ହୁସିଆର ! ଡ୍ରୋନ୍‌ ଜଗିବ ରାଜଧାନୀ

ଭୁବନେଶ୍ବର : ଡ୍ରୋନ୍‌ କ୍ୟାମେରା ଲେନ୍ସରେ ରହିବ ରାଜଧାନୀ। ଦିନ-ରାତି ରାଜଧାନୀକୁ ଜଗିବ। ଏକକାଳୀନ ୩ଟି ଡ୍ରୋନ୍‌ ଘୂରିବୁଲିବ। ୨୪ ଘଣ୍ଟିଆ ପଇଁତରା ଲାଗି କିଣାଯିବ ୧୫ଟି ଅତ୍ୟାଧୁନିକ ଡ୍ରୋନ୍‌। ଏଥିପାଇଁ ଖର୍ଚ୍ଚ ହେବ ଦେଢକୋଟି। କମିସନରେଟ୍‌ ପୁଲିସର ମଡର୍ଣ୍ଣ କ‌େ‌ଣ୍ଟ୍ରାଲ୍‌ ରୁମ୍‌ ଅଧୀନରେ ରହିବ ଏକ ଡ୍ରୋନ୍‌ ହବ୍‌। ୨୪ ଘଣ୍ଟିଆ ପ୍ରହରା ଦେବା ଭଳି ରାଜଧାନୀ ଆକାଶରେ ଅତିକମ୍‌ରେ ୩ଟି ଡ୍ରୋନ୍‌ ପଇଁତରା ମାରୁଥିବ। କ‌େ‌ଣ୍ଟ୍ରାଲ୍‌ ରୁମ୍‌ ଅଧୀନରେ ଯେପରି ପିସିଆର୍‌ ଭ୍ୟାନ୍‌ କାର୍ଯ୍ୟ କରୁଛି, ସେହିଭଳି ଡ୍ରୋନ୍‌ ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ତମସେବା ପ୍ରଦାନ ଲକ୍ଷ୍ୟ ରଖାଯାଇଛି। କ‌େ‌ଣ୍ଟ୍ରାଲ୍‌ ରୁମ୍‌କୁ ଡାଏଲ୍‌-୧୦୦ ମାଧ୍ୟମରେ କୌଣସି ସ୍ଥାନରୁ ସୂଚନା ଆସିବା ମାତ୍ରେ ଯେପରି ପିସିଆର୍‌ ଭ୍ୟାନ୍ ଉକ୍ତ ଘଟଣାସ୍ଥଳରେ ପହଞ୍ଚିଥାଏ, ସେହିପରି ଡ୍ରୋନ୍‌ ମଧ୍ୟ ଉକ୍ତ ସ୍ଥାନକୁ ଉଡିଯିବ। ଡ୍ରୋନ୍‌ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଲାଇଭ୍‌ ଚିତ୍ର କ‌େ‌ଣ୍ଟ୍ରାଲ୍‌ରୁମ୍‌କୁ ପଠାଇବ। କୌଣସି ଘଟଣା ବା ଅଘଟଣର ଗୁରୁତ୍ବକୁ ସଙ୍ଗେ ସଙ୍ଗେ ଉପଲବ୍ଧ କରାଯାଇ ଆନୁଷଙ୍ଗିକ ସହାୟତା ସେଠାକୁ ପହଞ୍ଚା ଯାଇପାରିବ। କମିସନରେଟ୍‌ ପୁଲିସ ପକ୍ଷରୁ ଏଭଳି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା କହିଛନ୍ତି ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ।
ରାଜଧାନୀର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜ୍‌ଭୁତ୍‌ କରିବା ଲାଗି ଏଭଳି ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ କମିସନରେଟ୍‌ ପୁଲିସ ନିଷ୍ପତ୍ତି ନେଇଛି। ରାଜଧାନୀରେ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ, ଭିଆଇପିଙ୍କ ବାସସ୍ଥାନ ଏବଂ ବହୁ ସମୟରେ ଭିଭିଆଇପି ଆସୁଥିବାରୁ ଏସବୁର ଆବଶ୍ୟକତା ରହିଛି। ସହରର ପ୍ରମୁଖ ଛକ ଗୁଡ଼ିକରେ ସିସିଟିଭି ରହିଛି। ଏହା ସତ୍ତ୍ବେ ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି। ସେସବୁ ସ୍ଥାନ ଗୁଡ଼ିକ ଉପରେ ମଧ୍ୟ ଡ୍ରୋନ୍‌ ମାଧ୍ୟମରେ ନଜର ରଖାଯାଇପାରିବ। ଜାତୀୟ ରାଜପଥର
ଓଭରବ୍ରିଜ୍‌ ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ ଡ୍ରୋନ୍‌ ନଜର ରଖିପାରିବ। ଦୁର୍ଘଟଣାସ୍ଥଳକୁ ଅତ୍ୟନ୍ତ କମ ସମୟରେ ଡ୍ରୋନ୍‌ ପହଞ୍ଚିପାରିବ। ସବିଶେଷ ତଥ୍ୟ ମିଳିବା ପରେ ପୁଲିସ ସେହି ହିସାବରେ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ କରିପାରିବ।
ଅନେକ ସମୟରେ ରାଜଧାନୀରେ ଅପରାଧୀଙ୍କ ଛିନ୍‌ତାଇ ବା ରାହାଜାନି ଘଟଣା ସମ୍ପର୍କରେ ଅଭିଯୋଗ ହେଉଛି। ତେବେ କ‌େ‌ଣ୍ଟ୍ରାଲ୍‌ରୁମ୍‌ ଏଭଳି ଖବର ପାଇବା ପରେ ମଧ୍ୟ ସହଜରେ ଆକାଶ ମାର୍ଗରୁ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖି ପାରିବ। ସଡ଼କ ପଥରେ ଅପରାଧୀଙ୍କୁ ପିଛା କରିବା ତୁଳନାରେ ସେମାନଙ୍କୁ କିଭଳି କୌଶଳରେ ଧରାଯାଇପାରିବ ସେନେଇ ପୁଲିସ ଡ୍ରୋନ୍‌ ମାଧ୍ୟମରେ ତ୍ବରିତ୍‌ ପଦକ୍ଷେପ ନେଇ ପାରିବ ବୋଲି ପୁଲିସ କମିଶନର ଡ. ଷଢଙ୍ଗୀ ମତଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ଲକ୍‌ଡାଉନ୍‌ ସମୟରେ ପ୍ରଥମେ ​‌େ​‌ଦ୍ବୖତନଗରୀରେ ସହର ଉପରେ ଡ୍ରୋନ୍‌ ଉଡି ଭଏସ୍‌ ରେକର୍ଡିଂ ଜରିଆରେ ସତର୍କ ଓ ସଚେତନ କରାଇଥିଲା। ପ୍ରତିଦିନ ସନ୍ଧ୍ୟାପୂର୍ବରୁ ଅତ୍ୟାବଶ୍ୟକ ଦୋକାନ ବଜାର ବନ୍ଦ କରିବା ଓ ରାତି କର୍ଫ୍ୟୁ ଲାଗୁ ହେଉଥିବା ନେଇ ବରାବର ସୂଚନା ଦେବାରେ ସଫଳ ହୋଇଥିଲା। ଏପରିକି କଟକଣା ଉଲ୍ଲଙ୍ଘନ କରାଯାଉଥିବା ସ୍ଥାନ ଗୁଡିକୁ ମଧ୍ୟ ଚିହ୍ନଟ କରୁଥିଲା।

Comments are closed.