ଯାତନା ଦେଉଛି ‘ସ୍ମାର୍ଟସିଟି’: ସ୍ବପ୍ନ ଦେଖାଇ ଶୋଇଗଲେ; ଅପାରଗତା ଲୁଚେଇବା ପାଇଁ ବିପର୍ଯ୍ୟୟ ଢାଲ

– ୫ ବର୍ଷରେ ସରିଛି ୩ଟି ପ୍ରକଳ୍ପ
– ୮୦ ପ୍ରତିଶତରୁ ଊର୍ଦ୍ଧ୍ବ କାର୍ଯ୍ୟ ଅଧପନ୍ତରିଆ
– ଜଣେ ଅଧିକାରୀଙ୍କୁ ଏକାଧିକ ଦାୟିତ୍ବ
– ବଢୁଛି ଅବଧି, ସରୁନି ନିର୍ମାଣ

ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟସିଟି ‘ଭୁବନେଶ୍ୱର’ ଘୋଷଣା ପରେ ସହରବାସୀ ଯେତିକି ଉଲ୍ଲସିତ ହୋଇଥିଲେ ଏବେ ସେତିକି ଅନୁତାପ କରୁଛନ୍ତି। କାରଣ ସ୍ମାର୍ଟସିଟି ନାଁରେ ସ୍ବପ୍ନ ଦେଖାଇ କର୍ତ୍ତୃପକ୍ଷ କେବଳ ଦିନ ଗଡ଼ାଇ ଚାଲିଛନ୍ତି ସିନା ହେଲେ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ କୌଣସି କାର୍ଯ୍ୟ ସରିପାରୁନି। ଗତ ୫ବର୍ଷ ମଧ୍ୟରେ ୧୬ଟି ପ୍ରକଳ୍ପରୁ ଅଦ୍ୟାବଧି ୩ଟିର କାର୍ଯ୍ୟ ସରିଥିଲେ ହେଁ ସେସବୁର ଭରପୂର ଫାଇଦା ସହରବାସୀ ନେଇପାରୁନାହାନ୍ତି। ଅଧିକନ୍ତୁ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସହରର ଚିତ୍ରକୁ ମଳିନ କରିବା ସହ ଲୋକଙ୍କୁ ଯାତନା ଦେଉଥିବା ଅଭିଯୋଗ ହେଉଛି। ସ୍ମାର୍ଟସିଟି ଗଠନ ଦିନଠାରୁ ବିଏସ୍‌ସିଏଲ୍‌ ୧୬ଟି ପ୍ରକଳ୍ପ କାର୍ଯ୍ୟର ଦାୟିତ୍ୱ ନେଇଛି। ଅଧିକାଂଶ ପ୍ରକଳ୍ପ କାର୍ଯ୍ୟର ଅବଧି ସରିଯାଇଛି। ଅନେକର ଅବଧି ବହୁବାର ପରିବର୍ଦ୍ଧିତ କରାଯାଇଛି, ପ୍ରାୟ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ପ୍ରକଳ୍ପର କାମ ସରିନାହିଁ। ‘ଫଣି’ଠୁ ଆରମ୍ଭ କରି କରୋନା, ନିର୍ବାଚନ କଟକଣା ଆଦିକୁ ବାହାନା କରି ସ୍ମାର୍ଟସିଟି କର୍ତ୍ତୃୃପକ୍ଷ ଦୋଷ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି।

୧୬ଟି ପ୍ରକଳ୍ପ ମଧ୍ୟରୁ ଏରିଆ ବେସ୍‌ଡ ଡେଭଲପମେଣ୍ଟ (ଏବିଡି)ରେ ୧୦ଟି, ପ୍ୟାନ୍ ସିଟି ସ୍ମାର୍ଟ ସଲ୍ୟୁସନ୍(ପିସିଏସ୍ଏସ୍)ରେ ୪ଟି ଏବଂ ସୋସିଆଲ ସ୍ମାର୍ଟନେସ୍(ଏସ୍ଏସ୍) ବିଭାଗରେ ଦୁଇଟି ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ପ୍ରତି ବିଭାଗରୁ ଗୋଟିଏ ଲେଖାଏଁ ପ୍ରକଳ୍ପ କାମ ସରିଥିବା କୁହାଯାଇଛି। ସମସ୍ତ ପ୍ରକଳ୍ପର କାର୍ଯ୍ୟାଦେଶ ୨୦୧୭ ଏବଂ ୨୦୧୮ ଭିତରେ ଦିଆଯାଇଥିଲା। ହେଲେ ଅଧିକାଂଶର କାମ ଅଧପନ୍ତରିଆ ଓ ମନ୍ଥର ଗତିରେ ଚାଲିଛି।

