ପଶ୍ଚିମ ଓ ଦକ୍ଷିଣ ଭାରତର ୬ ରାଜ୍ୟରେ ମରୁଡ଼ି ଆଶଙ୍କା; ଦେଖିରଖି ଜଳ ବ୍ୟବହାର ପାଇଁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ସମ୍ଭାବ୍ୟ ମରୁଡ଼ି ଆଶଙ୍କାରେ କେନ୍ଦ୍ର ସରକାର ୬ଟି ରାଜ୍ୟକୁ ପରାମର୍ଶବଳୀ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକରେ ଜଳସ୍ତର ଚିନ୍ତାଜନକ ଭାବେ ହ୍ରାସ ପାଇବା ପରିପ୍ରେକ୍ଷୀରେ ଏଭଳି ପରାମର୍ଶବଳୀ ଜାରି କରାଯାଇଛି। କେନ୍ଦ୍ର ଜଳ ଆୟୋଗଙ୍କ ପକ୍ଷରୁ ସଦସ୍ୟ ଏସ୍‌.କେ ହାଲଦାର ତାମିଲନାଡ଼ୁ ସମେତ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ଜଳ ସଂକଟ ଓ ମରୁଡ଼ି ନେଇ ସତର୍କ ସୂଚନା ପ୍ରଦାନ କରିଛନ୍ତି। ନଦୀବନ୍ଧ ଓ ଭୂତଳ ଜଳସ୍ତର ହ୍ରାସ ପାଇଥିବାରୁ ସଚେତନ ହୋଇ ଏବଂ ଦେଖିରଖି ଜଳ ବ୍ୟବହାର କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଏହି ରାଜ୍ୟଗୁଡ଼ିକର ନଦୀବନ୍ଧରେ ଗତ ୧୦ବର୍ଷ ମଧ୍ୟରେ ସର୍ବନିମ୍ନ ଜଳ ମହଜୁଦ ରହିଛି। ବତ୍ତର୍ମାନ ସମୟରେ ଯେତିକି ଜଳ ଏଥିରେ ରହିବା କଥା ତା’ଠାରୁ କମ୍‌; ଅର୍ଥାତ୍‌ ହାରାହାରି ଜଳସ୍ତରଠାରୁ ୨୦ ପ୍ରତିଶତ କମ୍‌ ଥିବା ଆୟୋଗ ସଦସ୍ୟ ହାଲଦାର ଦର୍ଶାଇଛନ୍ତି। ନଦୀବନ୍ଧଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ପର୍ଯ୍ୟନ୍ତ କେବଳ ପାନୀୟ ଜଳ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବା ଓ ଅନ୍ୟାନ୍ୟ ବ୍ୟବହାରକୁ ହ୍ରାସ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଦେଶର ୯୧ଟି ବୃହତ୍‌ ନଦୀବନ୍ଧ ପ୍ରକଳ୍ପର ଜଳସ୍ତର ଉପରେ ଆୟୋଗ ଅନୁଧ୍ୟାନ କରୁଛନ୍ତି। ଗୁରୁବାର ସୁଦ୍ଧା ଏହି ୯୧ଟି ନଦୀବନ୍ଧରେ ସମୁଦାୟ ୩୫.୯୯ ବିଲିୟନ କ୍ୟୁବିକ ମିଟର (ବିସିଏମ୍‌) ଜଳ ମହଜୁଦ ରହିଛି; ଯାହା ଏଗୁଡ଼ିକର ଜଳଧାରଣ କ୍ଷମତା ୧୬୧.୯୯୩ ବିସିଏମ୍‌ଠାରୁ ୨୨ପ୍ରତିଶତ କମ୍। ଏହି ପରିସ୍ଥିତିରେ ପଶ୍ଚିମ ଓ ଦକ୍ଷିଣ ଭାରତରେ ଜଳ ସଂକଟ ଉତ୍କଟ ହୋଇଛି, ଆଗକୁ ସଂଗୀନ ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆ​‌ୟୋଗ ଦର୍ଶାଇଛନ୍ତି। ଗୁଜରାଟରେ ୧୦ ଓ ମହାରାଷ୍ଟ୍ରରେ ୧୭ଟି ନଦୀବନ୍ଧ ରହିଥିବାବେଳେ ଏଗୁଡ଼ିକର ମୋଟ ଜଳଧାରଣ କ୍ଷମତା ୩୧.