ଗାଧୋଉଥିବା ବେଳେ ନଦୀରେ ବୁଡି ଛାତ୍ର ମୃତ

ଧାମନଗର: ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ପଞ୍ଚାୟତସ୍ଥିତ ଚନ୍ଦସାହି ଗ୍ରାମର ଜଣେ କଲେଜ ଛାତ୍ର ସୋମବାର ପୂର୍ବାହ୍ନରେ ବୈତରଣୀ ନଦୀରେ ଗାଧୋଉଥିବା ବେଳେ ବୁଡି ମୃତ୍ୟୁ ବରଣ କରିଛି। ମୃତ ଛାତ୍ର ଚନ୍ଦସାହି ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ଅଶ୍ୱନୀ ନାୟକ (୧୯) ବୋଲି ଜଣାପଡିଛି। ଅଶ୍ୱନୀ ଆଜି ପୂର୍ବାହ୍ନରେ ବୈତରଣୀ ନଦୀର କୁମ୍ଭାସାହି ନଦୀ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣା ଘଟିଛି। ଅଶ୍ୱନୀ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ନଦୀରେ ଖୋଜାଖୋଜି କରିବାରୁ ସେ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନାକୁ ନେଇଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପ୍ରକାଶ ଯେ, ବୈତରଣୀ ନଦୀରୁ ବାଲି ଉତ୍ତୋଳନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ବାଲି ନିଲାମ ଦିଆଯାଇଛି। ସମ୍ପୃକ୍ତ ବାଲି ନିଲାମଧାରୀ ନଦୀରେ ବଡବଡ ମେସିନ ପକାଇ ନଦୀଗର୍ଭକୁ ଖୋଳି ପ୍ରତିଦିନ ଶହଶହ ଟ୍ରିପ ବାଲି ଚାଲାଣ କରୁଛି। ଫଳରେ ନଦୀର ଅଧିକାଂଶ ସ୍ଥାନ ବଡବଡ ଖାଲ ହୋଇ ଯାଇଛି। ୨/୩ ଦିନ ହେଲା ନଦୀରେ ଜଳ ପତନ ବୃଦ୍ଧି ଯୋଗୁଁ ଉକ୍ତ ଖାଲରେ ପାଣି ଭରି ଯାଉଛି। ଆଜି ଅଶ୍ୱନୀ ଗାଧୋଇବାକୁ ଯାଇଥିବା ବେଳେ ଉକ୍ତ ଖାଲରେ ପଡି ତାଙ୍କ ଗୋଡ ପୋତି ହୋଇ ପଡିଥିଲା। ଫଳରେ ସେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Comments are closed.