ନିଶାଖୋରଙ୍କ ତୁମୁଳକାଣ୍ଡ – ନିସ୍ତୁକ ପିଟିଲେ, ହାତ କାଟିଦେଲେ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁଟୁମଡୋଳା ଗାଁରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଜଣେ ଲୋକଙ୍କୁ ଘରକୁ ଡାକି ନିସ୍ତୁକ ମାଡ଼ ମାରିବା ପରେ ହାତ କାଟିଦେଲେ। ସଦର ଥାନା ପୁଲିସ ଗୁରୁତରଙ୍କୁ ଘର କବାଟ ଭାଙ୍ଗି ଉଦ୍ଧାର କରିଥିବା ବେଳେ ବୁର୍ଲା ସ୍ଥାନାନ୍ତରଣ ହେବା ଆଲୋଚନାର ବିଷୟ ହୋଇଛି।

କୁଟୁମଡୋଳା ଗାଁର ହୃଷିକେଶ ସାହୁ(୪୪) ତାଙ୍କ ଘରେ ଥିବା ବେଳେ ସେହି ଗାଁର ସୁରେଶ ବରିହା ଓ ଶ୍ୟାମ ଚିନ୍ଦା କୌଣସି କାମ ଅଛି କହି ଘରୁ ଡାକି ନେଇଥିଲେ। ଏହା ପରେ ସୁରେଶଙ୍କ ଘରେ ହୃଷିକେଶଙ୍କୁ ମାଡ଼ ମାରିବା ସହ କୌଣସି ଏକ ଧାରୁଆ ଅସ୍ତ୍ରରେ ଡାହାଣ ହାତକୁ ହାଣି ଦେଇଥିଲେ। ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଏ ନେଇ ହୃଷିକେଶ ବହୁ ଜୋରରେ କାନ୍ଦିବା ସହ ରଡି ଛାଡ଼ିଥିଲେ। ଘରେ କବାଟ ଦେଇ ରଖିଥିବା ବେଳେ ସୁରେଶ ଧାରୁଆ ଅସ୍ତ୍ର ଧରିଥିବାରୁ କେହି ପାଖକୁ ଯିବାକୁ ସାହାସ ଜୁଟାଇ ପାରିନଥିଲେ। ବିଶ୍ୱସ୍ତ ସୂତ୍ରରୁ ସଦର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ଆହତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା କରାଯିବା ସହ ହାତରୁ ବେଶି ରକ୍ତ ବୋହୁଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ମେଡିକାଲ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। କ’ଣ ପାଇଁ ଏଭଳି ଘଟଣା ଘଟିଲା କେହି କିଛି କହି ପାରୁନଥିବା ବେଳେ ହୃଷିକେଶଙ୍କ ସ୍ତ୍ରୀ ସଂଯୁକ୍ତା ସାହୁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି।

ତାଙ୍କ କହିବା ଅନୁସାରେ, ପୂର୍ବରୁ ସେଭଳି କିଛି ତାଙ୍କ ସହ ଶତ୍ରୁତା ମଧ୍ୟ ନାହିଁ। କେଉଁ କାରଣ ପାଇଁ ଏଭଳି କାମ କଲେ ଆମେ କହିପାରିବୁ ନାହିଁ। ମୋର ସ୍ୱାମୀଙ୍କୁ ଯେତେବେଳେ ମାଡ଼ ମାରୁଥିଲେ ମୁଁ ଜୀବନ ସହିଲା ନାହିଁ। ଉଦ୍ଧାର ପାଇଁ ଚିତ୍କାର କଲି। ହେଲେ ସୁରେଶ ବରିହା ତତେ ମଧ୍ୟ ଜୀବନରେ ମାରି ଦେବି, ଏଠୁ ଚାଲିଯା ବୋଲି କହିଲା। କାକୁତି ମିନତି ହୋଇ ଛାଡ଼ି ଦେବାକୁ କହୁଥିବା ବେଳେ ଦୁର୍ଷ୍କମ ଉଦ୍ୟମ କରିଥିଲା ବୋଲି ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏହା ସହ ସେମାନେ ପ୍ରବଳ ମଦ ପିଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଥିଲେ। ଅଭିଯୁକ୍ତ ଦ୍ୱୟଙ୍କୁ ସଦର ଥାନା ପୁଲିସ ଅଟକ ରଖିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି।

Comments are closed.