ଶ୍ରୀଲିଙ୍ଗରାଜ ମାର୍କେଟରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହେବ ପାନୀୟ ପ୍ରକଳ୍ପ

ୱାଟ୍‌କୋ ଖର୍ଚ୍ଚ କରିବ ୧୦ଲକ୍ଷ

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମାର୍କେଟ ବସ୍‌ ରହଣିସ୍ଥଳରେ ନିର୍ମାଣ ହେବ ଥଣ୍ଡା ପାନୀୟ ପ୍ରକଳ୍ପ। ଜନସ୍ବାସ୍ଥ୍ୟ ବିଭାଗ ୱାଟ୍‌କୋ ପକ୍ଷରୁ ଏହି ପ୍ରକଳ୍ପ ତିଆରି କରାଯିବ। ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନରେ ପ୍ରତିଦିନ ଆସୁଥିବା ହଜାର ହଜାର ସଂଖ୍ୟକ ପର୍ଯ୍ୟଟକଙ୍କୁ ଏହି ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ବସ୍‌ ରହଣିସ୍ଥଳରେ ପାନୀୟ ପ୍ରକଳ୍ପ ନିର୍ମାଣ ପାଇଁ ୱାଟ୍‌କୋ ପକ୍ଷରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
ୱାଟ୍‌କୋ ଡିଭିଜନ-୨ର ମହାପ୍ରବନ୍ଧକ ଗୁରୁଚରଣ ଦାସ ପ୍ରକଳ୍ପ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ଶେଷ କରିଛନ୍ତି। ଶ୍ରୀଲିଙ୍ଗରାଜ ମାର୍କେଟ୍‌ ବସ୍‌ ରହଣିସ୍ଥଳ ଉତ୍ତର ପାର୍ଶ୍ବର ପ୍ରସ୍ଥାନ ଫାଟକ ନିକଟରେ ଏହି ପ୍ରକଳ୍ପ ତିଆରି ହେବ। ସେଠାରେ ଏକ ସ୍ବତନ୍ତ୍ର ସମ୍ପ ନିର୍ମାଣ କରାଯିବା ସହ ପର୍ଯ୍ୟଟକଙ୍କୁ ନିରନ୍ତର ଭାବେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ମହାପ୍ରବନ୍ଧକ ଶ୍ରୀ ଦାସ କହିଛନ୍ତି। ଖୁବ୍‌ଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପୁରୀ ଶ୍ରୀକ୍ଷେତ୍ରବାସୀଙ୍କୁ ରାଜ୍ୟ ସରକାର ଚବିଶ ଘଣ୍ଟିଆ ପାଇପ୍‌ ପାଣି ଯୋଗାଇବା ପରେ ଏକାମ୍ରବାସୀଙ୍କୁ ଚବିଶ ଘଣ୍ଟିଆ ପାଇପ୍‌ ପାଣି ଯୋଗାଇ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏକାମ୍ର ନିର୍ବାଚନମଣ୍ଡଳୀର ୧୦୨ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଣାଭୁବନେଶ୍ବରବାସୀଙ୍କୁ ଚବିଶ ଘଣ୍ଟିଆ ପାଣି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି।

Comments are closed.