ଏବିଡି ବିଭାଗରେ ସ୍ମାର୍ଟ ଜନପଥ ପ୍ରକଳ୍ପ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇଥିଲା। ଏହାର ଅବଧି ଦୁଇବର୍ଷ ଥିବାବେଳେ ଏଯାଏଁ କାମ ସରିନାହିଁ। ଶିଶୁ ଭବନ ଛକରୁ ରାଜମହଲ ଛକ ଯାଏ କିଛି ନିର୍ମାଣ କାମ ସରିଛି। ଏବେ ବାଣୀବିହାରରୁ ରାଜମହଲ ରାସ୍ତା ପ୍ରଶସ୍ତୀକରଣ, ଡିଭାଇଡର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ପାର୍ବଣ ପୂର୍ବରୁ ରାସ୍ତାଘାଟ କାମ ସରିବ ବୋଲି ବିଏସ୍‌ସିଏଲ ପକ୍ଷରୁ କୁହାଯାଇଥିବାବେଳେ ବର୍ତ୍ତମାନ ଖୋଳାପୋତା ଯୋଗୁଁ ରାସ୍ତା ମରଣଯନ୍ତା ପାଲଟିଛି। ଗୁରୁଦ୍ବାର ସମ୍ମୁଖରେ ଧୂଳି ଉଡ଼ି ପଥଚାରୀ ଅଣନିଃଶ୍ବାସୀ ହୋଇପଡୁଛନ୍ତି। ସେହିପରି ସହରର ନିର୍ମାଣ ଶ୍ରମିକ ଏବଂ ବାସହୀନଙ୍କ ପାଇଁ ଶସ୍ତାରେ ଘରଭଡ଼ା ଯୋଗାଇ ଦେବା ନିମନ୍ତେ ‘ପ୍ରୋଜେକ୍ଟ କୁଟୁମ୍ବ’ ଆରମ୍ଭ ହୋଇଥିଲା। ବର୍ଷକ ମଧ୍ୟରେ ଶେଷ ହେବାକୁ ଥିବା ଉକ୍ତ ପ୍ରକଳ୍ପ କାମ ସରିନାହିଁ। ରାଜମହଲ ଏବଂ ସହିଦନଗରରେ ବହୁତଳ କାର୍‌ ପାର୍କିଂ ପ୍ରକଳ୍ପ ମଧ୍ୟରୁ ଗୋଟିକର ଅବଧି ୧୮ ମାସ ଏବଂ ଅନ୍ୟଟିର ୧୨ମାସ ରହିଥିଲେ ବି କାମ ସରିନାହିିଁ। ବିଭିନ୍ନପ୍ରକାର ବିଲ୍ ଦେୟ କେନ୍ଦ୍ର, ୱାର୍ଡ ହାଉସ୍, ବହୁମୁଖୀ ହଲ୍, ପାଠାଗାର, ସ୍କିଲ୍ ସେଣ୍ଟର ଆଦି ଏକତ୍ର ରହି ସହିଦନଗରରେ ୨.୯୯ ଏକର ଅଞ୍ଚଳରେ ଇଣ୍ଟିଗ୍ରେଟେଡ଼ ପବ୍ଲିକ୍ ସର୍ଭିସ ସେଣ୍ଟର(ଆଇପିଏସ୍‌ସି) ପ୍ରକଳ୍ପ କାମ ବିଏସ୍‌ସିଏଲ ହାତକୁ ନେଇଛି। ୧୧ମାସ ମଧ୍ୟରେ କାମ ସାରିବାକୁ ନିର୍ଦେଶ ରହିଥିଲେ ହେଁ ଏଯାଏ ପ୍ରକଳ୍ପର ୩୨ ଆଇସୋଲେଟେଡ୍ ଫୁଟିଙ୍ଗରୁ ୨୪ଟିର କାମ ସରିଛି। ଏହାସହିତ ସହିଦନଗରେ ବିଏମ୍‌ସି ମୁଖ୍ୟାଳୟ ନିର୍ମାଣ ପ୍ରକଳ୍ପ ଚାଲୁ ରହିଛି। ଷ୍ଟ୍ରିଟ୍ ଭେଣ୍ଡର ଇମ୍ପ୍ରୁଭମେଣ୍ଟ ପ୍ରକଳ୍ପ, ୩୭୦ କୋଟି ଟଙ୍କା ବ୍ୟୟରେ ଜଳଯୋଗାଣ, ସ୍ୱେରେଜ୍, ଶକ୍ତି, ବର୍ଜ୍ୟବସ୍ତୁ ପରିଚାଳନା, ଷ୍ଟ୍ରିଟ୍ ଲାଇଟ୍ ଆଦି ସେବା ଯୋଗାଇ ଦେବାକୁ ଉଦ୍ଦିଷ୍ଟ ସମନ୍ବିତ ପ୍ରକଳ୍ପ ଉନ୍ନୟନ କାମ ଧିମା ଗତିରେ ଚାଲିଛି। ଗୋଟିଏ ସ୍ଥାନରେ ସମସ୍ତ ଦେୟ କେନ୍ଦ୍ରର ସୁବିଧା ଯୋଗାଇ ଦେବାକୁ ‘କମନ ପେମେଣ୍ଟ କାର୍ଡ ସିଷ୍ଟମ ଫର ଭୁବନେଶ୍ୱର’ ପ୍ରକଳ୍ପ କାମ ଅଧାରେ ଅଟକିଛି। ଉକ୍ତ ପ୍ରକଳ୍ପର ଅବଧି ୬ରୁ ୮ମାସ ଭିତରେ ସରିବାକୁ ଥିବାବେଳେ ଏହାର କାମ ଆଇସିଆଇସିଆଇ ବ୍ୟାଙ୍କକୁ ଦିଆଯାଇଥିଲା। ମାତ୍ର ଏହି ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ। ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପର ଅବଧି ଦୁଇବର୍ଷ ଥିଲେ ମଧ୍ୟ କାମ ମନ୍ଥର ଗତିରେ ଚାଲିଛି।

ଭୁବନେଶ୍ୱର ଟ୍ରାଫିକ୍ ବ୍ୟବସ୍ଥାକୁ ସ୍ୱୟଂଚାଳିତ କରିବା ଏବଂ ଆଡପ୍‌ଟିଭ୍ ସିଷ୍ଟମ ସାହାଯ୍ୟରେ ସିଗ୍‌ନାଲ ପରିଚାଳନା ନିମନ୍ତେ ଇଣ୍ଟିଗ୍ରେଡେଟ୍ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ ପ୍ରକଳ୍ପ କାମ ସରିଛି। ହେଲେ ଏହା ଠିକ୍‌ ଢଙ୍ଗରେ କାମ କରୁନି। ସେହିପରି ସହର ବାସିନ୍ଦା ଏବଂ ପର୍ଯ୍ୟଟକଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳ, ସ୍ଥାନ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠିକଣା ଏବଂ ୱାର୍ଡ ସମ୍ପର୍କରେ ସୂଚନା ଦେବାପାଇଁ ୬.୨୫ କୋଟି ଟଙ୍କା ବ୍ୟୟରେ ‘ଭୁବନେଶ୍ୱର ୱାନ୍ ପ୍ରକଳ୍ପ’ର ପ୍ରଥମ ପର୍ଯ୍ୟାୟ କାମ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଲୋକଙ୍କୁ ସହର ବିକାଶ କ୍ଷେତ୍ରରେ ଯୋଡ଼ି ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ କାମ ନିମନ୍ତେ ସୋସିଆଲି ସ୍ମାର୍ଟ ଭୁବନେଶ୍ୱର ପ୍ରକଳ୍ପ କାମ ସରିଥିବାବେଳେ ‘ଆଇ ଆମ୍ ଭୁବନେଶ୍ୱର’ର କିଛି କାମ ଶେଷ ହୋଇଛି। ସହିଦନଗରରେ ଥିବା ପାର୍କ, ଓଏମ୍‌ସି ପାର୍କ ଏବଂ ଟ୍ରାଙ୍ଗୁଲାର ପାର୍କକୁ ସ୍ମାର୍ଟ ପାର୍କରେ ବିକଶିତ କରିବା ପାଇଁ ସ୍ମାର୍ଟ ପାର୍କ ପ୍ରକଳ୍ପ କାମ ସରିଛି। ସ୍ମାର୍ଟ ପାର୍କର ବିକାଶମୂଳକ କାମ ‘ଫଣି’ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ମରାମତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ମାର୍ଟସିଟି ସୂତ୍ରରୁ ସୂଚନା ଦିଆଯାଇଛି। ସେହିପରି ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ୍, ମାଷ୍ଟରକ୍ୟାଣ୍ଟିନ୍ ମଲ୍ଟି ମୋଡାଲ ହବ୍, ଇ-ରିକ୍ସା, ସତ୍ୟନଗର ଓ ଚନ୍ଦ୍ରଶେଖପୁରର ଆବାସ ମିସନ ଆଦି ବହୁ ପ୍ରସ୍ତାବିତ ପ୍ରକଳ୍ପ କେବଳ କାଗଜକଲମରେ ସୀମିତ ଅଛି।

