୯ ଜିଲାର ୩୨୪୫୯୦ ହେକ୍ଟର ମରୁଡ଼ି

0
-ସୁନ୍ଦରଗଡ଼ ଜିଲାର ସର୍ବାଧିକ ଅଞ୍ଚଳ ପ୍ରଭାବିତ, -ଚାଷୀଙ୍କୁ ତୁରନ୍ତ ସହାୟତା ପାଇଁ ଜିଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ବର : ଅନିୟମିତ ବର୍ଷା, ପୋକ ଉପଦ୍ରବ ଯୋଗୁଁ ରାଜ୍ୟର ୯ଟି ଜିଲାର ୭୦ଟି ବ୍ଲକ ମରୁଡ଼ି ଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଜିଲାଗୁଡ଼ିକ ମଧ୍ୟରେ ରହିଛି ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ଏସବୁ ଜିଲାର ପ୍ରାୟ ୬୩୮୯ ଗ୍ରାମ, ୧୯ଟି ଅର୍ବାନ ଲୋକାଲବଡ଼ିର ୧୦୧ଟି ୱାର୍ଡ଼ରେ ୩୨୪୫୯୦.୮ହେକ୍ଟର ଜମିରେ ୩୩ପ୍ରତିଶତରୁ ଅଧିକ ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଛି।
ଚାଷୀ, ବିଭିନ୍ନ କୃଷକ ସଙ୍ଗଠନ ଓ ଲୋକପ୍ରତିନିଧି ସେମାନଙ୍କ ଅଞ୍ଚଳ ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମରୁଡ଼ି ଅଞ୍ଚଳ ଅନୁଧ୍ୟାନ ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଥିଲା। ଜିଲାପାଳମାନେ କ୍ଷେତ୍ର ଅଧିକାରୀଙ୍କ ଜରିଆରେ ମରୁଡ଼ି ପରିସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିଛନ୍ତି। ଜିଲାପାଳଙ୍କ ରିପୋର୍ଟ ମିଳିବା ପରେ ଏସବୁ ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ନିୟମାବଳୀ ଅାଧାରରେ ଚାଷୀମାନଙ୍କୁ ତୁରନ୍ତ ରିଲିଫ ସହାୟତା ପ୍ରଦାନ ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ଇତିମଧ୍ୟରେ ରାଜ୍ୟ ସରକାର ମରୁଡ଼ି ସହାୟତା ନିମନ୍ତେ କେନ୍ଦ୍ର କୃଷି ମନ୍ତ୍ରାଳୟ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମରୁଡ଼ି ପରିସ୍ଥିତିର ମୁକାବିଲା ନିମନ୍ତେ ୧୫୩୪.୮୨କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।
ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ଅଞ୍ଚଳ ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଛି। ଉକ୍ତ ଜିଲାର ୧୩ଟି ବ୍ଲକର ୯୪୬ଟି ଗ୍ରାମ ଏବଂ ୩ଟି ଅବାନ ଲୋକାଲ ବଡ଼ିର ୧୪ଟି ୱାର୍ଡ଼ର ୬୭୫୪୦ ହେକ୍ଟର ଜମି ମରୁଡ଼ିରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦ୍ବିତୀୟ ସର୍ବାଧିକ କ୍ଷୟକ୍ଷତି ଘଟିଛି ନୂଆପଡ଼ା ଜିଲାରେ। ଏଠାରେ ୫ଟି ବ୍ଲକର ୬୨୬ଗ୍ରାମ ଓ ୩ଟି ଅବାନ ଲୋକାଲ ବଡ଼ିର ୧୨ଟି ୱାର୍ଡ଼ରେ ୫୯୯୦୮.୮ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି।
ବରଗଡ଼ର ୧୦ଟି ବ୍ଲକର ୬୭୮ଟି ଗ୍ରାମ ଓ ୨ଟି ୟୁଏଲବିର ୩ଟି ୱାର୍ଡ଼ରେ ୩୮୦୦୮, ବଲାଙ୍ଗିର ଜିଲାର ୧୦ଟି ବ୍ଲକର ୧୧୨୫ଗ୍ରାମ ଓ ୨ଟି ୟୁଏଲବିର ୧୭ୱାର୍ଡ଼ର ୨୬୩୦୬, ଦେବଗଡ଼ର ଗୋଟିଏ ବ୍ଲକର ୧୪୧ଟି ଗ୍ରାମର ୨୧୫୧, ଝାରସୁଗୁଡ଼ାର ୪ଟି ବ୍ଲକର ୩୩୧ଗ୍ରାମ ଓ ୩ଟି ୟୁଏଲବିର ୯ଟି ୱାର୍ଡ଼ର ୩୧୦୭୬.୯, କଳାହାଣ୍ଡି ଜିଲାର ୭ଟି ବ୍ଲକର ୫୯୨ଗ୍ରାମ ଓ ଗୋଟିଏ ୟୁଏଲବିର ୪ଟି ୱାର୍ଡ଼ର ୨୨୨୬୮.୫, ନବରଙ୍ଗପୁର ଜିଲା ୧୦ଟି ବ୍ଲକର ୭୭୩ଗ୍ରାମ ଓ ୨ଟି ୟୁଏଲବିର ୯ଟି ୱାର୍ଡ଼ର ୨୪୧୯୧ ଓ ସମ୍ବଲପୁର ଜିଲା ୯ଟି ବ୍ଲକର ୧୧୭୭ ଗ୍ରାମ ଓ ୩ଟି ୟୁଏଲବିର ୩୩ଟିୱାର୍ଡ଼ରେ ୫୩୧୪୦.୬ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି।

Leave A Reply