ସମ୍ବଲପୁରରେ ଧଳା ଜହର, ବ୍ରାଉନ ସୁଗାର ସମେତ ୩ ଗିରଫ

ସମ୍ବଲପୁର: ସମ୍ବଲପୁରରେ ବିଭିନ୍ନ ନିଶା କାରବାର ବେଧଡକ ଚାଲୁଥିବା ବେଳେ ବିଗତ କିଛି ମାସ ହେବ ସମ୍ବଲପୁର ଜିଲାରେ ଉପକୂଳବର୍ତ୍ତୀ ଅଞ୍ଚଳ ଭଳି ବ୍ରାଉନ ସୁଗରର ନିଶା କାରବାର ବେଶ ବୃଦ୍ଧି ପାଇଛି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହି କ୍ରମରେ ସମ୍ବଲପୁରର ଟାଉନ ପୁଲିସର ଚଢ଼ଉ ସମୟରେ ବ୍ରାଉନ ସୁଗାର ସମେତ ୩ ଜଣ ବ୍ୟକ୍ତିଙ୍କୁ ଧରାଯିବାରୁ ସାରା ଜିଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ବୁଧବାର ସକାଳ ସମୟରେ ଟାଉନ ଥାନା ସମ୍ମୁଖରେ ରହିଥିବା ସାହୁ କଲୋନୀରେ ୩ ଜଣ ଡ୍ରଗ ନିଶା କାରବାରୀଙ୍କୁ ନିଶାଖୋର ମାନଙ୍କୁ ବ୍ରାଉନ ସୁଗାର ବିକ୍ରି ଉଦ୍ୟମ କରୁଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ ଓ ଟାଉନ ପୁଲିସର ମିଳିତ ଚଢ଼ଉ ସମୟରେ ଧରା ପଡିଥିଲେ।

ଚଢ଼ଉ ସମୟରେ ଧନୁପାଲି ଥାନା ନିବାସୀ ମୋତିଝରନ ର ମହମ୍ମଦ ଆରିଫ (୩୪), ଚାରଭାଟିର ବିକାଶ ଡୁଡକିଆ (୨୩) ଓ ଟାଉନ ଥାନା ନିବାସୀ ବଣ୍ଟି ପ୍ରଧାନ (୨୩) ଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ୭.୬ ଗ୍ରାମର ଆନୁମାନିକ ୧ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର, ନଗଦ ୩ ହଜାର ୭ ଶହ ୪୦ ଟଙ୍କା, ତିନିଟି ମୋବାଇଲ ଓ ୨ଟି ସ୍କୁଟି ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ସମ୍ବଲପୁର ଏସଡିପିଓ ତପନ କୁମାର ମହାନ୍ତି ଜଣାଇଛନ୍ତି। ତେବେ ବ୍ରାଉନ ସୁଗାର ଜବତ ହେବା ଘଟଣା ସମ୍ବଲପୁରରେ ପ୍ରଥମ ବୋଲି କୁହାଯାଉଛି।

ନିଶାର ଖେଳ ପଡିଆ ସାଜିଛି ସାହୁ କଲୋନୀ !!!
ସମ୍ବଲପୁରର ଟାଉନ ଥାନା ସମ୍ମୁଖରେ ରହିଥିବା ସାହୁ କଲୋନୀରେ ବ୍ୟାପକ ନିଶା କାରବାର ଚାଲୁଥିବା ବେଳେ ପୁଲିସର ଠିକ ନାକ ତଳେ ରହିଥିବା ଏହି ଅଞ୍ଚଳରେ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାରେ ସମ୍ବଲପୁର ପୁଲିସ ସମ୍ପୁର୍ଣ୍ଣ ବିଫଳ ରହିଛି। ପୂର୍ବରୁ ବେଆଇନ ନିଶା କଫ ସିରଫ ଓ ନିଶା ବଟିକା ସମେତ ଅପମିଶ୍ରିତ କଫ ସିରଫ ବେପାରର ସମ୍ବଲପୁର ମଧ୍ୟରେ ପ୍ରମୁଖ କେନ୍ଦ୍ର ରୂପେ ଦୁର୍ନାମ ଅର୍ଜନ କରିଥିବା ଏହି ଅଞ୍ଚଳରୁ ବ୍ରାଉନ ସୁଗାର ଜବତ ହେବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ଏଣୁ ଲୋକେ ନିଶାର ଖେଳ ପଡିଆ ସାଜିଛି ସାହୁ କଲୋନୀ ବୋଲି ଚର୍ଚ୍ଚା କରୁଛନ୍ତି।