ବିଏସ୍‌ସିଏଲର ମୁଖ୍ୟ କାର୍ଯ୍ୟନିବାର୍ହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଫଣିଠୁ ଆରମ୍ଭ କରି ସାଧାରଣ ନିର୍ବାଚନ ଏବଂ କରୋନା ମହାମାରୀ ଯୋଗୁଁ ପ୍ରକଳ୍ପ ଅଗ୍ରଗତିରେ ବାଧା ସୃଷ୍ଟି ହୋଇଛି। ବର୍ଷା ବି ବାଧକ ସାଜିଛି। ଶ୍ରମଭିତ୍ତିକ ନିର୍ମାଣ କାମରେ ବିଳମ୍ବ ହେଉଛି, ହେଲେ ବୈଷୟିକ କାମ ଚାଲିଛି। ଅଧିକାଂଶ ପ୍ରକଳ୍ପର ଅବଧି ବୃଦ୍ଧି କରାଯାଇଛି। କରୋନାରେ ସୁଧାର ଆସିଲେ ସବୁ କାମ ଦ୍ରୁତ ଗତିରେ ଆଗେଇବ।

୧୦୦୦ କୋଟିର ପ୍ୟାକେଜ୍‌
କେନ୍ଦ୍ର ସରକାରଙ୍କ ସ୍ମାର୍ଟସିଟି ମିସନ ଅଧୀନରେ ଭୁବନେଶ୍ୱରର ବିଭିନ୍ନ ପ୍ରକଳ୍ପ କାମ ଚାଲିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ପ୍ରକଳ୍ପଗୁଡ଼ିକ ହେଉଛି। ଭୁବନେଶ୍ୱର ସ୍ମାର୍ଟସିଟିର ବିଭିନ୍ନ ପ୍ରକଳ୍ପ ନିମନ୍ତେ ୧୦୦୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‍ ଘୋଷଣା ହୋଇଥିବାବେଳେ ଏଥିରେ ପ୍ରାୟ ୩୮(ପ୍ରସ୍ତାବିତ ଓ କାର୍ଯ୍ୟ ଆରମ୍ଭ) ପ୍ରକଳ୍ପ ହେବା ଯୋଜନା ରହିଛି। ପ୍ରକଳ୍ପର କାମ କେନ୍ଦ୍ର ସରକାରଙ୍କ ସ୍ମାର୍ଟ ମିସନ ନିୟମାବଳୀ ଅନୁସରଣରେ କରାଯାଉଛି ବୋଲି ବିଏସ୍‍ସିଏଲ୍‍ର ମହାପ୍ରବନ୍ଧକ(ବୈଷୟିକ) ଶେଷଦେବ ପଣ୍ଡା କହିଛନ୍ତି।

