ପାନୀୟ ଜଳ ପାଇଁ ଡ଼ହଳବିକଳ ବିିସ୍ଥାପିତ ଗ୍ରାମବାସୀ

ରେଙ୍ଗାଳିକ୍ୟାମ୍ପ : ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ନୂଆବାଟିମୁଣ୍ଡା ଗ୍ରାମବାସୀ ପାନୀୟ ଜଳ ସକାଶେ ଡ଼ହଳବିକଳ ହେଉଥିବା ଜଣାଯାଇଛି।
ଅତାବିରା ବ୍ଲକ ସିଲେଟ ପଞ୍ଚାୟତ ଅନ୍ତର୍ଗତ ନୂଆବାଟିମୁଣ୍ଡା ଗ୍ରାମରେ ପ୍ରାୟ ଶହେ ପରିବାର ରହୁଛନ୍ତି। ହୀରାକୁଦ ସକାଶେ ନିଜର ଭିଟାମାଟି ହରାଇଥିଲେ ଏହି ଗାଁ ଲୋକ। ଏହି ପରିତ୍ୟକ୍ତ ଜମି ସରକାର ସେମାନଙ୍କୁ ଦେଇଥିଲେ। ବହୁ ପରିଶ୍ରମ କରି ସେମାନେ ଏହି ଜମିକୁ ଚାଷ ଉପଯୋଗୀ କରିଛନ୍ତି। ହେଲେ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନ ଧରି ଗାଁର ମୁଖ୍ୟ ସମସ୍ୟା ଭାବେ ରହିଛି। ବିଶୁଦ୍ଧ ପାନୀୟ ଜଳ ସକାଶେ କୌଣସି ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଗଭୀର ନଳକୂପ କରିଥିବା କିଛି ଲୋକଙ୍କୁ ମାସିକ କିଛି ପାଉଣା ଦେଇ ଲୋକମାନେ ପାଣି ଆଣୁଥିବା ଜଣାଯାଇଛି।
ଗ୍ରାମରେ ପୂର୍ବରୁ ଗ୍ରାମ ବିକାଶ ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଇଥିଲା। କିନ୍ତୁ ବିଦ୍ୟୁତ ବିଲ ସକାଶେ ଉକ୍ତ ପ୍ରକଳ୍ପ ବନ୍ଦ ହୋଇଯାଇଥିଲା। ଏହା ପରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। ଗାଁରେ ଲୋକଙ୍କ ଘର ସମ୍ମୁଖରେ ପାନୀୟ ଜଳ ଯୋଗାଣ ସକାଶେ ଟ୍ୟାପ୍ ଲଗାଯାଇଛି। ହେଲେ ସେଠାରେ ପାନୀୟ ଜଳ ଯୋଗାଣ ହେଉ ନାହିଁ। ଏହା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗାଁର ଗୋଟିଏ ପାର୍ଶ୍ବରେ ବିଶାଳ ଜଳଭଣ୍ଡାର ଓ ଗାଁର କିଛି ଦୂରରେ ଶାଖା କେନାଲ ଯାଇଛି। ଉଭୟ ପଟରେଏହି ସ୍ଥିତି ସତ୍ତ୍ବେ ଆଜି ପର୍ଯ୍ୟନ୍ତ ପାଣି ଟିକେ ନପାଇବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଆରଡ଼ବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସାଇମନ ଟପୋଙ୍କୁ ପଚାରିବାରୁ ସେ କହିଲେ ଯେ ଗ୍ରାମରେ ପୂର୍ବରୁ ଗ୍ରାମ ବିକାଶ ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ୪୦ ହଜାର ଟଙ୍କା ବିଦ୍ୟୁତ ବିଲ ହେବାରୁ ତାହା ପୈଠ କରାଯାଇ ନଥିଲା। ଫଳରେ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଥିଲା । କିଛି ମାସ ହେଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହି ସମସ୍ୟାର ସମାଧାନ କରାଯାଇ ପାନୀୟ ଜଳ ଯୋଗାଣ ସକାଶେ ପଦକ୍ଷେପ ନିଆଯାଇଛି । ବିଦ୍ୟୁତ ଦେୟ ପୈଠ କରାଯାଇଛି। ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା  କାମ ଚାଲିଛି, ଖୁବ ଶୀଘ୍ର ଗ୍ରାମବାସୀ ପାନୀୟ ଜଳ ପାଇ ପାରିବେ।
ଏ ନେଇ ସିଲେଟ ସରପଞ୍ଚ ନିରୁପମା ଷଣ୍ଢଙ୍କୁ ପଚାରିବାରୁ ଗାଁକୁ ପୂର୍ବରୁ ପାନୀୟ ଜଳ ଯୋଗାଣ କରାଯାଉଥିଲା। କିଛି ସମସ୍ୟା ପାଇଁ ଏହା ବନ୍ଦ ହୋଇଯାଇଥିଲା। ଏବେ ପୁଣି ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ପ୍ରୟାସ କରାଯାଉଛି ବୋଲି କହିଥିଲେ।

ଆସନ୍ତା ୧ ତାରିଖ ସୁଦ୍ଧା ବ୍ଲକ ପକ୍ଷରୁ ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ ଯେପରି ହେବ ସେ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ଗାଁରେ ସମସ୍ୟା ଦେଖାଯିବ ତେବେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର କହିଥିଲେ।

Comments are closed.