ଟ୍ରାନ‌ସ‌ଫର‌ମର‌ ସଂସ୍ପର୍ଶରେ ଆସି ମାଛଟ୍ରକ୍‌ ଚାଳକ‌ ଓ ସୁପର୍‌ଭାଇଜର‌ ମୃତ, ହେଲପର ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ଅନନ୍ତରାୟପୁରରେ ଗତରାତିରେ ଏକ ମାଛ-ଟ୍ରକ୍‌ ଟ୍ରାନ‌ସ‌ଫରମର ସହ ଧକ୍କା ହେବା ଫଳରେ ବିଜୁଳି ଆଘାତ ଯୋଗୁ ଟ୍ରକ୍‌ ଚାଳକ ଓ ସୁପର୍‌ଭାଇଜର୍‌ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ହେଲପରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଏଥିରେ ପ୍ରାଣହାନୀ ଘଟିଥିବା ଦୁଇ ଜଣ ହେଉଛନ୍ତି ତାମିଲନାଡୁର ଟ୍ରକ୍‌ ଚାଳକ ୪୭ ବର୍ଷିୟ ସୋନ୍ଧିନାଥନ୍‌ ସୁବ୍ରମଣ୍ୟମ୍‌ ଏବଂ ୩୭ ବର୍ଷିୟ ସୁପର୍‌ଭାଇଜର୍‌ ମଧମ କୁମାର ମୁଥାଝାଗମ୍‌। ମିଳିଥିବା ସୂଚନା ଅନୁଯାୟୀ, ମାଛ ବୋଝେଇ କରିବା ଲାଗି ଚାଳକ ଟ୍ରକ୍‌ଟିକୁ ପାର୍କିଙ୍ଗ୍‌ କରୁଥିବା ବେଳେ ହେଲପର‌ ଲେଲିନ୍‌ ଡ୍ରାଇଭର୍‌ଙ୍କୁ ରାସ୍ତା ବତାଉଥିଲେ। କିନ୍ତୁ ଘନ ଅନ୍ଧାର ଯୋଗୁଁ ଟ୍ରାନ‌ସ‌ଫର‌ମର ବସିଥିବା ବିଜୁଳି ଖୁଣ୍ଟାଟି ଦେଖାଯାଇନଥିଲା। ତେବେ ପଛୁଆ ଆସୁଥିବା ଟ୍ରକ୍‌ଟି ଟ୍ରାନ‌ସ‌ଫର‌ମର‌ ଖୁଂଟିକୁ ଧକ୍କା ଦେବାରୁ ସର୍ଟସର୍କିଟ୍‌ ହୋଇ ଟ୍ରକ୍‌ ମଧ୍ୟକୁ ବିଜୁଳି ପ୍ରବାହିତ ହୋଇଥିଲା ଓ ବିଜୁଳି ଆଘାତରେ ହେଲ୍‌ପର୍‌ ତଳେ ପଡ଼ିଯାଇଥିଲେ। ହେଲପରକୁ ରକ୍ଷା କରିବାକୁ ଯାଇ ଉଭୟ ଚାଳକ‌ ଓ ସୁପର୍‌ଭାଇଜର ତଳକୁ ଓହ୍ଲାଇବା ଲାଗି ଟ୍ରକ୍‌ କ୍ୟାବିନ୍‌ ଡୋର୍‌କୁ ଧରିବା ମାତ୍ରେ ବିଜୁଳି ଆଘାତ ପାଇ ମୃତ୍ୟୁବରଣ କରିଥିଲେ।

Comments are closed.