ଧର୍ମସ୍ଥଳରେ ପୋଷାକ ନିୟମ

କୌଣସି ମନ୍ଦିର ବା ଧର୍ମସ୍ଥଳ ଏକ ପବିତ୍ର ସ୍ଥାନ ହୋଇଥାଏ। ସେହି ସ୍ଥାନ ପ୍ରତି ସମସ୍ତଙ୍କ ମନରେ ଭକ୍ତି ଓ ସମ୍ମାନ ଭରି ରହିଥାଏ। ତେଣୁ ସେହିଭଳି ସ୍ଥାନକୁ ଗଲାବେଳେ ବେଶଭୂଷା ମଧ୍ୟ ସେହିଭଳି ଭଦ୍ର ଓ ଶାଳୀନ ହେବା ଜରୁରୀ ବୋଲି ମନେ କରାଯାଏ। ସେଥିପାଇଁ ଅନେକ ଧର୍ମସ୍ଥଳରେ ବେଶଭୂଷାକୁ ନେଇ କେତେକ କଟକଣା ରହିଛି। ଚାଲନ୍ତୁ ଜାଣିବା ସେହି ସବୁ କଟକଣା ବିଷୟରେ –
ଲୁଙ୍ଗି ପିନ୍ଧି ଓ ଶାର୍ଟ ଖୋଲି ଏହି ମନ୍ଦିରରେ ପ୍ରବେଶ କରିବେ- କେରଳର ଥିରୁଅନନ୍ତପୁରମରେ ଅବସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର। ଏହି ମନ୍ଦିରରେ ଉଭୟ ତାମିଲ ଓ କେରଳ ସ୍ଥାପତ୍ୟର ଝଲକ ଦେଖିବାକୁ ମିଳେ। ତାମିଲ ମନ୍ଦିର ଭଳି ଏହା ସମ୍ପୂର୍ଣ୍ଣ ରଙ୍ଗିନ ନ ହୋଇ କେରଳ ମନ୍ଦିର ପରି ଗୋଲ୍ଡେନ୍ ପ୍ଲେଟେଡ୍ ହୋଇଥାଏ। ଏଠାରେ ଭଗବାନ ବିଷ୍ଣୁ ପୂଜା ପାଆନ୍ତି। ତେବେ ଉକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ କିଛିଟା ନିୟମ ପାଳନ କରିବାକୁ ପଡିଥାଏ। ଖାସ୍ କରି ପୁରୁଷମାନଙ୍କ ପାଇଁ ଲୁଙ୍ଗି ପିନ୍ଧିବା ବାଧ୍ୟତାମୂଳକ। ଏହାକୁ କିଣି ଅବା ଭଡାରେ ଆଣି ପିନ୍ଧିବାକୁ ପଡ଼ିଥାଏ। ଏଥିସହିତ ଶାର୍ଟ ମଧ୍ୟ ଖୋଲିବାକୁ ପଡ଼େ। ପ୍ୟାଣ୍ଟ ପିନ୍ଧିଥିଲେ ତା’ଉପରେ ଲୁଙ୍ଗି ପିନ୍ଧି ଯାଇପାରିବେ। ସେହିଭଳି ମହିଳାମାନଙ୍କୁ ଶାଢି ବା ଲଙ୍ଗ୍ ସ୍କର୍ଟ ପିନ୍ଧିବାକୁ ହେବ। କାରଣ ଏହି ପୋଷାକ ପିନ୍ଧି ନ ଥିଲେ ମନ୍ଦିର ଭିତରକୁ ପ୍ରବେଶ ମନା।
ଏହି ମନ୍ଦିରକୁ ବିନା ଶାଢିରେ ପ୍ରବେଶ ନିଷେଧ- ଉତ୍ତରପ୍ରଦେଶ,ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ଏକ ପ୍ରାଚୀନ ଓ ପ୍ରସିଦ୍ଧ ଶିବ ମନ୍ଦିର। ଏହି ମନ୍ଦିର ଗଙ୍ଗା ନଦୀର ପଶ୍ଚିମ ତଟରେ ଅବସ୍ଥିତ। ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ। ତେବେ ଏଠାରେ ମହାପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଇଚ୍ଛା ରଖିଥିବା ଭକ୍ତଙ୍କୁ ପୋଷାକ ପ୍ରତି ସଜାଗ ରହିବାକୁ ହୋଇଥାଏ। କାରଣ ତାଙ୍କ ଦର୍ଶନ ନିମନ୍ତେ, ଖାସ୍ କରି ମହିଳାମାନେ ଶାଢି ପିନ୍ଧିବା ଅପରିହାର୍ୟ୍ୟ ହୋଇଥାଏ। ଆଣ୍ଠୁ ଉପରକୁ ପୋଷାକ ପିନ୍ଧି ଆସିଥିବା ମହିଳା ଭକ୍ତଙ୍କୁ ଏଠି ଶାଢି ପ୍ରଦାନ କରାଯାଏ। ଏଠାରେ ଥିବା ପୋଷାକ ବଦଳାଇବା କକ୍ଷରେ ସେମାନେ ପୋଷାକ ବଦଳାଇ ଶାଢି ପିନ୍ଧିବା ପରେ ହିଁ ମନ୍ଦିର ଭିତରକୁ ଯାଇଥାଆନ୍ତି। ମହିଳା ପୁଲିସମାନେ ଶାଢି ପିନ୍ଧିବାବେଳେ ସେମାନଙ୍କୁ ସାହାଯ୍ୟ କରିଥାଆନ୍ତି। ଉଭୟ ବିଦେଶୀ ଓ ସ୍ଥାନୀୟ ଭକ୍ତଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥାଏ।
Related Posts