୨୬ବିସିଏମ୍‌। ମଇ ୧୬ ସୁଦ୍ଧା ଏଗୁଡ଼ିକରେ ୪.୧୦ବିସିଏମ୍‌; ଅର୍ଥାତ୍‌ ମୋଟ କ୍ଷମତାର ମାତ୍ର ୧୩ ପ୍ରତିଶତ ଜଳ ରହିଥିଲା। ଗତବର୍ଷ ଏଠାରେ ଚଳିତ ସମୟ ସୁଦ୍ଧା ୧୮ ପ୍ରତିଶତ ଜଳ ରହିଥିଲା। ଗତ ୧୦ବର୍ଷ ଧରି ଏଥିରେ ହାରାହାରି ୨୨ପ୍ରତିଶତ ଜଳ ରହିଆସୁଛି। ମହାରାଷ୍ଟ୍ରର ୪୫ଟି ନଦିବନ୍ଧ ଶୁଖିଲା ପ୍ରାୟ ପଡ଼ିଥିବାରୁ ସେଠାକାର ଅବସ୍ଥା ସାଙ୍ଘାତିକ ବୋଲି ଆୟୋଗ ଦର୍ଶାଇଛନ୍ତି। ମଙ୍ଗଳବାର ସ୍କାଏମେଟ୍‌ ପକ୍ଷରୁ କରାଯାଇଥିବା ପୂର୍ବାନୁମାନରେ ଏହି ଦୁଇ ରାଜ୍ୟରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି କୁହାଯାଇଛି।
ସେହିପରି ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡ଼ୁ ଭଳି ଦାକ୍ଷିଣାତ୍ୟ ରାଜ୍ୟରେ ମୋଟ ୩୧ଟି ନଦୀବନ୍ଧ ରହିଛି। ଏଗୁଡ଼ିକର ମୋଟ ଜଳଧାରଣ କ୍ଷମତା ୫୧.୫୯ବିସିଏମ୍‌ ରହିଥିଲାବେଳେ ବର୍ତ୍ତମାନ ସୁଦ୍ଧା ଏହାର ୧୩ ପ୍ରତିଶତ; ଅର୍ଥାତ୍‌ ୬.୮୬ବିସିଏମ୍‌ ଜଳ ମହଜୁଦ ରହିଛି। ଗତ ବର୍ଷ ଏହି ସମୟରେ ଏଗୁଡ଼ିକରେ ୧୩ ପ୍ରତିଶତ ଓ ଗତ ୧୦ବର୍ଷ ମଧ୍ୟରେ ହାରାହାରି ୧୬ ପ୍ରତିଶତ ଜଳ ରହିଥିଲା। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ମିଶାଇ ଦୁଇଟି, କେନ୍ଦ୍ର ଆନ୍ଧ୍ରରେ ଗୋଟିଏ, ତେଲଙ୍ଗାନାରେ ଦୁଇଟି, କର୍ଣ୍ଣାଟକରେ ୧୪, ତାମିଲନାଡ଼ୁରେ ୬ ଓ କେରଳରେ ୬ଟି ନଦୀବନ୍ଧର ଜଳ ପରିଚାଳନା ଉପରେ ଆୟୋଗ ନଜର ରଖିଛନ୍ତି।
ଅପରପକ୍ଷରେ ଉତ୍ତର ଭାରତରେ ପରିସ୍ଥିତି ଉନ୍ନତ ରହିଛି। ରାଜସ୍ଥାନ, ହିମାଚଳପ୍ରଦେଶ ଓ ପଞ୍ଜାବରେ ଜଳସ୍ତର ଭଲ ରହିଥିବା ଆୟୋଗ ଦର୍ଶାଇଛନ୍ତି। ଏହି ରାଜ୍ୟଗୁଡ଼ିକର ୬ ନଦୀବନ୍ଧର ଜଳ ପରିଚାଳନା ତଦାରଖ କରି ଆୟୋଗ ଦର୍ଶାଇଛନ୍ତି ଯେ ଏଗୁଡ଼ିକର ମୋଟ ଜଳଧାରଣ କ୍ଷମତାର ୪୭ ପ୍ରତିଶତ ଜଳ ଏବେ ମହଜୁଦ ରହିଛି। ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରାର ମୋଟ ୧୫ଟି ନଦୀବନ୍ଧ​‌େ​‌ର ସମୁଦାୟ କ୍ଷମତାର ୨୭ପ୍ରତିଶତ ଜଳ ଏବେ ମହଜୁଦ ରହିଥିବାରୁ ଏହି ରାଜ୍ୟଗୁଡ଼ିକରେ ମରୁଡ଼ି ଆଶଙ୍କା ପ୍ରାୟତଃ ଏବେ ନାହିଁ ବୋଲି ଆୟୋଗ ଦର୍ଶାଇଛନ୍ତି।

Comments are closed.