ଚୀନ୍‌‌ର ନକଲି ଅଣ୍ଡା ବ୍ୟବସାୟ

ପ୍ରତ୍ୟେକ ଜିନିଷକୁ ନକଲ କରିବାରେ ଚୀନ୍‌‌ ସିଦ୍ଧହସ୍ତ କହିଲେ ଭୁଲ ହେବନାହିଁ। ପ୍ରୋଟିନ୍ ଭରପୂର ଅଣ୍ଡା ମଧ୍ୟ ନକଲି ଭାବେ ଚୀନ୍‌‌ରେ ବିକ୍ରି ହେଉଛି। ଚୀନ୍ ଯାଉଥିବା ପର୍ଯ୍ୟଟକ ଏ ବାବଦରେ ସଚେତନ ରୁହନ୍ତୁ, ସେମାନେ ପ୍ରକୃତରେ ଅଣ୍ଡା ଖାଉଛନ୍ତି କି ନକଲି ଅଣ୍ଡା। କିଛି ବର୍ଷ ତଳେ ସେଠାକାର ଗୁଆନ୍‌‌ଝୋ ପ୍ରାନ୍ତରେ ପ୍ରଥମେ ଏହି ନକଲି ଅଣ୍ଡା ସରକାରୀ କର୍ମଚାରୀ ଚିହ୍ନଟ କରିଥିଲେ। କେହି ବିଶ୍ବାସ କରିପାରିନଥିଲେ ଯେ ଅଣ୍ଡାର ମଧ୍ୟ ନକଲ କରାଯାଇ ଅଣ୍ଡା ବଜାରରେ ବିକ୍ରି ଚାଲିଛି। ଚୀନ୍‌‌ର ଏହି ବ୍ୟବସାୟ ବ୍ୟାପୀ ଭାରତ ଓ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରରେ ପହଞ୍ଚିସାରିଥିଲା। ଚୀନ୍‌‌ରେ ଅଣ୍ଡା ୧୨ଟିର ମୂଲ୍ୟ ୧୫୪ ଟଙ୍କା ଥିବାବେଳେ ନକଲି ଅଣ୍ଡା ୧୨ଟିର ମୂଲ୍ୟ ମାତ୍ର ୧୪ ଟଙ୍କା। ବିଶେଷ କରି ରେସ୍ତୋରାଁ ଓ ଗରିବ ବର୍ଗର ଲୋକ ନ ବୁଝିବଚାରି ଏହି ନକଲି ଅଣ୍ଡା କିଣୁଛନ୍ତି। ନକଲି ଅଣ୍ଡା ପ୍ରସ୍ତୁତି ନିମନ୍ତେ ଜିଲାଟିନ୍, ବେଞ୍ଜୋଇକ୍ ଏସିଡ୍, ଆଲମ୍ ଓ ଅନ୍ୟ କେତେ ପ୍ରକାରର ରାସାୟନିକ ତତ୍ତ୍ବର ଉପଯୋଗ ହୋଇଥାଏ। ଏ ସମସ୍ତ ତତ୍ତ୍ବ ସ୍ବାସ୍ଥ୍ୟ ପାଇଁ ଖୁବ୍ ହାନିକାରକ। ହଂକଂ ଗବେଷକଦଳଙ୍କ ମତରେ ନକଲି ଅଣ୍ଡା ନିୟମିତ ଖାଇଲେ ଡିମେନ୍‌ସିଆ ହେବାର ଆଶଙ୍କା ସବୁଠୁ ଅଧିକ। ନକଲି ଅଣ୍ଡାର କୁପ୍ରଭାବ ଜାଣିବା ସତ୍ତ୍ବେ ଚୀନ୍‌ରେ ଏହାର ବିକ୍ରି ଆଦୌ ପ୍ରଭାବିତ ହୋଇନାହିଁ।

Comments are closed.