ଡ୍ରାଇଭର ସଂଘ ନାମରେ ୩ ମାମଲା: ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ବର: ରାଜଧାନୀରେ ଡ୍ରାଇଭରଙ୍କ ଯୁଦ୍ଧଂଦେହି ଡାକରା। ଠେଙ୍ଗା, ବାଡ଼ି ଧରି ରାଜରାସ୍ତାରେ ହଙ୍ଗାମା। ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୁରା ଭୁବନେଶ୍ବର। କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି। ଗତକାଲି ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ଆନ୍ଦୋଳନବେଳେ ଭଙ୍ଗାରୁଜା ଘଟଣାର ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ୩ଟି ମାମଲା ରୁଜୁ କରାଯାଇଛି ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ କିଛି ଜାଗାରେ ସେମାନେ ରାସ୍ତା ଅବରୋଧ କରିଥିଲେ, ହିଂସା ବି ଘଟାଇଛନ୍ତି। କିଛି ସ୍ଥାନରେ ପୁଲିସକୁ ହଇରାଣ ବି କରିଛନ୍ତି। ଲୋକଙ୍କୁ ଠେଲାପେଲା କରିଛନ୍ତି। ଭିଡ଼ ଉପରେ ସେମାନଙ୍କ ସଂଘ ନେତାମାନଙ୍କର ନିୟନ୍ତ୍ରଣ ନ ଥିଲା। ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗତକାଲି ସମ୍ମାନ,ସୁରକ୍ଷା ଓ ବୀମା ଆଦି ବିଭିନ୍ନ ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଡ୍ରାଇଭର। ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ,ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ, ୫୫ ବର୍ଷ ପରେ ପେନସନ ଦେବାକୁ ଦାବି, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହନିର୍ମାଣ,ଡ୍ରାଇଭରଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବା, ଗାଡି ଗୁଡିକୁ ପାର୍କି ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମଗାର,ଶୌଚାଳୟର ବ୍ୟବସ୍ଥା, ଡ୍ରାଇଭର ମାନଙ୍କର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ଗାଡି ଚଳାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଉ ଆଦି ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଛନ୍ତି। ଅପରପକ୍ଷରେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି ଏବଂ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି। ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.