ବାଳକୁମାରୀ ପୀଠରେ ପାନୀୟଜଳ ସଙ୍କଟ, ମିଳୁନି ସର୍ବନିମ୍ନ ମୌଳିକ ସୁବିଧା

ଚିକିଟି/ନିପ୍ର: ଦକ୍ଷିଣ ଓଡ଼ିଶାର ଅନନ୍ୟ ଶକ୍ତିପୀଠ ମାଁ ବାଳକୁମାରୀ ଦିନକୁ ଦିନ ଲୋକାଦୃତ ହେଉଥିବା ବେଳେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ସରକାର ଏହି ପୀଠକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇ ପର୍ବତ ଶିଖରକୁ ପକ୍କା ରାସ୍ତା, ଅତିଥି ଭବନ, ପାର୍କିଂ ବ୍ୟବସ୍ଥା, ଭୋଜିଭାତ ପାଇଁ ମଣ୍ଡପ ଓ ବିଭିନ୍ନ ବୃକ୍ଷଲତାରେ ପରିପୂର୍ଣ୍ଣ ସବୁଜ ବଳୟ ପର୍ଯ୍ୟଟକଙ୍କ ମନ ମୋହୁଛି। ଏପରି ସ୍ଥଳେ ଶ୍ରଦ୍ଧାଳୁଙ୍କୁ ମିଳୁନି ସର୍ବନିମ୍ନ ମୌଳିକ ସୁବିଧା। ପ୍ରଥମତଃ ଏଠାରେ ମିଳୁନି ପାନୀୟ ଜଳ। ବିକାଶର ଦ୍ୱାହିଦେଇ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ବିଫଳ। ଆଜକୁ ଦୀର୍ଘ ୩୦ବର୍ଷ ଆଗରୁ ପର୍ବତ ମଝିରେ ଏକ ଛୋଟିଆ ଗାଡ଼ିଆ ଖୋଲି ସେଥିରୁ ମୋଟର ଯୋଗେ ମନ୍ଦିର ନିକଟ ଏକ ଛୋଟିଆ କୁଣ୍ଡକୁ ପାଣି ଉଠାଯାଉଥିଲା। ସେତେବେଳେ ଶିଖରକୁ ଯିବାକୁ ଦୁର୍ଗମ ଜଙ୍ଗଲ ଦେଇ ୧୨୭୨ ପାହାଚ ଚଢ଼ିବାକୁ ପଡୁଥିଲା। ଯାହା ଫଳରେ ସୁସ୍ଥ ସବଳ ଲୋକେହିଁ ଶିଖର ପୀଠରେ ପହଞ୍ଚି ମା’ ଙ୍କର ଦର୍ଶନ କରିପାରୁଥିଲେ। ସେତେବେଳେ ନବରାତ୍ର ପୂଜାକୁ ବାଦ ଦେଲେ ଦୈନିକ ଶହେରୁ ଦେଢଶହ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିଲା।

ଏବେ କିନ୍ତୁ ପୀଠ ଯାଏଁ ପକ୍କା ସଡକ ଓ ଅତ୍ୟାଧୁନିକ ପାହାଚ ନିର୍ମାଣ ହେବାପର ଠାରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି। ଦୈନିକ ବଣ ଭୋଜିର ଆସର ମଧ୍ୟ ଜମୁଛି। ଏପରି ସ୍ଥଳେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ୩୦ବର୍ଷ ଆଗରୁ ଖୋଲାଯାଇଥିବା ପୋଖରୀର ପାଣି ଶୁଖାଇ ପୁନରୁଦ୍ଧାର କରାଯାଇଛି। ପାନୀୟ ଜଳ ସଙ୍କଟ ଦୁରପାଇଁ ପ୍ରଶାସନ ଜଳଯୋଗାଣ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାକୁ ଦୀର୍ଘ ଦୁଇବର୍ଷ ବିତି ଗଲାଣି ତଥାପି ସମ୍ପୃକ୍ତ ବିଭାଗ ଜଳଯୋଗାଣ ପାଇଁ ତତ୍ପରତା ପ୍ରକାଶ କରୁନାହାନ୍ତି। ଏଣେ ବୁନ୍ଦାଏ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଯେଉଁଠି ପିଇବା ପାଇଁ ପାଣି ମିଳୁନି ସେଠି ପାଇଖାନା ଓ ସ୍ନାନଗାର କିପରି ପରିଚାଳନା ହେଉଥିବ ତାହା ସହଜରେ ଅନୁମେୟ।

ଭୋଜିଭାତ ପାଇଁ ପାଣି ଅବସ୍ଥା ନକହିଲେ ଭଲ। ଲୋକେ ପାହାଡ଼ ପାଦଦେଶ ରାମଗୁଡ଼ାରୁ ପାଣିନେଇ ଭୋଜି ରାନ୍ଧୁଛନ୍ତି। ଏହାର ସୁଯୋଗ ନେଇ କିଛି ଲୋକ ଦୂଷିତ ପେକେଟ ପାଣି ବିକି ମାଲାମାଲ ହେଉଛନ୍ତି ଓ ଲୋକେ ଏହାକୁ ପିଇବାକୁ ବାଧ୍ୟ ହେଉଛନ୍ତି।ଏସବୁ ପର୍ଯ୍ୟଟନ ବିଭାଗ, ପ୍ରଶାସନ , ଜଳଯୋଗାଣ ବିଭାଗ ଜାଣି ମଧ୍ୟ ଅଜଣା। ଏଣୁ ଏହି ପୀଠର ପାନୀୟ ଜଲବ୍ୟବସ୍ଥା କେବେ ହେବ ଓ ଶ୍ରଦ୍ଧାଳୁ କେବେ ସର୍ବନିମ୍ନ ମୌଳିକ ସୁବିଧା ପାଇବେ ଦେଖିବାକୁ ବାକି ରହିଲା।

Comments are closed.