କାମରେ ଆସୁନି ପ୍ରକଳ୍ପ
ଭୁବନେଶ୍ୱର ସ୍ମାର୍ଟସିଟିର ଯୁବପିଢ଼ିଙ୍କୁ ଆକୃଷ୍ଟ କରିଥିବା ଭୁବନେଶ୍ୱର.ମି(ୱାଇ-ଫାଇ) ଏବେ କାମରେ ଅସୁନି। ହକି ବିଶ୍ୱକପ୍‍ ସମୟରେ ମାଗଣାରେ ହାଇସ୍ପିଡ୍‍ ଇଣ୍ଟରନେଟ୍‍ ସେବା ଦେଉଥିଲା। ସେବେଠାରୁ ଏହା ଆଉ କାର୍ଯ୍ୟକ୍ଷମ ନାହିଁ। ସେହିପରି ସହିଦନଗର ସ୍ମାର୍ଟ ପାର୍କର କାର୍ଯ୍ୟ ଶେଷ ହୋଇଥିଲେ ବି ଲୋକେ ଏହାର ସୁଫଳ ପାଇପାରୁ ନାହାନ୍ତି। ଅନ୍ଧକାରର ସୁଯୋଗ ନେଇ ରାତିରେ ଅସାଜିକଙ୍କ ଆଡ୍ଡା ଜମୁଛି। ଖାରବେଳ ନଗରରେ ସୋସିଆଲ ଇକ୍ୟୁଟ୍‍ ସେଣ୍ଟର ପ୍ରକଳ୍ପ କାମ ସରିଛି। ଏଠାରେ ଶ୍ରମିକଙ୍କୁ ସୁଲଭ ମୂଲ୍ୟରେ ରହିବା ବ୍ୟବସ୍ଥା ହୋଇଛି। ହେଲେ କୋଭିଡ ସମୟରେ ଏହି କାମ ସରିଥିବାରୁ ଏହା ଲୋକଙ୍କ ବ୍ୟବହାରରେ ଆସିନାହିଁ। ଆଡପ୍‍ଟିଭ ଟ୍ରାଫିକ୍‍ କ​‌େ​‌ଣ୍ଟ୍ରାଲ ସିଷ୍ଟମ୍‍ ପ୍ରାୟ ୯୦ ପ୍ରତିଶତ କାମ ସରିଛି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଅଚଳ ଅବସ୍ଥାରେ ଥିଲେ ବି ସଜଡ଼ା ଯାଉନାହିଁ। ମାନୁଆଲରେ ଟ୍ରାଫିକ୍‍ ନିୟନ୍ତ୍ରଣ କାମ ଚାଲିଛି। ପବ୍ଲିକ୍‍ ଆନାଉନ୍ସମେଣ୍ଟ ବ୍ୟବସ୍ଥା ମଧ୍ୟ ଅଚଳ ରହିଛି। ସହିଦନଗରରେ ଆଇପିଏସ୍‍ସି ସେଣ୍ଟର ନିର୍ମାଣ ୯୦ ପ୍ରତିଶତ ସରିଥିଲେ ବି ଏହା ସମ୍ପୂର୍ଣ୍ଣ କାମରେ ଲାଗି ନାହିଁ।

