MEllora 950×100

ଡାକ୍ତରଙ୍କ ଦ୍ୱୈତ କ୍ଷମତା ହଟିଲା

କଟକ : ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମେଡିକାଲ କଲେଜଗୁଡିକରେ ଭାରପ୍ରାପ୍ତରେ ଚାଲିଥିବା ଅଧୀକ୍ଷକ ଓ ଅଧ୍ୟକ୍ଷ ପଦ ବ୍ୟବସ୍ଥା ଉଠାଇ ଦିଆଯାଇଛି । କୌଣସି ମେଡିକାଲ କଲେଜରେ ଭାରପ୍ରାପ୍ତ ଅଧୀକ୍ଷକ କି ଅଧ୍ୟକ୍ଷ ରହିବେ ନାହିଁ। ଅନ୍ୟ ବିଭାଗ ପରି ମେଡିକାଲ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ଓ ଅଧୀକ୍ଷକ ନିଯୁକ୍ତି ହେବେ।
ସରକାରୀ ମେଡିକାଲ କଲେଜଗୁଡିକରେ ଅନେକ ପ୍ରଫେସର ଏକାଧିକ ପଦରେ ରହି ଦ୍ୱୈତ କ୍ଷମତା ଉପଭୋଗ ବ୍ୟବସ୍ଥା ସ୍ବାସ୍ଥ୍ୟ ବିଭାଗ ଉଚ୍ଛେଦ କରିଛି। ଦୀର୍ଘବର୍ଷ ଧରି ଜଣେ ପ୍ରଫେସର ବିଭାଗୀୟ ମୁଖ୍ୟ ସହିତ ମେଡିକାଲର ଅଧ୍ୟକ୍ଷ/ଅଧୀକ୍ଷକ ପଦରେ ରହୁଥିଲେ। ଅନେକ ମେଡିକାଲ କଲେଜରେ ଏକାଧିକ ପ୍ରଫେସର ପ୍ରଶାସନିକ ପଦରେ ରହି ମଧ୍ୟ ବିଭାଗୀୟ ମୁଖ୍ୟଭାବେ କାର୍ଯ୍ୟ କରୁଥିଲେ। ଜଣେ ପ୍ରଫେସରଙ୍କ ହାତରେ ଯୁଗ୍ମ ଦାୟିତ୍ୱ ରହୁଥିବାରୁ ଉଭୟ ପ୍ରଶାସନିକ ଓ ରୋଗୀସେବା ପ୍ରଭାବିତ ହେଉଥିଲା। ଏଣିକି ଜଣେ ପ୍ରଫେସର ଗୋଟିଏ ପଦରେ ରହିବେ। ବିଭାଗୀୟ ମୁଖ୍ୟ କିମ୍ବା ପ୍ରଫେସର ଥିବା ଜଣେ ଡାକ୍ତର ଆଉ ଦୁଇଟି ପଦରେ ରହିପାରିବେ ନାହିଁ।
ବିଭାଗୀୟ ମୁଖ୍ୟ କିମ୍ବା ପ୍ରଶାସନିକ ପଦରୁ ଗୋଟିଏରେ ହିଁ ଜଣେ ପ୍ରଫେସର ରହିବେ। ଏଥିନେଇ ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦ୍ୱୈତ ପଦରେ ଥିବା ଅନେକ ପ୍ରଫେସରଙ୍କୁ ଗୋଟିଏ ପଦରୁ ହଟାଇ ଦିଆଯାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ମେଡିକାଲ କଲେଜରେ କାର୍ଯ୍ୟରତ କେତେକ ଅଧୀକ୍ଷକ ଓ ଅଧ୍ୟକ୍ଷଙ୍କୁ ବଦଳି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ମେଡିକାଲ କଲେଜର ଅଧୀକ୍ଷକ ଏବଂ କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଥିବା ଡା. ନିର୍ମଳଚନ୍ଦ୍ର ସାହାଣିଙ୍କୁ ଦ୍ୱୈତ ପଦରୁ ହଟାଇ ଦିଆଯାଇ କେବଳ ଅଧୀକ୍ଷକ ପଦରେ ଅବସ୍ଥାପିତ କରାଯାଇଛି। ବଲାଙ୍ଗିର ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡା. ମାନସୀ ପଣ୍ଡାଙ୍କୁ ମେଡିକାଲର ଅଧୀକ୍ଷକଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବାରିପଦା ମେଡିକାଲ କଲେଜର ଶରୀରତତ୍ତ୍ୱ ବିଭାଗର ପ୍ରଫେସର ଏବଂ ଡାକ୍ତରୀ ଶିକ୍ଷା ଓ ତାଲିମ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦେଶକ ଥିବା ଡା. ରମାରମଣ ମହାନ୍ତି ଡାକ୍ତରୀ ଶିକ୍ଷା ଓ ତାଲିମ କେନ୍ଦ୍ରର ନିର୍ଦେଶକ ପଦରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କଠାରୁ ବିଭାଗୀୟ ପ୍ରଫେସର ପଦ କାଢି ନିଆଯାଇଛି। ସେହିପରି ବାଲେଶ୍ୱର ମେଡିକାଲ କଲେଜର ଏଫଏମଟି ବିଭାଗ ପ୍ରଫେସର ସହିତ ଭାରପ୍ରାପ୍ତ ଦାୟିତ୍ୱରେ ଅତିରିକ୍ତ ଡିଏମଇଟି ପଦରେ ଥିବା ଡା. ବ୍ରଜକିଶୋର ଦାସଙ୍କଠାରୁ ପ୍ରଫେସର ପଦ ହଟାଇ ନିଆଯାଇ ଅତିରିକ୍ତ ଡିଏମଇଟିଭାବେ ନିଯୁକ୍ତି ମିଳିଛି। ଡା. ଉମାକାନ୍ତ ଶତପଥୀଙ୍କୁ ଅତିରିକ୍ତ ଡିଏମଇଟିଭାବେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଏସସିବି ମେଡିକାଲ କଲେଜ ସ୍କିନ ଓ ଭିଡିର ପ୍ରଫେସର ଡା. ପ୍ରସେନଜିତ ମହାନ୍ତିଙ୍କୁ ମେଡିକାଲ କଲେଜର ଅଧ୍ୟକ୍ଷଭାବେ ଅବସ୍ଥାପିତ କରାଯାଇଛି। ଡା. ଅବନୀକାନ୍ତ ମିଶ୍ରଙ୍କୁ ବ୍ରହ୍ମପୁର ମେଡିକାଲ କଲେଜର ସ୍ଥାୟୀ ଅଧ୍ୟକ୍ଷ ଓ ଡା. ସନ୍ତୋଷକୁମାର ମିଶ୍ର ଅଧୀକ୍ଷକଭାବେ ଅବସ୍ଥାପିତ ହୋଇଛନ୍ତି। କୋରାପୁଟ ମେଡିକାଲ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ସହିତ ରଞ୍ଜନରଶ୍ମି ବିଭାଗର ପ୍ରଫେସର ଥିବା ଡା. କୃଷ୍ଣଚନ୍ଦ୍ର ବିଶ୍ୱାଳଙ୍କୁ ଉକ୍ତ ମେଡିକାଲ କଲେଜର ସ୍ଥାୟୀ ଅଧ୍ୟକ୍ଷ ଏବଂ ଡା. ସୀତାରାମ ମହାପାତ୍ରଙ୍କୁ ଅଧୀକ୍ଷକଭାବେ ନିଯୁକ୍ତି ମିଳିଛି। ବାରିପଦା ମେଡିକାଲ କଲେଜର ଏଫଏମଟି ବିଭାଗର ପ୍ରଫେସର ସହିତ ଭାରପ୍ରାପ୍ତ ଡିନ ଏବଂ ଅଧ୍ୟକ୍ଷ ଥିବା