ମନ୍ତ୍ରୀ ପ୍ରତାପଙ୍କ ସ୍ୱରରେ ପିଏସଓ କହି ଠକୁଥିବା ଯୁବକ ଅଟକ

ନର୍ଲା: ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସଚିବ (ପିଏସଓ) ପରିଚୟ ଦେଇ ନର୍ଲା ଅଞ୍ଚଳରେ ଠକାମୀ କରୁଥିବା ଜଣେ ଯୁବକକୁ ପୁଲିସ ଅଟକ ରଖି ଅଧିକ ପଚାର ଉଚୁରା କରୁଛି। ସେହି ବ୍ୟକ୍ତି ଜଣକ ନକଲି ବୋଲି ଜାଣିବା ପରେ ନର୍ଲା ବ୍ଲକ ଅଧ୍ୟକ୍ଷା ଆଜି (ସୋମବାର) ନର୍ଲା ଥାନରେ ଅଭିଯୋଗ କରିବା ସହ ଉକ୍ତ ବ୍ୟକ୍ତିଙ୍କୁ ଜିମା ଦେଇଛନ୍ତି।

ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଭିଯୋଗ ଅନୁସାରେ ଗତ ୩୦ ତାରିଖରେ ୮୫୧୧୪୫୩୫୬୮ ଓ ୭୦୭୭୧୨୪୧୨୭ ନମ୍ବରରେ ଫୋନକଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପିଏସଓ ପରିଚୟ ଦେଇ ସେ ମନ୍ତ୍ରୀଙ୍କ ସହ କଥା ହେବାକୁ କହି ଅବିକଳ ମନ୍ତ୍ରୀଙ୍କ ସ୍ବରରେ କଥା ହେଉଥିବା ଜଣେ ବ୍ୟକ୍ତିଙ୍କୁ ଫୋନ ପ୍ରଦାନ କଲେ। ଏହାପରେ ମନ୍ତ୍ରୀ (ନକଲି) ବ୍ଲକ ଅଧକ୍ଷାଙ୍କୁ କହିଥିଲେ କି, ଆସନ୍ତାକାଲି ସେ ନର୍ଲା ବ୍ଲକ ପରିଦର୍ଶନ କରିବାକୁ ଆସୁଛନ୍ତି। କିନ୍ତୁ ଆସିନଥିଲେ। ଏହାପରେ ୪ ତାରିଖ ଦିନ ମନ୍ତ୍ରୀଙ୍କ ସ୍ବରରେ କଥା ହେଉଥିବା ବ୍ୟକ୍ତି କହିଲେ ମୁଁ କେସିଙ୍ଗାରେ ଅଛି। ଏହାପରେ ବ୍ଲକ ଅଧ୍ୟକ୍ଷା ମନ୍ତ୍ରୀ କେସିଙ୍ଗାରେ ଥିବା କଥା ନିଜ ସ୍ବାମୀ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତୀଙ୍କୁ ଜଣାଇଥିଲେ। ବ୍ଲକ ଉପାଧ୍ୟକ୍ଷ ଉକ୍ତ ନମ୍ବରରେ ଫୋନ କରିଥିଲେ ଓ ସେ ଫୋନ ଉଠାଇଥିବା ଲୋକ କହିଲେ ମୁଁ ଅବିନାସ ନାହକ, ମନ୍ତ୍ରୀ ପ୍ରତାପ ଜେନାଙ୍କ ପିଏସଓ, ମନ୍ତ୍ରୀ ମୋତେ କେସିଙ୍ଗାରେ ଛାଡି ଚାଲିଗଲେ ଓ ଆପଣଙ୍କ ନର୍ଲା ଅଞ୍ଚଳର ବିଭିନ୍ନ ସମସ୍ୟା ବୁଝିବାପାଇଁ କହିଛନ୍ତି। ଏହାପରେ ମନ୍ତ୍ରୀଙ୍କ କଲ (ନକଲି) ଆସିଥିଲା ଓ ପିଏସଓଙ୍କୁ ଦାଇତ୍ବ ଦେଇଛି ସେ ସବୁ ବୁଝିବେ ବୋଲି କହିଥିଲେ।

ଏହାପରେ ବ୍ଲକ ଉପାଧ୍ୟକ୍ଷ ଅବିନାସକୁ କେସିଙ୍ଗାରୁ ନିଜ ଘରକୁ ଆଣି ରଖିଥିଲେ। ନିଜକୁ ମନ୍ତ୍ରୀଙ୍କ ପିଏସଓ ବୋଲି ପରିଚୟ ଦେଉଥିବା ଅବିନାସ ନାହାକ ବ୍ଲକ ଅଧ୍ୟକ୍ଷାଙ୍କ ଗାଡିରେ ନର୍ଲା ବ୍ଲକ, ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଡଧାରପୁର ଓ ଶାନ୍ତପୁର ପଞ୍ଚାୟତ ପରିଦର୍ଶନ କରିଥିଲେ। ଏହି ସମୟରେ ନର୍ଲା ବ୍ଲକ ଅଧ୍ୟକ୍ଷ୍ୟା, ଉପାଧ୍ୟକ୍ଷ ଓ ସମିତି ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ପରବର୍ତ୍ତି ସମୟରେ ଅବିନାସର ଚାଲି ଚଳନରେ ସଂଦେହ ହେବାରୁ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ତାଙ୍କ ପରିଚୟ ପତ୍ର ମାଗିଥିଲେ। ଏଥିରେ ସେ ଭୟଭିତ ହୋଇ କହିଥିଲେ ଯେ ମୋର ଘର ବ୍ରହ୍ମପୁର ଓ ଭୁବନେଶ୍ବରର ଜଣେ ମହିଳାଙ୍କ ପରାମର୍ଶ କ୍ରମେ ତାଙ୍କ ଡ୍ରାଇଭରଙ୍କ ସହ ମିଶି ଷଢଯନ୍ତ୍ର କରିଥିଲୁ। ଯେଉଁଥିରେ କି ନର୍ଲା ବ୍ଲକ ଅଧ୍ୟକ୍ଷାଙ୍କ ଗୁପ୍ତତଥ୍ୟ ସଂଗ୍ରହ କରିବାର ଥିଲା। ଏହା ସହ ଅବିନାସ କହିଛିଯେ, ମୁଁ ନିଜେ ହିଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବରରେ କଥା ହେଇଥିଲି। ଏହାପରେ ବ୍ଲକ ଅଧ୍ୟକ୍ଷା ଉକ୍ତ ବ୍ୟକ୍ତିଙ୍କୁ ନେଇ ନର୍ଲା ଥାନାରେ ଜିମା ଦେଇଥିଲେ। ନର୍ଲା ପୋଲିସ ଏନେଇ ଅଭିଯୁକ୍ତ ଅବିନାସ ନାହାକଙ୍କୁ ପଚରା ଉଚୁରା କରୁଛି।

Comments are closed.