ଶିକ୍ଷାରୁ ବଞ୍ଚିତ ହେବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ !

ନୂଆଦିଲ୍ଲୀ/ଭୁବନେଶ୍ବର : ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ସୃଷ୍ଟି କରିଛି କରୋନା। ଅଧାରୁ ଏମାନଙ୍କ ପାଠପଢା ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦେଶର ପାଖାପାଖି ୫୬.୫% ଛାତ୍ରଛାତ୍ରୀ ଏବେ ଏହି ଇ-ଶିକ୍ଷାଦାନରେ ସାମିଲ ହେବା ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଡିଷ୍ଟାନ୍ସ ଲର୍ଣ୍ଣିଂ ପାଠ୍ୟକ୍ରମରେ ଅଭିଜ୍ଞତା ନ ଥିବାରୁ ୭୭% ପିଲା ଅନ୍‌ଲାଇନ କ୍ଲାସ ସହିତ ଯୋଡି ହୋଇ ନ ପାରି ପାଠପଢାରେ ପଛରେ ପଡିଯାଉଛନ୍ତି। ଅନ୍ୟପଟେ କରୋନା କାରଣରୁ ଯେଭଳି ସାମାଜିକ ଓ ଶିକ୍ଷା ସମ୍ବନ୍ଧୀୟ ସ୍ଥିତି ଉପୁଜିଛି ତାହାର ମୁକାବିଲା କରିବାରେ ୭୧% ଛାତ୍ରଛାତ୍ରୀ ସକ୍ଷମ ହୋଇପାରୁ ନାହାନ୍ତି। ଶନିବାର ଉନ୍ମୋଚିତ ‘ଭାରତରେ ଡିଜିଟାଲ ଶିକ୍ଷା ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀ’ ସମ୍ବନ୍ଧୀୟ ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ସାମାଜିକ ସଂସ୍ଥା ସ୍ବାଭିମାନ ଏବଂ ଭିନ୍ନକ୍ଷମଙ୍କ ନିଯୁକ୍ତି ଦିଗରେ କାମ କରୁଥିବା ଜାତୀୟ କେନ୍ଦ୍ରର ପୂର୍ବାଞ୍ଚଳ ୟୁନିଟ ଏନସିପିଇଡିପି ପକ୍ଷରୁ ମିଳିତ ଭାବେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ସର୍ଭେ ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏନସିପିଇଡିପି ହେଉଛି ଭିନ୍ନକ୍ଷମ, ବିଶେଷକରି ଶିଶୁଙ୍କ ଅଧିକାର ପାଇଁ କାମ କରୁଥିବା ସିଏଫଏଆର (ସେଣ୍ଟର ଫର ଆଡଭୋକେସି ଆଣ୍ଡ ରିସର୍ଚ୍ଚ)ର ଅଂଶୀଦାର। ଓଡ଼ିଶାରେ ସ୍ବାଭିମାନ ଏନସିପିଇଡିପିର ଅଂଶୀଦାର ରହିଛି। ସମ୍ପ୍ରତି କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ଜାରି ରଖିବା ଲାଗି ସରକାର ଅନ୍‌ଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରିବା ସହ ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି; କିନ୍ତୁ ଏହା ସହିତ ଖାପ ଖୁଆଇ ପାରୁନାହାନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ। ସ୍ବାଭିମାନର ଡାକ୍ତର ଶୃତି ମହାପାତ୍ର କହିଛନ୍ତି ଯେ ସରକାରୀ ସ୍କୁଲଗୁଡିକରେ ଗରିବ ଘରର ପିଲାମାନେ ପାଠ ପଢୁଥିବାବେଳେ ବହୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିକଟରେ ଅନ୍‌ଲାଇନ କ୍ଲାସ ପାଇଁ ଆବଶ୍ୟକ ପଡୁଥିବା ଅତ୍ୟାଧୁନିକ ସ୍ମାର୍ଟଫୋନ ନାହିଁ। ଅନ୍ୟପଟେ ଏହି ବର୍ଗର ଅଭିଭାବକମାନେ ସ୍ମାର୍ଟଫୋନର ଟେକ୍ନୋଲୋଜି ସହିତ ମଧ୍ୟ ଭଲଭାବେ ଅବଗତ ନାହାନ୍ତି। ସେହିଭଳି କେତେକ କ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ପ୍ରଶିକ୍ଷିତ ହୋଇ ନ ଥିବାରୁ ଭିନ୍ନକ୍ଷମ ପିଲାମାନଙ୍କୁ ସେ ନିତ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ଏହି ପିଲାମାନେ ଅନେକ ସମୟରେ ପକ୍ଷପାତିତାର ଶିକାର ହେଉଛନ୍ତି ବୋଲି ଏନସିପିଇଡିପିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅରମାନ ଅଲ୍ଲୀ କହିଛନ୍ତି। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏଭଳି ଘଡିସନ୍ଧି ସମୟରେ ଭଲ ଭାବେ ଶିକ୍ଷାଦାନ କରିବା; ବିଶେଷକରି ଏମାନଙ୍କ ପାଇଁ କାମ କରୁଥିବା ସଂସ୍ଥା, ଅଭିଭାବକ, ସ୍କୁଲ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି।ରିପୋର୍ଟ ଅନୁସାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଯୁକ୍ତ ଧ୍ୟାନ ଦେଉ ନ ଥିବା ୯୦% ଅଭିଭାବକ କହିଛନ୍ତି। ୮୬% ଟେକ୍ନୋଲୋଜି ସମ୍ବନ୍ଧରେ ଅବଗତ ନ ଥିବା କହିଛନ୍ତି। ନିଜେ ଅନଭିଜ୍ଞ ଥିବା କାରଣୁ ନିଜର ପିଲାଙ୍କୁ କିଭଳି ଅନଲାଇନ କ୍ଲାସ ସମ୍ବନ୍ଧରେ ବୁଝାଇବେ ତାହା ସେମାନେ ଜାଣିପାରୁ ନ ଥିବା ପାଖାପାଖି ୭୬% ମା’ ପ୍ରକାଶ କରିଛନ୍ତି। ସର୍ବୋପରି ଅନଲାଇନ ପାଠପଢା ପାଇଁ ଜରୁରୀ ଶିକ୍ଷା ସମ୍ବନ୍ଧୀୟ ପର୍ଯ୍ୟାପ୍ତ ସାମଗ୍ରୀ ଯୋଗାଣରେ ଅଭାବ ରହିଥିବା ୮୧% ଶିକ୍ଷକଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି। ୬୪% ପିଲାଙ୍କ ନିକଟରେ ସ୍ମାର୍ଟ ମୋବାଇଲ ଫୋନ ଓ କମ୍ପ୍ୟୁଟର ନ ଥିବା ସେମା‌େ‌ନ ସୂଚନା ଦେଇଛନ୍ତି।

କେତେକ ସ୍ଥାନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ଭଳି ସାମଗ୍ରୀ ଯୋଗାଇ ଦିଆଯାଉଥିବା ଦେଖାଯାଇଛି। ଲ୍ୟାପଟପ, ସ୍ମାର୍ଟଫୋନ କିମ୍ବା ଟ୍ୟାବ ଯୋଗାଇ ଦିଆଯାଉ ବୋଲି ୬୭% ଛାତ୍ରଛାତ୍ରୀ ଇଚ୍ଛା ପ୍ରକାଶ କରିଛନ୍ତି। ଭିନ୍ନକ୍ଷମ ପିଲାଙ୍କ ପାଇଁ ଷ୍ଟଡି ମ୍ୟାଟେରିଆଲ ବ୍ୟବସ୍ଥା ଉପଯୁକ୍ତ ହେବ ବୋଲି ମଧ୍ୟ ୭୭% ଅଂଶଗ୍ରହଣକାରୀ କହିଛନ୍ତି। ଏହି ସର୍ଭେ ବେଳେ ଅନଲାଇନ କ୍ଲାସ ସମ୍ବନ୍ଧୀୟ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ଭିନ୍ନକ୍ଷମ ପିଲାଙ୍କୁ ଗୋଟିଏ ଦଳରେ ନେଇ ଶିକ୍ଷାଦାନ କରିବା ସମ୍ଭବ ନୁହେଁ। ଏଣୁ ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ ଉଚିତ। ଏଥିସହ ଏହି ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବା, ଏମାନଙ୍କୁ ସମାନ ସୁବିଧା ଦେବା ସହିତ ସେମାନଙ୍କ ଅଭିଭାବକମାନଙ୍କୁ ଟେକ୍ନୋଲୋଜି ଦିଗରେ ଜ୍ଞାନ ପ୍ରଦାନ ପୂର୍ବକ ଅଧିକ ସଶସ୍ତ୍ରୀକରଣ କରିବା ଜରୁରୀ ବୋଲି ଡାକ୍ତର ମହାପାତ୍ର ମତ ଦେଇଛନ୍ତି।

Comments are closed.