର୍ଥନା କରିଥାଆନ୍ତି।
କଟକର ରାଣୀହାଟ,କଲେଜଛକ, ଚାଉଳିଆଗଞ୍ଜ, ମଙ୍ଗଳାବାଗ, ଶିଖରପୁର, ମାଲଗୋଦାମ, ଚାନ୍ଦିନୀଚୌକ, ଶେଖ ବଜାର, ଅଲିସା ବଜାର, ହରିପୁର-ଦୋଳମୁଣ୍ଡାଇ, ବାଲୁ ବଜାର, ଚୌଦୁରୀ ବଜାର, ଖାନବଜାର, ଜୋବ୍ରା ବେଶ ପ୍ରସିଦ୍ଧ।
ସେହିପରି କଟକ ବହୁ ଶକ୍ତିପୀଠରେ ମଧ୍ୟ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଚଣ୍ଡୀମନ୍ଦିର, ଗଡ଼ଚଣ୍ଡୀମନ୍ଦିର, ଚାଉଳିଆଗଞ୍ଜ, ଝାଞ୍ଜିରମଙ୍ଗଳା, ମଙ୍ଗଳାବାଗ, ପିଠାପୁର, ଦୋଳମୁଣ୍ଡାଇ, ତେଲେଙ୍ଗାବଜାର, ହରିପୁର ପ୍ରଭୃତି ସ୍ଥାନରେ ମା’ଙ୍କ ଆରାଧନା କରାଯାଏ।
ପୂଜାମଣ୍ଡପ ଓ ଶକ୍ତିପୀଠମାନଙ୍କରେ ସାଜସଜ୍ଜାରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ।ଏହାସହ ବିଭିନ୍ନ ଶୈଳୀରେ ବୃହତ୍ତାୟ ତୋରଣ ତିଆରି କରାଯାଏ। ଯାହା ଏକ ମୁଖ୍ୟ ଆକର୍ଷଣ। ଏତଦ ବ୍ୟତୀତ ଲୋକଙ୍କ ମାନଙ୍କ ପାଇଁ ମୋଲୋଡ଼ିର ମଧ୍ୟ ଆୟୋଜନ କରାଯାଏ। ପୂର୍ବ କିଛି ବର୍ଷ ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ପାହାଡ଼ ଉପରେ ମନ୍ଦିର ଆକୃତିର ତୋରଣ, ଗେଟୱେ ଅଫ ଇଣ୍ଡିଆ, ଭଳି ଖୁବ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ କରାଯାଇଥିଲା।

Comments are closed.