ମାଟ୍ରିକ ମୁକାବିଲା ପାଇଁ ‘ଡ୍ରିମ୍‌ସ-୨’: ଏସ୍‌ଓପି ଜାରି କଲା ଗଞ୍ଜାମ ଜିଲା ଶିକ୍ଷା ବିଭାଗ,ଘରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ବ୍ରହ୍ମପୁର: କରୋନା ଯୋଗୁ ଚଳିତ ଶିକ୍ଷା ବର୍ଷ ପାଠପଢ଼ା ବିଶେଷ ଭା​‌ବେ ପ୍ରଭାବିତ ହୋଇଛି। ପ୍ରାୟ ୧୦ ମାସ ହେଲା ଶିକ୍ଷାଦାତା ଏବଂ ଶିକ୍ଷା ଗ୍ରହଣକାରୀଙ୍କ ମଧ୍ୟରେ ସଂପର୍କ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି। ପୁଣିଥରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ମଧ୍ୟରେ ସଂପର୍କ ତିଆରି ସହ ଆସନ୍ତା ମାଟ୍ରିକ୍‌ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ ପାଇଁ ଜିଲା ଗଞ୍ଜାମ ଶିକ୍ଷା ବିଭାଗ ତରଫରୁ ଏକ ଅଭିନବ ଯୋଜନା କାର୍ୟ୍ୟକାରୀ ହେବାକୁ ଯାଉଛି। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ‘ଡ୍ରିମ୍‌ସ-୨’ ନାମରେ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ ହୋଇଛି। ଏଥି ସହ ପିଲାମାନଙ୍କୁ ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତ କରାଯିବ, ସେନେଇ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରେସିଜ୍ୟୁଅର୍‌(ଏସ୍‌ଓପି) ଜାରି କରାଯାଇଛି। ଏନେଇ ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପଧାନଙ୍କ ତରଫରୁ ସମସ୍ତ ସରକାରୀ, ବେସରକାରୀ, ଅନୁଦାନ ପ୍ରାପ୍ତ ଏବଂ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖାଯାଇଛି।
‘ଡ୍ରିମ୍‌ସ-୨’ର ରୂପରେଖ ସଂପର୍କରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯-୨୦ ଶିକ୍ଷା ବର୍ଷରେ ଜିଲାରେ ଡ୍ରିମ୍‌ସ-୧ କାର୍ୟ୍ୟକାରୀ ହୋଇଥିଲା। ଚଳିତ ବର୍ଷ କରୋନା ଯୋଗୁ ସ୍ଥିତି ବିଗିଡ଼ିଯାଇଛି। ଶ୍ରେଣୀ ଗୃହ ପାଠପଢ଼ା ବନ୍ଦ ରହିଛି। ଅନ୍‌ଲାଇନ୍‌ ଶ୍ରେଣୀ ଯଥେଷ୍ଟ ହେଉନି। ମଧୁ ଆପ୍‌ ଏବଂ ଦିକ୍ଷା ଆପ୍‌ରେ ପାଠପଢ଼ାର ଲାଭ ସମସ୍ତେ ପାଉନାହାନ୍ତି। ଏଣୁ ଆସନ୍ତା ମାଟ୍ରିକ୍‌ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ‘ଡ୍ରିମ୍‌ସ-୨’ କାର୍ୟ୍ୟକାରୀ ହେବାକୁ ଯାଉଛି। ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ଏବଂ ଦଶମ ଶ୍ରେଣୀର ପ୍ରଦର୍ଶନ ଅନୁଯାୟୀ, ପିଲାମାନଙ୍କୁ ଲୋ-ଆଚିଭର୍‌, ଆଭରେଜ୍‌ ଏବଂ ହାଇ ଆଚିଭର୍‌ ନାମରେ ୩ଟି ଭାଗରେ ବିଭକ୍ତ କରାଯିବ। ଡିଷ୍ଟ୍ରିଟ୍‌ ରିସର୍ଚ ଗ୍ରୁପ୍‌(ଡିଆର୍‌ଜି)ମାନେ ପ୍ରତ୍ୟେକ ବିଷୟର ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ ା ଏଥିରେ ୧୫ମାର୍କ ଅବ୍‌ଜେକ୍ଟିଭ୍‌ ଏବଂ ୨ଟି ୫ ମାର୍କ ବିଶିଷ୍ଟ ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ। ଏଥି ସହ ହାଇ ଆଚିଭର୍‌ ପିଲାମାନଙ୍କ ପାଇଁ ଆଉ କିଛି ଅଧିକ ପ୍ରଶ୍ନ ଦିଆଯିବ। ଏହି ପ୍ରଶ୍ନପତ୍ରକୁ ହ୍ବାଟସ୍‌ଅପ୍‌ ଜରିଆରେ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କ ପାଖକୁ ପଠାଯିବ। ସେମାନେ ତାହାର ପ୍ରିଣ୍ଟ ବାହାର କରିବେ। ଏଥି ପାଇଁ ପରୀକ୍ଷା ପାଣ୍ଠି, ବାର୍ଷିକ ବିଦ୍ୟାଳୟ ପାଣ୍ଠି କିମ୍ବା ମୋ-ସ୍କୁଲ ଅନୁଦାନରୁ ଟଙ୍କା ଖର୍ଚ କରାଯିବ। ପ୍ରତ୍ୟେକ ଥର ପରୀକ୍ଷାରେ ଗୋଟିଏ ବିଷୟର ୨ରୁ ୩ଟି ଚାପ୍ଟରର ପ୍ରଶ୍ନ ରହିବ। ପ୍ରତ୍ୟେକ ସପ୍ତାହର ମଙ୍ଗଳବାରରେ ୩ଟି ବିଷୟର ପ୍ରଶ୍ନପତ୍ର ଛାତ୍ରଛାତ୍ରଙ୍କୁ ସିଧାସଳଖ, ଅଭିଭାବକଙ୍କ ଜରିଆରେ କିମ୍ବା ବିଦ୍ୟାଳୟକୁ ଡାକି ପ୍ରଦାନ କରାଯିବ। ସେମାନେ ଘରେ ହିଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେବେ। ଏଥି ପାଇଁ ଗୋଟିଏ ସପ୍ତାହ ସମୟ ଦିଆଯିବ। ପରବର୍ତ୍ତୀ ମଙ୍ଗଳବାରରେ ଉତ୍ତରଖାତା ସଂଗ୍ରହ କରାଯିବ। ପ୍ରତି ମାସର ପ୍ରଥମ ଏବଂ ତୃତୀୟ ସପ୍ତାହ ମଙ୍ଗଳବାରରେ ଓଡ଼ିଆ, ଗଣିତ ଏବଂ ସାମାଜିକ ବିଜ୍ଞାନ, ଦ୍ବିତୀୟ ଏବଂ ଚତୁର୍ଥ ସପ୍ତାହରେ ଇଂରାଜୀ, ସଂସ୍କୃତ/ହିନ୍ଦୀ, ସାଧାରଣ ବିଜ୍ଞାନ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ବ୍ଲକ ସ୍ତରରେ ୩ଟି ବିଷୟର ଶିକ୍ଷକଙ୍କୁ ନେଇ ବ୍ଲକ ରିସର୍ଚ ଗ୍ରୁପ୍‌(ବିଆର୍‌ଜି) ଗଠନ କରାଯିବ। ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ଏକ ମନିଟରିଂ ଗ୍ରୁପ୍‌ ତିଆରି କରାଯିବ ବୋଲି ଏସ୍‌ଓପିରେ ଦର୍ଶାଯାଇଛି।
ସେହିଭଳି ଏସ୍‌ଓପିରେ ଜିଲା ବିଜ୍ଞାନ ପର୍ୟ୍ୟବେକ୍ଷକ, ଡିଆର୍‌ଜି, ବ୍ଲକ ଶିକ୍ଷା ଅଧିକାରୀ, ବି.ଆର୍‌.ଜି, ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନଙ୍କ ଭୂମିକା ସଂପର୍କରେ ମଧ୍ୟ ଉଲ୍ଲେଖ ରହିଛି। ସମସ୍ତ ପରୀକ୍ଷାର ବିବରଣୀ ସଂଗ୍ରହ ଦାୟିତ୍ବ ଜିଲା ବିଜ୍ଞାନ ପର୍ୟ୍ୟବେକ୍ଷକଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ପ୍ରଶ୍ନପତ୍ର ପ୍ରସ୍ତୁତି, ମୂଲ୍ୟାୟାନ, ବିଷୟ ଚୟନ ଏବଂ ଦ୍ବନ୍ଦ୍ବ ଦୂର କରିବା ଡିଆର୍‌ଜିଙ୍କୁ ଦାୟିତ୍ବ ଦିଆଯାଇଛି। ବ୍ଲକ ଶିକ୍ଷା ଅଧିକାରୀମାନେ ନିଜ ବ୍ଲକର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ନିୟମିତ ସମୀକ୍ଷା, ଡିଆର୍‌ଜି ଏବଂ ବି.ଆର୍‌.ଜିଙ୍କ ସହ ଯୋଗାଯୋଗ ଏବଂ ସମସ୍ତ ବର୍ଗଙ୍କୁ ଏଥିରେ ସାମିଲ୍‌ କରିବେ। ବିଆର୍‌ଜିମାନେ ନିଜ ବ୍ଲକରେ ଡ୍ରିମ୍‌ସ-୨ର ତଦାରଖ, ପରାମର୍ଶ, ମାର୍ଗଦର୍ଶନ ଏବଂ ଭଲ ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ଦୂର କରିବା ଦାୟିତ୍ବରେ ରହିବେ। ପ୍ରଧାନଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ବର୍ଗୀକରଣ, ମାର୍ଗଦର୍ଶକ ଚୟନ, ସମସ୍ତ ପିଲାଙ୍କୁ ସାମିଲ୍‌ କରିବା ଏବଂ ପରୀକ୍ଷା ଫଳର ସମୀକ୍ଷା ଦାୟିତ୍ବରେ ରହିବେ। ଶିକ୍ଷୟ ଶିକ୍ଷୟିତ୍ରୀମାନେ ପ୍ରଶ୍ନପତ୍ର ବଣ୍ଟନ, ଉତ୍ତରଖାତା ସଂଗ୍ରହ, ରେଜିଷ୍ଟ୍ରର୍‌ ଲେଖିବା, ନିୟମିତ ଛାତ୍ରଛାତ୍ରୀଙ୍କ ଘରକୁ ପରିଦର୍ଶନରେ ଯିବା, ପରୀକ୍ଷା ଫଳ ପ୍ରକାଶ ସହ ଅନ୍ୟାନ୍ୟ ଦାୟିତ୍ବରେ ରହିବେ। ସମସ୍ତ କାର୍ୟ୍ୟ ସରକାରଙ୍କ କରେ​‌ାନା କଟକଣା ମଧ୍ୟରେ କାର୍ୟ୍ୟକାରୀ କରିବାକୁ ଜିଲା ଶିକ୍ଷା ଅଧିକାରୀ ପଧାନ ଏହି ଏସ୍‌ଓପିରେ ଉଲ୍ଲେଖ ରହିଛି ା

Comments are closed.