ମଦ୍ୟପଙ୍କୁ ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ, ଶେଷରେ ଉଦ୍ଧାର କଲା ପୁଲିସ 

ନବରଙ୍ଗପୁର: ମଦୁଆଙ୍କୁ ଗାଁ ମଝି ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ। ଗାଁ ଭିତରକୁ ମଦୁଆମାନଙ୍କୁ ପ୍ରବେଶ ନିଷେଧ କରିବା ପାଇଁ ଗ୍ରାମବାସୀ ନିଷ୍ପତି ନେଇଥିବା ବେଳେ ଏହାର ଉଲ୍ଲଂଘନ କରି ଆଜି ଦୁଇ ଜଣ ମଦୁଆ ୬ ଘଣ୍ଟା କାଳ ଗାଁ ମଝି ଖୁଣ୍ଟରେ ବନ୍ଧା ହୋଇ ପଡିରହିଥିଲେ। ଶେଷରେ କୋଡ଼ିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମଦ୍ୟପଙ୍କୁ ଉଦ୍ଧାର କରିଥିଲେ। ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସର୍ଗିଗୁଡା ଗାଁ ରେ।

ସର୍ଗିଗୁଡା ଗାଁରେ ମଦୁଆଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଓ ଛୋଟରୁ ଆରମ୍ଭ କରି ଯୁବକ, ବୟସ୍କମାନେ ମଦ ପିଇ ଘରେ ଝଗଡା ହେବା, ସ୍ତ୍ରୀ ଓ ଛୁଆମାନଙ୍କୁ ମଦ ପିଇ ମାରପିଟ କରିବା ଘଟଣାଗୁଡିକୁ ଦେଖି ସର୍ଗିଗୁଡା ଗାଁ ଲୋକ ଏକ ବୈଠକ କରି ନିଷ୍ପତ୍ତି ନେଇଥିଲେ ଯେ ଗାଁରେ କାହାରିକୁ ମଦ ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ କି ମଦ ପିଇ କେହିବି ସର୍ଗିଗୁଡା ଗାଁ ପିଣ୍ଡା ମାଡ଼ିପାରିବ ନାହିଁ। ନିୟମର ଉଲ୍ଲଂଘନ ଯଦି କିଏ କରେ ତାହେଲେ ପ୍ରଥମ ଭୁଲରେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ, ଦ୍ୱିତୀୟ ଭୁଲରେ ଗାଁ ମଝି ଖୁଣ୍ଟରେ ବନ୍ଧା ହେବ। ଏହି ଭଳି ଦ୍ୱିତୀୟ ଭୁଲ କରିଥିବା ଦୁଇ ଜଣ ଲୋକଙ୍କୁ ଖୁଣ୍ଟରେ ବାନ୍ଧିଥିଲେ ଗ୍ରାମବାସୀ। ଯାହାଙ୍କୁ କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ଉଦ୍ଧାର କରିଥିଲେ। ଗ୍ରାମବାସୀମାନେ ଏହି ଭଳି ନିୟମ କରିବା ଦିନଠାରୁ ଗାଁରେ ମଦୁଆମାନଙ୍କ ଦୌରାମ୍ୟ କମିବାରେ ଲାଗିଛି। ଏଥି ପୂର୍ବରୁ ଗ୍ରାମରେ ମଦ ବିକ୍ରିକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ କୋଡିଗା ଥାନା ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବରେ ଜଣେଇଥିଲେ। ଆଜି ଦୁଇଜଣ ମଦୁଆଙ୍କୁ ଗ୍ରାମବାସୀ ବାନ୍ଧି ରଖିଥିବା ଖବର ପାଇ କୋଡିଙ୍ଗା ଥାନା ଅଧିକାରୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଗ୍ରାମବାସୀଙ୍କୁ ଆଇନକୁ ନିଜ ହାତକୁ ନ ନେବା ପାଇଁ ପରାମର୍ଶ ଦେଇଥିଲେ।

ଏନେଇ ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ସେ ଗ୍ରାମବାସୀଙ୍କୁ ଚେତାବନୀ ଦେବାସହ ଆଇନ ହାତକୁ ନେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଏହାସହ ଯଦି କିଏ ମଦ ରାନ୍ଧେ ବା ମଦ ପିଇ ଝଗଡା କରେ ତା ହେଲେ ସେମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେବାପାଇଁ କହିଥିଲେ। ଆଜିର ଘଟଣାରେ ଖୁଣ୍ଟରେ ବାନ୍ଧିଥିବା ୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ପ୍ରକାଶ କରିଛନ୍ତି।

Comments are closed.