ଡା. ପୁଣ୍ୟାଂଶୁ ମହାନ୍ତିଙ୍କୁ ସ୍ଥାୟୀ ଅଧ୍ୟକ୍ଷ ଏବଂ ଡା. ପ୍ରତିଭା ପଣ୍ଡାଙ୍କୁ ସ୍ଥାୟୀ ଅଧୀକ୍ଷକଭାବେ ସେଠାରେ ନିଯୁକ୍ତି ମିଳିଛି। ବାଲେଶ୍ୱର ମେଡିକାଲ କଲେଜର କମ୍ୟୁନିଟି ମେଡିସିନର ପ୍ରଫେସର ପଦ ସହିତ ଭାରପ୍ରାପ୍ତ ଡିନ ଓ ଅଧ୍ୟକ୍ଷ ରହିଥିବା ଡା. ରାମଚନ୍ଦ୍ର ଗିରିଙ୍କୁ ସ୍ଥାୟୀ ଅଧ୍ୟକ୍ଷ ଏବଂ ବଲାଙ୍ଗିର ମେଡିକାଲ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ସହିତ ଫାର୍ମାକୋଲୋଜି ବିଭାଗର ପ୍ରଫେସର ଦାୟିତ୍ୱରେ ଥିବା ଡା. ସବିତା ମହାପାତ୍ରଙ୍କୁ ଉକ୍ତ ମେଡିକାଲ କଲେଜର ସ୍ଥାୟୀ ଅଧ୍ୟକ୍ଷଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପୁରୀ ମେଡିକାଲ କଲେଜର ଭାରପ୍ରାପ୍ତ ଡିନ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର ଥିବା ଡା. ମାୟା ପାଢୀଙ୍କୁ ପୁରୀ ମେଡିକାଲ କଲେଜର ସ୍ଥାୟୀ ଡିନ ଏବଂ ଅଧ୍ୟକ୍ଷଭାବେ ନିଯୁକ୍ତି ମିଳିଛି। ସେହିପରି ଡାକ୍ତର କୌଶିକ ମିଶ୍ରଙ୍କୁ ପୁରୀ ମେଡିକାଲ କଲେଜର ସ୍ଥାୟୀ ଅଧୀକ୍ଷକ, ଡା. ଚିନ୍ମୟୀ ମହାପାତ୍ରଙ୍କୁ କେନ୍ଦୁଝର ମେଡିକାଲ କଲେଜର ଡିନ ଏବଂ ଅଧ୍ୟକ୍ଷ, ଡା. ଦୈତାରୀ ରାଉତରାୟଙ୍କୁ ସୁନ୍ଦରଗୁଡ ମେଡିକାଲ କଲେଜର ସ୍ଥାୟୀ ଅଧ୍ୟକ୍ଷ, ଡା. ପଙ୍କଜ ପରିଡାଙ୍କୁ ସୁନ୍ଦରଗଡ ମେଡିକାଲ କଲେଜର ଅଧୀକ୍ଷକ ଏବଂ ଡା. ନିବେଦିତା ପାଣିଙ୍କୁ କ୍ୟାପିଟାଲ ହସ୍ପିଟାଲର ସ୍ଥାୟୀ ନିର୍ଦେଶକଭାବେ ନିଯୁକ୍ତି ମିଳିଛି। ଏସସିବି ମେଡିକାଲ କଲେଜର ଭାରପ୍ରାପ୍ତ ଅଧୀକ୍ଷକ ସହିତ ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର ଥିବା ଡା.ଲୁସି ଦାସ ପ୍ରଫେସର ପଦରୁ ଅବ୍ୟାହତି ନେବାକୁ ରାଜି ନ ହେବାରୁ ତାଙ୍କୁ ମେଡିକାଲ କଲେଜର ସ୍ଥାୟୀ ଅଧୀକ୍ଷକଭାବେ ଅବସ୍ଥାପିତ କରାଯାଇନାହିଁ। ଖୁବଶୀଘ୍ର ଉକ୍ତ ପଦରେ ଜଣେ ବରିଷ୍ଠ ଡାକ୍ତରଙ୍କୁ ସ୍ଥାୟୀ ଅଧୀକ୍ଷକଭାବେ ନିଯୁକ୍ତି ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.