ସହରବାସୀଙ୍କୁ ମିଳୁନି, ରାସ୍ତାରେ ଭାସୁଛି ପାନୀୟ ଜଳ

ଟିଟିଲାଗଡ଼ : ଟିଟିଲାଗଡ ସହରର କଚେରି ଛକରେ ରବିବାର ଦିନ ୧୨ଟାରେ ଏକ ଅଭାବନୀୟ ଦୃଶ୍ୟ ସଭିଙ୍କୁ ଚକିତ କରିଥିଲା। ଛକରେ ଥିବା ପେଟ୍ରୋଲ ପମ୍ପରୁ ପାନୀୟ ଜଳ ରାସ୍ତାରେ ବହି ଚାଲିଥିଲା। ପରେ ତଦନ୍ତ ହେବାରୁ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପୌର ପ୍ରଶାସନ ପକ୍ଷରୁ ନିୟୋଜିତ ବିଶିଷ୍ଟ ଟ୍ରାକ୍ଟର ସହ ସଂଯୁକ୍ତ ପାଣି ଟାଙ୍କି ପେଟ୍ରୋଲ ପମ୍ପରେ ଥିବା ଓଭର ହେଡ ଟ୍ୟାଙ୍କକୁ ମୋଟର ଯୋଗେ ପାଣି ଯୋଗାଉଥିଲା। ତେବେ ଓଭର ହେଡ ଟ୍ୟାଙ୍କ ଫୁଲ ହେବା ନେଇ ତାହା ରାସ୍ତାରେ ଉଛୁଳି ପଡିଥିଲା। ଟିଟିଲାଗଡ ସହର କେବଳ ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧିକୁ ନେଇ ଚର୍ଚ୍ଚାରେ ତାହା ନୁହେଁ, ବର୍ଷ ସାରା ଏଠି ପାନୀୟ ଜଳ ସଂକଟ। ଗ୍ରୀଷ୍ମ ହେଉ ବା ଶୀତ, ସାତ ଦିନରେ ଥରେ ପିଏଚଡି ପକ୍ଷରୁ ସହରର ବିଭିନ୍ନ ୱାର୍ଡକୁ ପାଳି କରି ପାନୀୟ ଜଳ ବଣ୍ଟନ କରାଯାଇଥିଲା।  ପୌର ପ୍ରଶାସନ ପକ୍ଷରୁ ଏନେଇ ପ୍ରତ୍ୟେହ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ନିଅଣ୍ଟିଆ ହେଉଛି। ଏପରିକି ମାର୍ଗଶିର ମାସ ଗୁରୁବାରରେ ଲୋକେ ଚାରି ପାଞ୍ଚ ଦିନ ତଳର ବାସି ପାଣିରେ ଲକ୍ଷ୍ମୀଙ୍କ ପ୍ରସାଦ ପ୍ରସ୍ତୁତି ସହ ପୂଜା କରିଥିବା ଆଲୋଚନାର ବିଷୟ ହୋଇଛି। ଏସବୁ ସଜଡାଇ ସହରବାସୀଙ୍କ ଜଳ କଷ୍ଟ ଲାଘବ ବଦଳରେ ପେଟ୍ରୋଲ ପମ୍ପ ମାଲିକଙ୍କ ସେବାରେ ପୌର ପ୍ରଶାସନ ଲାଗି ପଡିବା ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରିଛି।

Comments are closed.