ପ୍ରଥମ ଥର ସମ୍ବଲପୁରରୁ ଧରାପଡିଲା ବ୍ରାଉନ ସୁଗାର
ବିଗତ ବେଶ କିଛି ମାସ ହେବ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଧଳା ଜହର (ବ୍ରାଉନ ସୁଗାର) ର କାରବାର ବେଶ ଚାଲିଥିବା ବେଳେ ଏସଟିଏଫ ଦ୍ୱାରା ଅନେକ ଥର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବେଶ ମାତ୍ରାରେ ଏହାକୁ ଜବତ ମଧ୍ୟ କରାଯାଇଛି। ତେବେ ଏହି ଧଳା ଜହର କାରବାରର କୌଣସି ନାମ ଗନ୍ଧି ପଶ୍ଚିମ ଓଡିଶା ତଥା ସମ୍ବଲପୁର ଜିଲାରେ ନ ଥିବା ବେଳେ କିଛି ମାସ ତଳେ ପ୍ରଥମେ ଏହା ବାବଦରେ ଶୁଣିବାକୁ ମିଳିଥିଲା। ଏ ସର୍ମ୍ପକରେ କିଛି ସଚେତନ ନାଗରିକ ଦାୟିତ୍ୱବାନ ଅଧିକାରୀ ମାନଙ୍କୁ ଏ ସର୍ମ୍ପକରେ ଅବଗତ କରାଇଥିଲେ ସୁଦ୍ଧା ସେ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଫଳରେ ନିଶା ବେପାରୀ ମାନେ ଏହି ବେଆଇନ ବେପାର ଧିରେ ଧିରେ ସହରର ଉପକଣ୍ଠସ୍ଥ ଅଞ୍ଚଳରେ ଆରମ୍ଭ କରିବା ପରେ ଏବେ ସହର ମଧ୍ୟରେ ସେମାନଙ୍କର ଚେର ଲମ୍ବାଇ ସାରିଛନ୍ତି। ଏଣୁ ଏବେ ଯଦି ପ୍ରଶାସନ କଠୋରରୁ ଅତି କଠୋର ପଦକ୍ଷେପ ନ ନେବେ ତାହା ହେଲେ ଆଗାମୀ ଦିନରେ ସ୍ଥିତି ଅଣାୟତ୍ତ ହୋଇ ପଡିବ।

ଟାରଗେଟରେ ଯୁବ ପିଢ଼ି
ସମ୍ବଲପୁରରେ ଚାଲିଥିବା ନିଶା କାରବାରରେ ନିଶା ବେପାରୀ ମାନେ ଯୁବ ପିଢ଼ି ମାନଙ୍କୁ ସେମାନଙ୍କ ପ୍ରମୁଖ ଟାରଗେଟ କରିଥିବାର ଲକ୍ଷ୍ୟ କରାଯାଉଛି। ନିଶା ବ୍ୟବହାରକାରୀ ଙ୍କ ଠାରୁ ଆରମ୍ଭ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟ୍ରାନ୍ସପୋର୍ଟ କରିବା, ଟଙ୍କା ଆଦାୟ କରି ନିଶା ସାମଗ୍ରୀ ପ୍ରଦାନ କରିବା ଆଦି ବିଭିନ୍ନ ପର୍ଯ୍ୟାୟରେ ଯୁବ ପିଢ଼ିଙ୍କୁ ପରଦା ପଛରେ ରହି ନିଶା ଡିଲର ମାନେ ବ୍ୟବହାର କରୁଥିବାର ପରିଲକ୍ଷିତ ହେଉଛି। ପ୍ରଥମ ଥର ପାଇଁ ବ୍ରାଉନ ସୁଗାର ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ମାନେ ସମସ୍ତେ ଯୁବକ ଅଟନ୍ତି। ନିଶାର ଶିକାର ହୋଇ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ମାମଲାରେ ଯୁବ ପିଢ଼ି ସାମିଲ ରହୁଥିବାର ନଜୀର ରହିଛି।

Comments are closed.