ମଦ ନ ମିଳିବାରୁ ୨୫୦ ଲୋକଙ୍କୁ କାମୁଡ଼ିଲା ମାଙ୍କଡ଼, ମିଳିଲା ଆଜୀବନ କାରାଦଣ୍ଡ

କାନପୁର: ମାଙ୍କଡ଼କୁ ଆଜୀବନ କାରାଦଣ୍ଡ। କଥାଟା ଅଡୁଆ ଲାଗୁଥାଇପାରେ, କିନ୍ତୁ କାନପୁର ଚିଡ଼ିଆଖାନାରେ ଏକ ମାଙ୍କଡ଼କୁ ସାରା ଜୀବନ ବନ୍ଦୀ ଜୀବନ କାଟିବାକୁ ପଡ଼ିବ। ଚିଡ଼ିଆଖାନା କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। କାରଣ ମାଙ୍କଡ଼ଟି ୨୫୦ ଲୋକଙ୍କୁ କାମୁଡ଼ି କ୍ଷତାକ୍ତ କରିଛି, ଯେଉଁଥିରୁ ଜଣଙ୍କର ମୃତ୍ୟୁ ଘଟିଛି।

ମାଙ୍କଡ଼ଟିର ନାମ ‘କାଲୁଆ’। ମିର୍ଜାପୁର ଜିଲାର ଜଣେ ବ୍ୟକ୍ତି ତା’କୁ ପୋଷା କରି ରଖିଥିଲେ। ତେବେ ମାଲିକ ମାଙ୍କଡ଼କୁ ପ୍ରତିଦିନ ମଦ ପିଇବାକୁ ଦେଉଥିଲେ। ନିୟମିତ ମଦ ପିଇବାରୁ ମାଙ୍କଡ଼ଟି ମଦ୍ୟପ ହୋଇଯାଇଥିଲା। ତେବେ ହଠାତ୍‌ ତା’ର ମାଲିକଙ୍କ ମୃତ୍ୟୁ ପରେ ମାଙ୍କଡ଼କୁ ମଦ ପିଇବାକୁ ମିଳି ନ ଥିଲା। ଫଳରେ ସେ ହିଂସ୍ର ହୋଇପଡ଼ି ଲୋକଙ୍କୁ କାମୁଡ଼ିବାକୁ ଲାଗିଥିଲା। ମିର୍ଜାପୁରରେ ପ୍ରାୟ ୨୫୦ ଲୋକ ମାଙ୍କଡ଼ କାମୁଡ଼ାର ଶିକାର ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଥିଲା। ଏହା ପରେ ମିର୍ଜାପୁର ଜଙ୍ଗଲ ବିଭାଗ ଏବଂ କାନପୁର ଚିଡ଼ିଆଖାନା କର୍ମଚାରୀ ମାଙ୍କଡ଼ଟିକୁ ଧରିଥିଲେ। ପରେ ତା’କୁ କାନପୁର ଚିଡ଼ିଆଖାନାରେ ରଖାଯାଇଥିଲା।

ଚିଡ଼ିଆଖାନା ଡାକ୍ତର ମହମ୍ମଦ ନାସିର କୁହନ୍ତି, ଆମେ ମାଙ୍କଡ଼ଟିକୁ କିଛି ମାସ ଆଇସୋଲେଶନରେ ରଖିବା ପରେ ତାଙ୍କୁ ଅନ୍ୟ ଏକ ପୃଥକ ଜନ୍ତାରେ ରଖିଥିଲୁ। କିନ୍ତୁ ତା’ ବ୍ୟବହାରରେ ପରିବର୍ତ୍ତନ ନ ଆସିବାରୁ ଆମେ ତାଙ୍କୁ ସାରା ଜୀବନ ବନ୍ଦୀ କରି ରଖିବାକୁ ନିଷ୍ପତ୍ତି ନେଇଛୁ।

Comments are closed.