୪ ଜିଲାରେ ପାନୀୟ ଜଳ ଯୋଗାଣ ; ବ୍ୟୟ ହେବ ୨୮୯୭କୋଟି

0

କଟକ : ଆଉ କିଛି ଦିନ ପରେ ଗାଁଗଣ୍ଡାରେ ବସବାସ କରୁଥିବା ଲୋକମାନେ ପାନୀୟ ଜଳ ଚିନ୍ତାରୁ ମୁକ୍ତି ପାଇବେ। ପ୍ରତ୍ୟେକ ଗାଁରେ ବସବାସ କରୁଥିବା ଲୋକମାନଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିବା ପରେ ଅନେକ ଜିଲାରେ ମେଗା ପ୍ରକଳ୍ପ ନିମନ୍ତେ ଟେଣ୍ଡର କାର୍ଯ୍ୟ ସମାପନ ହୋଇସାରିଲାଣି। ତେବେ ସରକାରଙ୍କ ଏହି ଯୋଜନାରେ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଯାଜପୁର ଜିଲାରେ ସମୁଦାୟ ୨୮୯୬.୯୧କୋଟି ଟଙ୍କା ବ୍ୟୟ କରିବା ପାଇଁ ଯାଉଥିବାବେଳେ ଉକ୍ତ ଜିଲାର ୨୧୯ ଗ୍ରାମ ପଞ୍ଚାୟତର ୧୫୭୯ ଗ୍ରାମବାସୀ ଉପକୃତ ହେବେ। ଏହି ପାନୀୟ ଜଳ ସ୍ଥାନୀୟ ନଦୀ, ଜଳାଶୟରୁ ଉତ୍ତୋଳନ କରାଯାଇ ବିଶୋଧନ କରାଯିବା ପରେ ପ୍ରତ୍ୟେକ ଘରକୁ ଯୋଗାଇଦିଆଯିବ। ତେବେ କେନ୍ଦୁଝର ଜିଲାରେ ୧୪୯୬.୦୧କୋଟି ଟଙ୍କା ବ୍ୟୟ ହେବାକୁ ଥିବାବେଳେ ୧୧୯ ପଞ୍ଚାୟତ ଅଧୀନସ୍ଥ ୭୮୯ ଗ୍ରାମର ୯ଲକ୍ଷ ୧୪ହଜାର ୩ଜଣ ଉପକୃତ ହେବେ। ଆନନ୍ଦପୁର ଅଧୀନସ୍ଥ ହାଟଡିହି ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ ୧୨୭.୩୬କୋଟି ବ୍ୟୟ ହେବାକୁ ଥିବାବେଳେ ହଦଗଡ଼ ଜଳାଶୟରୁ ପାଣି ଉଠାଯାଇ ୨ଲକ୍ଷ ୩୫୫ଜନତାକୁ ପାଣି ଯୋଗାଣ କରାଯିବ। ସେହିପରି କେନ୍ଦୁଝର ଜିଲାର ଖଣି ପ୍ରଭାବିତ ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର, ବାଂଶପାଲ ବ୍ଲକରେ ସର୍ବାଧିକ ୧୩୬୮.୬୫କୋଟି ବ୍ୟୟ ହେବ। ବନଖାଲ ଡ୍ୟାମରୁ ପାଣି ଉତ୍ତୋଳନ କରାଯାଇ ବିଶୋଧନ କରାଯିବା ପରେ ୮୯ପଞ୍ଚାୟତ ଅଧୀନସ୍ଥ ୫୮୯ଗାଁର ୭ଲକ୍ଷ ୧୩ହଜାର ୬୪୮ଜନତାକୁ ପାଣି ଯୋଗାଇଦିଆଯିବ। ସେହିପରି ମୟୂରଭଞ୍ଜ ଜିଲାରେ ସମୁଦାୟ ୯୨୬. ୨୪କୋଟି ବ୍ୟୟ ହେବ। ଏହି ପ୍ରକଳ୍ପ ମାଧ୍ୟମରେ ରାଇରଙ୍ଗପୁର ବ୍ଲକ ଖଣି ପ୍ରଭାବିତ ଅଞ୍ଚଳରେ ବନଖାଲ ଡ୍ୟାମରୁ ପାଣି ଉଠାଯାଇ ୧ଲକ୍ଷ ୪ହଜାର ୭୯ଲୋକଙ୍କୁ ଯୋଗାଇଦିଆଯିବ। ଏଥିପାଇଁ ୨୧୫.୪୧କୋଟି ବ୍ୟୟ ହେବାକୁ ଥିବାବେଳେ ୯ପଞ୍ଚାୟତର ୧୧୩ଗ୍ରାମବାସୀ ଉପକୃତ ହେବେ। ତେବେ କୁସୁମୀ ବ୍ଲକରେ ୨୪୯.୭୪କୋଟି ବ୍ୟୟ ହେବାକୁ ଥିବାବେଳେ ସୁଲାଇପାଟ ଡ୍ୟାମରୁ ପାଣି ଉତ୍ତୋଳନ କରାଯାଇ ୧୪ପଞ୍ଚାୟତର ୧୧୩ ଗ୍ରାମକୁ ଯୋଗାଣ କରାଯିବ। ଫଳରେ ଏହି ବ୍ଲକର ୧ଲକ୍ଷ ୫୬ହଜାର ୧୩୮ଜଣ ଉପକୃତ ହେବେ। ସେହିପରି ଯଶୀପୁର ବ୍ଲକରେ ୪୬୧.୦୯କୋଟି ବ୍ୟୟ ହେବାକୁ ଥିବାବେଳେ ଦେଓ ଡ୍ୟାମରୁ ପାଣି ଉଠାଯାଇ ୨୦ପଞ୍ଚାୟତର ୨୧୮ଗ୍ରାମକୁ ଯୋଗାଣ କରାଯିବ। ଏଥିରେ ୧ଲକ୍ଷ ୬୭ହଜାର ୭୭୬ଲୋକ ଉପକୃତ ହେବେ। କୋରାପୁଟ ଜିଲାରେ ସମୁଦାୟ ୩୧୮.୬୯କୋଟି ଟଙ୍କା ବ୍ୟୟ ହେବାକୁ ଥିବାବେଳେ ପଟ୍ଟାଙ୍ଗୀ ବ୍ଲକରେ ୧୧୦.୫୫କୋଟି ଟଙ୍କା ଖର୍ଚ୍ଚ ହେବ। ଜଲାପଟ ଜଳାଶୟରୁ ପାଣି ଉଠାଯାଇ ୧୪ପଞ୍ଚାୟତର ୧୦୨ଗ୍ରାମରେ ବସବାସ କରୁଥିବା ୧ଲକ୍ଷ ୧୪ହଜାର ୨୩୯ଲୋକଙ୍କୁ ପାଣି ଯୋଗାଇ ଦିଆଯିବ। ସେହିପରି କୋରାପୁଟ ବ୍ଲକରେ ୮୩.୮କୋଟି ବ୍ୟୟରେ ପ୍ରକଳ୍ପ ହେବାକୁ ଥିବାବେଳେ ଉପର କୋଲାବ ଜଳାଶୟରୁ ପାଣି ଉଠାଯାଇ ୧୦ପଞ୍ଚାୟତର ୬୯ଗ୍ରାମର ୬୬ହଜାର ୮୬୫ଲୋକଙ୍କୁ ପାଣି ଯୋଗାଇଦିଆଯିବ।

Leave A Reply