୧୫୧ ପ୍ରବାସୀ ଓଡ଼ିଆଙ୍କୁ ନେଇ ଦୁବାଇରୁ ଭୁବନେଶ୍ବର ଆସିଲା ବିମାନ

ଭୁବନେଶ୍ୱର: ଦୁବାଇରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଅଭିଯାନରେ ଆଜି ଏହି ବିମାନରେ ୧୫୧ଜଣ ଯାତ୍ରୀ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରାତି ୯ଟା ୧୫ରେ ପହଞ୍ଚିଥିବା ସୂଚନା ମିଳିଛି। ସେଥିରେ ୨ ଜଣ ଶିଶୁ ରହିଛନ୍ତି। ଯାତ୍ରୀମାନେ ବିମାନ ବନ୍ଦରରେ ଓହ୍ଲାଇବା ପରେ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ସେମାନଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି।
ସୂଚନା ଯୋଗ୍ୟ ଯେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଓଡ଼ିଶାର ୧୨ଟି ଜିଲ୍ଲାର ୧୫୧ ଜଣ ପ୍ରବାସୀ ଫେରିଥିବା ଜଣାଯାଇଛି। କରୋନା ଭୂତାଣୁ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶରେ ଲକଡାଉନ ହେବା ପରେ ବିଦେଶରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପ୍ରଥମ ଥର ପାଇଁ ବିମାନ ଆସିଛି। ଏଥିରେ ଦୁବାଇରେ ଫସିଥିବା ପ୍ରବାସୀ ଓଡ଼ିଆ ଆସିଛନ୍ତି। ଆଗମୀ ଦିନରେ ଅନ୍ୟ ଦେଶରୁ ମଧ୍ୟ ପ୍ରବାସୀ ଓଡ଼ିଆମାନେ ଆସିବେ ବୋଲି ଜଣାପଡ଼ିଛି।
ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନ ବନ୍ଦରରେ ଯାତ୍ରୀମାନେ ଓହ୍ଲାଇବା ପରେ ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଛି। ଏହାପରେ ସେମାନଙ୍କ ହାତରେ କ୍ବାରେଣ୍ଟାଇନ୍‌ ଷ୍ଟାମ୍ପ ଲଗାଇବା ସହ ସେମାନଙ୍କୁ ସାମାଜିକ ଦୂରତାରେ ବିମାନ ବନ୍ଦର ବାହାରକୁ ଛଡ଼ାଯାଇଛି। ଇମିଗ୍ରେସନ୍‌ରେ ଯେପରି ସେମାନଙ୍କର କୌଣସି ସମସ୍ୟା ନ ହୁଏ ସେଥିପାଇଁ ସମସ୍ତ ଅଧିକାରୀ ଓ ସିଆଇଏସ୍‌ଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି।
ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଦୁବାଇରେ ଫସି ରହିଥିବା ଆଉ ୧୨୧ଜଣ ୧୯ତାରିଖରେ ଭୁବନେଶ୍ବର ଅଣାଯିବଏବଂ କ୍ବାଲାଲମ୍ପୁରରେ ଥିବା ଓଡ଼ିଆଙ୍କୁ ମେ ୨୦ରେ ଆସିବେ। ଆମେରିକାର ଚିକାଗୋ ସହରରୁ ମଧ୍ୟ କିଛି ପ୍ରବାସୀ ଓଡ଼ିଆ ଆସିବାର ଅଛି। ସେମାନଙ୍କୁ ମେ ୩୦ ତାରିଖରେ ଭାୟା ନୂଆଦିଲ୍ଲୀ ଦେଇ ଅଣାଯିବ। ଯେଉଁମାନେ ରାଜ୍ୟ ସରକାରଙ୍କ କୋଭିଡ-୧୯ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିଛନ୍ତି କେବଳ ସେମାନଙ୍କୁ ଅଣାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.