ଚାପରେ ଅଧିକାରୀ
ସ୍ମାର୍ଟସିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚାପରେ ରହୁଥିବାରୁ ବିଭିନ୍ନ ପ୍ରକଳ୍ପର କାମରେ ଆଶାନୁରୂପ ଅଗ୍ରଗତି ହୋଇପାରୁ ନଥିବା ଅଭିଯୋଗ ହେଉଛି। ଏବେ ବିଏସ୍‍ସିଏଲ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମ୍‍ଚନ୍ଦ୍ର ଚୌଧାରୀ ଅଛନ୍ତି। ସେ ବିଏମ୍‍ସିର କମିସନର ରହିବା ସହିତ ବିଡିଏ ଉପାଧ୍ୟକ୍ଷ ପଦ ସମ୍ଭାଳୁଛନ୍ତି। ଜଣେ ବ୍ୟକ୍ତି ତିନୋଟି ପ୍ରମୁଖ ସଂସ୍ଥାର ମୁଖ୍ୟ ପଦରେ ରହିଥିବାବେଳେ ଭୁବନେଶ୍ୱରରେ କରୋନା ପରିଚାଳନା ଦାୟିତ୍ବ ବି ତାଙ୍କ ଉପରେ ନ୍ୟସ୍ତ। ଜଣେ ଅଧିକାରୀଙ୍କୁ ଏତେ ଦାୟିିତ୍ବ ଦେବା ଫଳରେ ସ୍ମାର୍ଟସିଟି କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି।

ସହାୟତା ନମ୍ବର ସର୍ବଦା ବ୍ୟସ୍ତ
ଭୁବନେଶ୍ୱର ସ୍ମାର୍ଟସିଟିର ୧୯୨୯ ନିଃଶୁଳ୍କ ସହାୟତା ନମ୍ବର ସବୁବେଳେ ବ୍ୟସ୍ତ ରହୁଛି। ଫଳରେ ସାଧାରଣ ଲୋକେ ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। କୌଣସି ଅଭିଯୋଗ କିମ୍ବା ସୂଚନା ନିମନ୍ତେ ଲୋକଙ୍କୁ ନିରାଶ ହେବାକୁ ପଡ଼ୁଛି। ଓଡିସେ ପ୍ରିପେଡ୍‍ କାର୍ଡ ସହାୟତା ନମ୍ବର ୧୮୦୦୨୬୬୯୮୪୯ ମଧ୍ୟ ଅଧିକାଂଶ ସମୟରେ ଲାଗୁନଥିବା ଅଭିଯୋଗ ହୋଇଛି।

ଅଧପନ୍ତରିଆ ପ୍ରକଳ୍ପ:
– ସ୍ମାର୍ଟ ଜନପଥ
– ପ୍ରୋଜେକ୍ଟ କୁଟୁମ୍ବ
– ରାଜମହଲ ବହୁତଳ କାର୍‌ ପାର୍କିଂ
– ସହିଦନଗର ବହୁତଳ କାର୍‌ ପାର୍କିଂ
– ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର(ଆଇପିଏସ୍‌ସି)
– ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ
– ଷ୍ଟ୍ରିଟ୍ ଭେଣ୍ଡର ଇମ୍ପ୍ରୁଭମେଣ୍ଟ
– ଇଣ୍ଟିଗ୍ରେଟେଡ୍ ଇନ୍‌ଫ୍ରାଷ୍ଟକ୍ଚର ଇମ୍ପ୍ରୁଭମେଣ୍ଟ
– କମନ ପେମେଣ୍ଟ କାର୍ଡ ସିଷ୍ଟମ ଫର ଭୁବନେଶ୍ୱର
– ସ୍ମାର୍ଟ ସଲ୍ୟୁସନ୍
– ଇଣ୍ଟିଗ୍ରେଟେଡ଼ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ ପ୍ରକଳ୍ପ
– ଗୃହ ନିର୍ମାଣ ପ୍ରକଳ୍ପ
– ଭୁବନେଶ୍ୱର ୱାନ୍ (ପ୍ରଥମ ପର୍ଯ୍ୟାୟ ଶେଷ)

ଶେଷ ହୋଇଥିବା ପ୍ରକଳ୍ପ:
– ସ୍ମାର୍ଟ ପାର୍କ ପ୍ରକଳ୍ପ
– ସୋସିଆଲି ସ୍ମାର୍ଟ ଭୁବନେଶ୍ୱର ପ୍ରକଳ୍ପ
– ଆଇ ଆମ୍ ଭୁବନେଶ୍ୱର

Comments are closed.